Unknown

 

 

 

 

 

 

 

 

 

ମହେନ୍ଦ୍ର

ଚିନ୍ତାମଣି ମହାନ୍ତି

 

ପ୍ରଥମ ସର୍ଗ

 

କୃତାର୍ଥ ପବିତ୍ର, ଯାର ମହା ଶୋଭା-ତୀର୍ଥେ

କରୁଥିଲି ସନ୍ତରଣ ଏତେ ଦିନଯାଏଁ

ପ୍ରାଣଭରା ଆଗ୍ରହରେ କଳ୍ପନା ବଳରେ,

ଗିରିକୁଳେ ନିରୀଶ୍ୱର ସେହି ଗିରୀଶ୍ୱର

ମହେନ୍ଦ୍ର-ବାଞ୍ଛିତ-ଗିରି ମହେନ୍ଦ୍ର ସହିତେ

ଭେଟାଇ ପ୍ରତ୍ୟକ୍ଷେ, ପୁଣ୍ୟ-ପୁରାଣ-ପ୍ରଥିତ ।

ବହୁ ଦିନୁଁ ଉଭା ହୋଇ ଆଶା-ସିଂହଦ୍ୱାରେ

କରୁଥିଲି ତୁମ୍ଭ ପଦେ ଅଳି ସମାକୁଳେ,

ମାତ୍ର ତୁମ୍ଭେ ଥିଲ ଦେବୀ, ଏକାନ୍ତ ବଧିରା

ମୋର ସେ ପ୍ରାର୍ଥନା ପ୍ରତି, କି ଦୋଷ ତୁମ୍ଭର,

ଚାତକ ସଲିଳକଣା ମାଗିବା ମାତ୍ରକେ

କରେ କି ନୀରଦ ତାର ପ୍ରାର୍ଥନା ପୂରଣ ?

ଯଥାକାଳେ ଏ ଯାଚକେ ପ୍ରଦାନି ପ୍ରସାଦ

ଦେଖାଇଲ ଆଜି ଆହା ସାଫଲ୍ୟ-ମନ୍ଦିର ।

କି ଦ୍ରବ୍ୟେ ପୂଜିବି ପାଦ ଦୀନହୀନ ମୁହିଁ,

 

ଅର୍ପିଅଛି ଯେ ଆନନ୍ଦ, ଦିବ୍ୟ, ଅନବଦ୍ୟ

ଘେନ ସେ ଆନନ୍ଦେ ତୁମ୍ଭେ ପୁଜାଦ୍ରବ୍ୟରୂପେ ।

ପ୍ରଣମେ ମହେନ୍ଦ୍ର ଗିରି, ଅକିଞ୍ଜନ ଜନ

ପୁଣ୍ୟ ଦେବପାଦେ ତବ ଅଷ୍ଟାଙ୍ଗ ଲୁଟାଇ,

 

ଆସିଛି ଦର୍ଶନ ଆଶେ, ମାତ୍ର ଆସି ନାହିଁ

ବର୍ଣ୍ଣନ ମାନସେ-ତବ ମାହାତ୍ମ୍ୟ ମହାନ,

ବ୍ୟର୍ଥ ଦୁରାକାଙ୍‌କ୍ଷା ସ୍ୱପ୍ନ ବ୍ୟଙ୍ଗ ପ୍ରେରଣାରେ ।

ବର୍ଣ୍ଣିଛନ୍ତି ଯେ ମାହାତ୍ମ୍ୟ କବୀନ୍ଦ୍ର-ବନ୍ଦିତ

 

କାଳିଦାସ, ସାରସ୍ୱତ-ସାମ୍ରାଜ୍ୟ-ସମ୍ରାଟ,

ସଂସ୍କୃତ-ସାହିତ୍ୟ-ସୌଧ-ସ୍ଥପତିପ୍ରବର,

(ଅମର ରସନା ଯାଙ୍କ ନିଷିକ୍ତ ଅମୃତେ,

କଳ୍ପନା-ଚତୁସ୍ପାଠୀର ଆଜୀବନ ଶିଷ୍ୟ)

 

କଳିବାକୁ ସେ ମହିମା ନାହିଁ ମୋ ଯୋଗ୍ୟତା,

କାହିଁ ସେ ଅନନ୍ତ ସିନ୍ଧୁ, କାହିଁ ମୁଁ ଗୋଷ୍ପଦ ?

କାହିଁ ସେ ପ୍ରତିଭା, ଯାହା ଦୀପ୍ତ ଯଜ୍ଞାନଳ,

କାହିଁ ମୁଁ ଅସାର ହେୟ ବିଭୁତି-କଣିକା !

 

ତଥାପି କହିବି ଯଦି ଏଣୁ ତେଣୁ କିଛି

ଅମଳୀ ପ୍ରତାପ ଭଳି, ତୋ ଶୋଭା-ମଦିରା-

ନିଶାଭୋଳେ, ହେଲେହେଁ ତା ଅର୍ଥହୀନ ଭାଷା,

ଶୁଣିବେ କୋବିଦେ-କାବ୍ୟରସ-ସୁଧାପାୟୀ ।

 

ମଧୁର ରସାଳ ଫଳଭୋଜୀ ଶୁକପକ୍ଷୀ

ଭୁଞ୍ଜେ ସୁଦ୍ଧା ଖୁଦକଣା ଆସ୍ୱାଦବିହୀନ,

କେବଳ କି ରସେ ଅତି ସୁରଭି ସୁମନେ,

ଆଘ୍ରାଣେ ତ କୁରୁବଳେ-ରୂପଗନ୍ଧହୀନ,

 

ନୁହେଁଖାଲି ଧୁପ ଦୀପ ଚନ୍ଦନ ତୁଳସୀ

ଦେବପୂଜା ଉପାଦାନ, ଅତି କ୍ଷୁଦ୍ରତମ

ତୁଚ୍ଛ ଦୁର୍ବାଦଳ ସୁଦ୍ଧା ଲଭେ ସେ ସୌଭାଗ୍ୟ ।

ଅହୋ କି ବିରାଟ ଗିରି, ରୁଦ୍ର ଚାରୁକାନ୍ତ,

 

ଚାହିଁଲେ ନୟନ ହୁଏ ନିଷ୍ପନ୍ଦ ଅବଶ,

ଶୃଙ୍ଗ ପରେ ଶୃଙ୍ଗ ପୁଣି ଶୃଙ୍ଗ ତଦୁପରି,

ଶୃଙ୍ଗେ ଶୃଙ୍ଗେ ଗୁନ୍ଥା ହୋଇ ପାବଚ୍ଛ ପ୍ରକାରେ

ଯାଇଛି ଆକାଶେ ମିଶି, ମିଶାଇ ନୀଳିମା

 

ଅନନ୍ତ ନୀଳିମାମୟ ମହାକାଶ ସହ ।

କେତେ କାଳୁ ପ୍ରକୃତିର ଏ ଅମର ଯୋଗୀ

ଜଗତର ଭକ୍ତି ପ୍ରୀତି ଗ୍ରହଣ ମାନସେ

ସମାଧିସ୍ଥ, ସୁଗମ୍ଭୀର ବରଦ ମୂର୍ତ୍ତିରେ,

 

କେ କହିବ ତାହା, ସେହି କାଳ ଭିନ୍ନ ଆନ ।

ସ୍ରଷ୍ଟା ସିନା ସୃଜିତର ପ୍ରମାୟୁ ପ୍ରହରୀ ।

ସମ୍ମୁଖେ ଆନନ୍ଦ ଗିରି ୧ ଯଥା ଗ୍ରନ୍ଥଗାଦି,

ଦକ୍ଷ ଦିଗେ ଦାରୁବ୍ରହ୍ମ ୨- ପୁଣ୍ୟକମଣ୍ଡଳୁ ।

 

୧- ମଞ୍ଜୁଷାର ସୁନାମପ୍ରସିଦ୍ଧ ଶୈଳ ।

୨- ମହେନ୍ଦ୍ରର ସର୍ବୋଚ୍ଚ ପାର୍ଶ୍ୱବର୍ତ୍ତୀ ଶିଖର ।

 

ଦେଖିଥିଲି ଦୂରୁ ଯାକୁ ନୀଳ ନଭଃକୋଳେ

ସୁପ୍ତ ଘନ ପ୍ରାୟ, ଏବେ ସେ ଦିଶିଲା ଯଥା

ଉତ୍କଳ-କମଳାଙ୍କର ମର୍କତ ମହୁଡ଼,

ବିଧିଦତ୍ତ, ଗୌରବର ଯୋଗ୍ୟ ପୁରସ୍କାର-

 

ଆର୍ଦ୍ର ଦେବ ମହିମାର ମଧୁର ମୟୂଖେ ।

ବିରାଟ ଅଧ୍ୟାୟ ଗିରି ବିଶ୍ୱ-ଇତିହାସେ ।

କିମ୍ବା ଏ ଦିଗନ୍ତବ୍ୟାପୀ ଅକ୍ଷୟ ଭଣ୍ଡାର

ଭାରତୀ ଇନ୍ଦିରାଙ୍କର, ମଣିମୁକ୍ତାଖଚୀ

 

ଜାତୀୟ ବିଭବପୂର୍ଣ୍ଣ, ଅଥବା ଏ ଶୈଳ

ସାରସ୍ୱତ ପାଠାଗାର କିମ୍ବା ପ୍ରକୃତିର

ନିର୍ଜନ ପବିତ୍ରତମ ଉପାସନାଗାର ।

ନିରୁପମ ତୁ ମହେନ୍ଦ୍ର, ଯୋଖିଲେ ଉପମା

 

ବସୁଛୁ ସେ ଉପମାର ଅଳଙ୍କାର ହୋଇ,

ଭାରତ-ମହାକାବ୍ୟର ଟୀକା ଏ ଉତ୍କଳ,

ତୁହି ସେ ଟୀକାର ଭାବ-ସରଳ ସୁନ୍ଦର ।

ଦୂରୁ ଯା ଆଭାସୁଥିଲା ଛବି ଅଙ୍କା ପରି

 

ଧନୁକ ହେଉଳ ଉଷ୍ଟ ବିବିଧାକୃତିର,

ହେଲା ତାହା ପରିଣତ ଅଭଂକଷଚୂଡ଼େ

ତୃଣ ହେଲା ମହାତରୁ, ରେଖା ହେଲା ନଦୀ,

ବିସର୍ଜି ବାମନ ରୂପ ଧରିଲେ ସକଳେ

 

ସ୍ୱାଭାବିକ ନିଜ ରୂପ କୁହୁକିଆ ପ୍ରାୟ ।

ଅଦ୍ଭୁତ ସ୍ୱଭାବ-କବି ତୁହି ରେ ମହେନ୍ଦ୍ର,

କୋଟି ମୁଖେ କୋଟି ଛନ୍ଦେ ଗାଉ ଯେ ସଙ୍ଗୀତ,

ତାର ମହାଭାଷା କ୍ରମେ ଧରି ଆସି ଦେହ

 

ନାଚି ଖେଳି ବୁଲେ ସଦା ନୟନ ଅଗ୍ରତେ,

କେ ବୁଝିବ ସେହି କର୍ମ ନିମନ୍ତ୍ରଣ ବାଣୀ,

ନ ହେଲେ ରେ ଗିରିବର ତୋ ଭାବେ ତନ୍ମୟ,

ତୋ ପରି ସହିଷ୍ଣୁ ଶାନ୍ତ ଅସୀମ ଧୈର୍ଯ୍ୟାଳୁ,

 

ନିଜେ ରଚି ଗୀତ, ନିଜେ ଗାଉ, ନିଜେ ଶୁଣୁ,

ହେଉ ନିଜେ ତହିଁ ମୁଗ୍‌ଧ, ବାଳକ ସମାନ,

ରଚକ, ଗାୟକ, ଶ୍ରୋତା ତୁହି ଏକାଧାରେ ।

ନଗରାଜ, ତୁ ବିରାଟ, ବିରାଟ କ୍ଷମତା

 

ତୋର, କର୍ମକ୍ଷେତ୍ର ପୁଣି ଅତୀବ ବିରାଟ,

ସେହି ବିରାଟତା ପୋଡ଼ିଦିଏ ଯୁଗପତ

ମାନବର-କ୍ଷୁଦ୍ରାଦପି ଅତି କ୍ଷୁଦ୍ରତର

ମାନବର, ଅଭିମାନ ଆତ୍ମବଡ଼ିମାଦି,

 

ପୋଡ଼ିଦିଏ ଦାବାନଳ ଯଥା ତୋ ଶରୀରୁ

ଆବର୍ଜନାରାଶି, ହେଉ ନିର୍ମଳ ତୁ ତହିଁ ।

ତୋ ମହିମା-ଅକଳିତ ଅଗାଧ ବାରିଧି,

ବିଶ୍ୱରେଣୁ-ମାନବର ତୁଚ୍ଛ ଅହମିକା

 

ନ ପାଇ ଆଶ୍ରୟ ଖରେ ବୁଡ଼ି ମରେ ତହିଁ ।

ମହା ସ୍ୱାର୍ଥପର ତୁହି; ମାତ୍ର ସ୍ୱାର୍ଥ ତୋର

କେବଳ ପରାର୍ଥ ପାଇଁ, ଧରିଛୁ ଜୀବନେ

ଜଗତର ସେବା-ବ୍ରତ, ଅଣଉଦ୍‌ଯାପିତ,

 

ଦାନପଟୁ ହସ୍ତ ତୋର ସଦା ଦାନେ ରତ,

ଗ୍ରହଣେ ବିରତ ମାତ୍ର, ଯଥାର୍ଥ ଏ ନୀତି,

ନ କିଣନ୍ତି ମହାଜନେ ଉପକାର-ମୂଲ୍ୟେ

ପ୍ରତି-ଉପକାର, ନୁହେଁ ତାଙ୍କର ତା ଧର୍ମ ।

 

ଆଧାର ତୁହି ରେ ଗିରି ଅନନ୍ତ ଜ୍ଞାନର,

ଅନନ୍ତ ପ୍ରେମର, ଝରେ ଏକ ନେତ୍ରୁ ତୋର

ସ୍ନେହାଶ୍ରୁ, ଅପର ନେତ୍ରୁ ପ୍ରେମାଶ୍ରୁ ପାବନ,

ସେହି ଅଶ୍ରୁଧାରା ବେନି ତରଙ୍ଗିଣୀରୂପେ

 

ପ୍ରବାହିତ-ସ୍ୱର୍ଣ୍ଣମୁଦ୍ରା, ମହେନ୍ଦ୍ରତନୟା । *

କଠୋର ତୁ ସତ୍ୟ, ଯେଣୁ ପାଷାଣ ଶରୀର,

ମାତ୍ର ସେହି କଠୋରତା ଅନ୍ତରାଳେ ନିଶ୍ଚେ

ଅନନ୍ତ କରୁଣାଧାରା ଅଛି ଲୁକ୍କାୟିତ,

 

ନାରିକେଳ ଆବରଣ ହେଲେ ହେଁ କଠିନ ।

ଅନ୍ତର କୋମଳ ସ୍ନିଗ୍‌ଧ ସରଳ ମଧୁର ।

ଧରୁ ମନଚୋରା ମୂର୍ତ୍ତି, ଦୃଷ୍ଟିପାତ ମାତ୍ରେ

ହରି ନେଉ ଆଜୀବନ-ସଞ୍ଚିତ ଭକତି

 

ହୃଦୟୁଁ ହୃଦୟ ସହ, ହରିନିଏ ଯଥା

ନିଦାଘ, ଅମ୍ବୁଦ ସହ ଅମ୍ବୁ ସରୋବରୁ ।

ଗିରିମଣି, ତନୁ ତୋର ସ୍ମୃତିରେ ଗଠିତ,

ଗୋଟିଏ ଅଣୁରେ ତୋର ଗୁପ୍ତ କୋଟି କୋଟି

 

ପୂରାସ୍ମୃତି-ପୁଣ୍ୟମୟୀ, ଗୌରବଭାସ୍ୱରା,

ବେଦନା-ଗୋପନ-ଗୀତି ହରି ସେ ହୃଦୟୁଁ

ନୈରାଶ୍ୟର ହା ହା ଧ୍ୱନି ସହ, ଆଣିଦିଏ

ଅଳସ ଅବଶ ସୁପ୍ତ ବିଶୁଷ୍‌କ ଜୀବନେ

 

ନବୀନ ସ୍ପନ୍ଦନ, ନବ ବଳ, ନବ ଆଶା,

ଅତୀତ ଜାତୀୟ ଗେ-ମହିମାମଣ୍ଡିତ,

କରିଦିଏ ସମ୍ମୁଖୀନ ସେ ଅମରା ସ୍ମୃତି ।

ଦେଖାଅ ସରଣୀ ଏବେ ହେ ନଗାଧିରାଜ,

 

ଖେଳିବି ତୋ କୋଳେ ପିତୃକୋଳେ ଶିଶୁପ୍ରାୟ

ତୋ ସନ୍ତତିଗଣ ସହ, ପୂରାଅ ବାସନା ।

 

ଦ୍ୱିତୀୟ ସର୍ଗ

 

ଧନ୍ୟ ସାବା ୧ ତୋ ତପସ୍ୟା, ଶୋଭା-ଆଭାମୟୀ

ଜ୍ୱରଗର୍ଭା, ମହେନ୍ଦ୍ରର ପାଦମୂଳେ ବସି,

ଦେବପାଦ ମୂଳେ ଯଥା କୁସୁମସୁନ୍ଦରୀ,

ଲଭିଛୁ ତୁ ତୀର୍ଥପଲ୍ଲୀ ସୌଭାଗ୍ୟ-ଦୁର୍ଲଭ ।

 

୧- ଗ୍ରାମବିଶେଷ । ଏହି ଗ୍ରାମଠାରୁ ମହେନ୍ଦ୍ରମାଳ ଆରମ୍ଭ ହୋଇଅଛି । 

ଏଠାର ସ୍ଥାନୀୟ ଜଳବାୟୁ ଅସ୍ୱାସ୍ଥ୍ୟକର । ଗ୍ରାମଟି ଦୃଶ୍ୟବହୁଳ ।

 

ପଥିକ-ବାନ୍ଧବୀ ତୁହି, ପଥିକ ସେବିକା

ମହେନ୍ଦ୍ର-ବୈକୁଣ୍ଠ-ଯାତ୍ରୀ-ଗମନ ପଥରେ,

ସେବେ ତୋତେ ଗିରିବାୟୁ ବହି ଆଣି ସଦା

ଗିରି-ପୁଷ୍ପ-ବିସର୍ଜିତ ସୁରଭି ପ୍ରଶ୍ୱାସ,

 

ଗିରିପୁଷ୍ଣ ଉଜ୍ଜ୍ୱଳ ତୁ, ଚିର ପୁଷ୍‌ପହାସୀ,

ଉଜ୍ଜ୍ୱଳ ପାଣ୍ଡିତ୍ୟ ଯଥା ବିନୟବାଣୀରେ ।

ବାନ୍ଧି ରଖୁ ଲତା-ପାଶେ ପାନ୍ଥ ବେନି ପାଦ,

ପୁଷ୍ପ-ପାଶେ ନେତ୍ରଦ୍ୱୟ, ହୁଏ ସେ ଅଚଳ,

 

ବୋଳି ଦେଉ ନୟନେ ତୁ ଆଗ୍ରହ-ଅଞ୍ଜନ

ତଥା ମନେ ଉତ୍କଣ୍ଠାର ଅମୃତ ପ୍ରଲେପ ।

ଗିରିଦୁର୍ଗା, ଜୁହାରୁଛି ପୟରେ ତୁମ୍ଭର,

ହୁଅ ଦେବି, ପଥେ ସାହା, ପ୍ରଦାନ ଅଭୟ ।

 

ଗୈରିକ ପଥରେ କଲି ଗିରି ଆରୋହଣ

ବିଦୁଳିତ ଦୋଳାଯାନେ ୨ କିରାତ ବାହନେ,

ସେ ପଥ ଗୋମୁତ୍ର ଛନ୍ଦେ ହୋଇ ବିରଚିତ

ମିଶିଛି ଊର୍ଦ୍ଧୁକୁ ଉଠି ସର୍ବୋଚ୍ଚ ଶିକରେ ।

 

୨- ଏହା ଏକ ପ୍ରବାର ଜାତୀୟ ଯାନ । ଏହାକୁ ଦେଶୀୟ ଆରାମି ଚୌକି ବୋଲାଯାଇପାରେ । 

ଏହାକୁ ଶଉରାମାନେ ବହନ କରନ୍ତି ।

 

ଗିରିସୁନ୍ଦରୀଙ୍କ ପଦେ ଅଳତା ପରାୟେ,

ଶୋଭେ ତାହା ନିମ୍ନଭାଗେ, ମଧ୍ୟଭାଗେ ଯଥା

ପ୍ରବାଳର ସପ୍ତସରୀ ମଞ୍ଜୁଳ ମେଖଳା,

ଊର୍ଦ୍ଧ୍ୱେ ଦିଶେ ଗିରିବର ବକ୍ଷ ବିଲମ୍ବିତ

 

ଆରକ୍ତ ମନ୍ଦାରମାଳା ପରାଏ ସୁନ୍ଦର,

ଅଥବା ଜଡ଼ିତ ନୀଳ ଘନେ ରଙ୍ଗ ବିଦ୍ୟୁ,

ନତୁବା ସାଗରେ ଭାସେ ପ୍ରବାଳଲତିକା ।

ନିର୍ମିତ ସେ ପଥ ଅତି ଅଦ୍ଭୁତ କୌଶଳେ,

କରିଛି ସେ ଦୁରାରୋହ ପର୍ବତେ ସୁଗମ୍ୟ,

ନିର୍ମାତା ତାହାର ଧନ୍ୟ, ଧନ୍ୟ ତା ପ୍ରତିଭା, ୩

ଅଶିକ୍ଷିତ ସ୍ଥପତିର ଏ ପ୍ରତିଭା ଦେଖି

ନ ହେବ ଚକିତ କେଉଁ ପ୍ରବୀଣ ସ୍ଥପତି,

୩- ମଞ୍ଜୁ ଷାନ୍ତର୍ଗତ ସାବାଗ୍ରାମନିବାସୀ ଶ୍ରୀରଙ୍ଗ ବିଶୋଇ ଖୁବ୍ ଦକ୍ଷତାର ସହିତ ପାବଚ୍ଛାକାରରେ ଏହି ପଥ ନିର୍ମାଣ କରିଅଛନ୍ତି । ଏହି ପଥରେ ହାତୀ, ଘୋଡ଼ା, ତିନି ଜଣ ପଥିକ ଏକ ଧାଡ଼ିରେ ଅକ୍ଲେଶରେ ଗମନାଗମନ କରି ପାରନ୍ତି। ମହେନ୍ଦ୍ରର ପାଦଦେଶରୁ ଉପର ପର୍ଯ୍ୟନ୍ତ ୧୦ ମାଇଲ ମଧ୍ୟରେ ୬୦ ଗୋଟି ପାବଚ୍ଛ ଅଛି । ଏହି ପଥ ନିର୍ମାଣରେ ୧୮୦୦ ଟଙ୍କା ବ୍ୟୟିତ ହୋଇଥିବାର ପ୍ରକାଶ । ଉକ୍ତପତ ନିର୍ମାଣ ସକାଶେ ବିଶୋଇ ଗଭର୍ଣ୍ଣମେଣ୍ଟରୁ ଘଡ଼ି ପୁରସ୍କାର ପାଇଥିଲେ ।

ଅଶିକ୍ଷିତ ହୃଦୟର ଏଭଳି କଳ୍ପନା

ସୁଶିକ୍ଷିତ କଳ୍ପନାରୁ ବଳେ ବହୁଗୁଣେ,

ବଳିଯାଏ ସିନା ବନଫୁଲର ସୌରଭ

ଉଦ୍ୟାନ ଫୁଲରୁ, ହେଉ ପଛେ ଅନାଦୃତ ।

 

ନୁହେଁ ଅନୁର୍ବର କେଭେଁ ଉତ୍କଳୀୟ ମଥା,

କେବଳ ସେ ଉପଯୁକ୍ତ କର୍ଷଣ ଅଭାବେ

ହେଉ ନାହିଁ ଫଳପ୍ରସୂ, ଆଶା ଅନୁରୂପ ।

ମା ଉତ୍କଳ, କେଉଁ ଗୁଣେ ଊଣା ତୋ ସନ୍ତାନେ

 

ପୁଣି ଅତି ଅବା କେଉଁ ବିଦ୍ୟାରେ, କଳାରେ,

କେତେ ଠାବେ କେତେ ରତ୍ନ-ମହାର୍ହ ଉଜ୍ଜ୍ୱଲ

ରଖିଛୁ ସମ୍ପାଦି ଗର୍ଭେ, କେ ଚିହ୍ନୁଛି ତାହା,

ଏହା ଭାଗ୍ୟଦୋଷ କିମ୍ବା ଦେବ ଅଭିଶାପ ?

 

ହେଉ ପଛେ କଣ୍ଟକିତ ବନ୍ଧୁର ସେ ପଥ

କର୍କରା-ପିଚ୍ଛିଳ; ମାତ୍ର ନୁହେଁ କ୍ଳାନ୍ତିକର,

ପ୍ରତ୍ୟୁତ ସେ କ୍ଳାନ୍ତିହର, ଶାନ୍ତିର ଆଧାର ।

ବେନି ପାଶେ ମହାରଣ୍ୟ-କାଣ୍ଡର ଅଗମ୍ୟ,

 

ବସିଛି ବିସ୍ତାରି ତହିଁ ପ୍ରକୃତି ସୁନ୍ଦରୀ

କି ଅନନ୍ତ ଉଚ୍ଛୃଙ୍ଖଳ ବିଶୃଙ୍ଖଳ ଶୋଭା,

କି ଦେଖିବ ନର ତହୁଁ-ଦ୍ୱିନେତ୍ର ସ୍ୱଳ୍ପାୟୁ,

ଜନ୍ମନ୍ତା ଯଦ୍ୟପି କେହି ଘେନି ଦୀର୍ଘ ଆୟୁ

 

ସୃଷ୍ଟି ଶେଷ ଦିନଯାଏଁ, ବହି ବହୁ ନେତ୍ର,

ସେ ଅଦ୍ଭୁତ ଭାଗ୍ୟଧର ଦେଖନ୍ତା କିଞ୍ଚିତ

ହୋଇଥିଲେ ଶୋଭାଦାସ, ଶୋଭାର କାଙ୍ଗାଳୀ ।

ଦୃଷ୍ଟିମାତ୍ରେ ଇଚ୍ଛା ହୁଏ ସେ ଶୋଭା-ସାଗରେ

 

ପିଇବାକୁ ଏକା ଢୋକେ ଅଗସ୍ତ୍ୟ ପରାୟେ,

କେବଳ ସେ ଇଚ୍ଛା ହୁଏ ଇଚ୍ଛାରେ ହିଁ ପୂର୍ଣ୍ଣ

ନ ଦେଖେ କାର୍ଯ୍ୟର ମୁଖ ସ୍ୱପେ କେଉଁ କାଳେ ।

 

ନାଚି ନାଚି ସ୍ୱର୍ଣ୍ଣମୁଦ୍ରା ୧ କରି ଉଚ୍ଚ ହାସ୍ୟ,

ପ୍ରଦର୍ଶାଇ କବିତାର ଜୀବନ୍ତ ଆକୃତି

ଆସୁଛି ଓହ୍ଲାଇ ନିମ୍ନେ ଅଶାନ୍ତ ଉବ୍ଦେଗେ,

ସୃଜେ କାହିଁ କଳକଳ ଶବ୍ଦ, କାହିଁ ଧୁଧୁ,

 

କାହିଁ ଅବା ହୁହୁ, ଆହା, ପ୍ରତେ ହୁଏ ଯଥା

ଉଠୁଛି ଏକଇ ତାରୁ ସା ରି ଗା ମା ସ୍ୱର ।

ନୁହେଁ ସେ ଅଳସ କିମ୍ବା ଅକର୍ମସର୍ବସ୍ୱ,

ବିଷୟବ୍ୟାପୃତ ସଦା ମାନସ ଯେସନ ।

 

ଠାବେ ଠାବେ ହୋଇ ସ୍ରୋତ ଶିଳ୍ପାପ୍ରତିହତ

ପଡ଼ୁଛି ତଳକୁ ଡ଼େଇଁ ଘୋର ଗଳଗାଳି

ଢ଼ାଳି ଦେଇ ବେନି ତୀରେ ଫେନ-ପୁଷ୍ପାଞ୍ଜଳି,

ମୁକ୍ତାଗର୍ଭ ସୁଶାଣିତ ସ୍ଫଟିକର ସ୍ତମ୍ଭ

 

ଛେଚି ହୋଇ ପାଷାଣେ ବା ଦେଉଛି ବିଞ୍ଚୁଡ଼ି

ମୁକ୍ତାରାଶି ଚଉପାଶେ, ଜଳକଣ ବ୍ୟାଜେ ।

ବହୁଛି ପ୍ରବଳେ ସ୍ରୋତ, ଫୁଟି ଉଠି ତହିଁ

ପ୍ରବାହ କୁସୁମ ପ୍ରାୟ ଅସଂଖ୍ୟ ଭଉଁରୀ

 

ଫେନନାଭ, ଖଣ୍ଡେ ଦୂର ଭାସିଯାଇ ସ୍ରୋତେ

ଯାଉଛି ମିଳାଇ, ଚିନ୍ତା-ସ୍ରୋତୁ ଜନ୍ମ ଯଥା

କଳ୍ପନା-ଆବର୍ତ୍ତ, ଯାଏ ତହିଁରେ ମିଳାଇ ।

ପୁତ୍ର ମରମର ଛଳେ କରୁଛି ସମୀର

 

ବିଭୁ ସ୍ତବ ଶ୍ଲୋକାବୃତ୍ତି, ଅନୁଷ୍ଟୁପ ଛନ୍ଦେ,

ଯାଉଛି ସେ ସ୍ୱର ମିଶି ନିଝର-ଝର୍ଝରେ ।

ବିଦୁଳିତ ପତ୍ର ରନ୍ଧ୍ରେ ଆସି ଚୋରା ଖରା

ପିଇଯାଏ ଥରେ ଥରେ ଲୁଚି ସ୍ରୋତଜଳ,

 

ପରଶେ ତାହାର ଜନ୍ମି ଶତ ଇନ୍ଦ୍ରଧନୁ,

କ୍ଷଣେ ବୁଡ଼େ କ୍ଷଣେ ଭାସେ, କରେ ଜଳକେଳି

ଦେଖି ଦେଖି ସେ ସୁଷମା ଅତୃପ୍ତ ନୟନେ,

ନିର୍ବାକ ବିସ୍ମୟେ, ହେଲି ଊର୍ଦ୍ଧ୍ୱେ ଅଗ୍ରସର,

କ୍ଷଣେ ଦେଇ ଦେଖା କ୍ଷଣେ ଖେଳେ ଲୁଚକାଳି

ସ୍ୱର୍ଣ୍ଣମୁଦ୍ରା, ଗଳଗଳ ନିନାଦେ କେବଳ

କରେ ଆତ୍ମପରକାଶ, ପ୍ରତେ ହୁଏ ଯଥା

ପଶୁଛି ସଂକୀର୍ଣ୍ଣ ପଥେ ପାତାଳ ବିବରେ ।

ଜଳ ପିଇ ମୃଗଯୂଥ ଯାଉଛନ୍ତି ଫେରି

ଚୌପାଶେ ଶାବକେ ଘେରି, ଆହା କି ଶୋଭା ସେ

ଘେରିଛି ପଲ୍ଲବେ ପରା ପକ୍ୱପତ୍ରଗୁଚ୍ଛ,

ଯୁଥପତି ଆଗେ ଆଗେ କଢ଼ାଉଛି ବାଟ,

ଚାଲିଛି ପଶ୍ଚାତେ ଯୁଥ, ଚାଲୁଥିଲା ଯଥା

ଜଗତର ଜ୍ଞାନଗୁରୁ ପ୍ରାଚୀନ ଭାରତ

ପଥ-ପ୍ରଦର୍ଶକ ରୂପେ ଅଗ୍ରେ, ତହିଁ ପଛେ

ଚାଲୁଥିଲା ବିଶ୍ୱ, ଗତ-ଗୌରବ-ଯୁଗରେ ।

କେତେ ବୃକ୍ଷ ବକ୍‌କଳରେ ଲାଖି ରହି ଶଟା ।୩

 

୧- ପ୍ରଚଳିତ ନାମ ସୁନାମୁଦିଆ ନଦୀ । 

୨- ଗର୍ଜନ କରି । 

୩- ବରାହର ଗ୍ରୀବା ଲୋମା

 

ଚିହ୍ନାଉଛି ବରାହର ଗଣ୍ଡ କଣ୍ଡୂୟନ,

ଦନ୍ତଘାତେ କେହି ଅବା କ୍ଷତ, କ୍ଷୀର ବ୍ୟାଜେ

ଗଡ଼ାଇଦେଉଛି ଅଶ୍ରୁ, ନୀରବ ବ୍ୟଥାରେ ।

ପଡ଼ିଲା ନିବିଡ଼ ବନ, ଦୃଷ୍ଟିରେଖାରୋଧୀ,

 

ନ ପାରି ତାହାକୁ ଭେଦି ରବିରଶ୍ମି ଜାଳ

ରହିଛି ଚାନ୍ଦୁଆ ହୋଇ ଉପରେ ତାହାର ।

ଫୁଟିଛି ବିବିଧ ପୁଷ୍ପ ବିଶୃଙ୍ଖଳ ଭାବେ,

କେତେ ବା ଶୃଙ୍ଖଳେ, ଯଥା ସୁତ୍ରଶୂନ୍ୟମାଳା,

 

ଫଳିଛି ଅଶେଷ ଫଳ, ବସିଛି କି ଏଥି

ଫଳ ଫୁଲ ପ୍ରଦର୍ଶନୀ, ବିରାଟ ବିଶାଳ ।

ପ୍ରକୃତି-ସାଧିକା ଅବା ସଜାଡ଼ି ଚାଙ୍ଗୁଡ଼ି

ଫୁଲେ ଫଳେ କିଶଳୟେ, ରଖିଛି ସମ୍ପାଦି

 

ପୂଜିବା ଆଶାରେ ତାର ପ୍ରାଣର ଦେବତା !

କେତେ ଲତା ପ୍ରାଣଭରା ସୋହାଗେ ଆଗ୍ରହେ,

ରହିଛି ବିଲମ୍ବି ପଞ୍ଚଲହରୀ ପ୍ରକାରେ ୧

ତରୁଗଳେ, କାହିଁ ସୁପ୍ତା ଶ୍ୟାମା ଶତାବରୀ

୧- ଅଳଙ୍କାର ବିଶେଷ ।

 

ଗୁଳ୍ମକୋଳେ, ମୁକୁଳିତ ଶ୍ୟାମ କେଶରାଶି

କମ୍ପୁଛି ସଧୀରେ ବାତେ, ଇତସ୍ତତଃ ହୋଇ ।

କାହିଁ ବା ବଣିଆଝଟା ୨ ବସି ପାଦତଳେ

ସୁବିଶାଳ ଶାଳ୍ମଳୀର, ଗୁରୁ ପାଦତଳେ

୨- ଏକଜାତୀୟ ଗୁଳ୍ମ । ଏହାର ଫୁଲ କାରୁକାର୍ଯ୍ୟଖଚିତ ମୁକୁଟାକୃତି ।

 

ଚେଲା ପ୍ରାୟ, ଦୋଳାଉଛି ମୌକ୍ତିକ କିରୀଟ ।

ଅଳଙ୍କୃତ ଲତାଜାମୁ ୩ ପାଟଳ ପଲ୍ଲବେ,

ସାରଲ୍ୟେ ଚରିତ୍ର ଯଥା କିମ୍ବା ଦାତା ଦାନେ ।

କାହିଁ ବା ଅତଣ୍ଡୀଲତା ୪ ମାଡ଼ିଛି ବହଳେ,

 

୩- ଏହା ଲତାପରି ମାଡ଼େ । ପତ୍ର ଫଳର ଆକୃତି, ସ୍ୱାଦ ଓ ସୁଗନ୍ଧ ଜାମୁର ଅନୁରୂପ ।

୪- ଶୁକ୍ଳବର୍ଣ୍ଣ ଲତା ବିଶେଷ।

 

ଚନ୍ଦନପାଟୀ କି ତାହା ବନଦେବୀଙ୍କର,

ଅଥବା ନୀରବ ହାସ୍ୟ ଶୋଭାରାଣୀଙ୍କର ।

ମଞ୍ଜୁଳ ନିକୁଞ୍ଜେ କେତେ ଫୁଟିଛି ଶଙ୍ଖିନୀ, ୫

ଶରତ ନୃପତିଙ୍କର କି ସେ ରୌପ୍ୟଚୂରୀ,

 

୫- ବନାଫୁଲ । କେହି କେହି ଏହାକୁ ଡାଆଣିଆ ଫୁଲ କହନ୍ତି । ଏହାର ସଂସ୍କୃତ ନାମ ଶଙ୍ଖପୁଶଷ୍ପୀ ।

 

ମଧୁପ ବାଦକ ତାର, ସ୍ୱଭାବେ ମଧୁପ ୬

ଯେଣୁ, ଫୁଙ୍କେ ନିଶାଭୋଳେ ବିପରୀତ ଆଡ଼ୁ ।

ବସିଛି ସେ କୁଞ୍ଜ-ଶିରେ ପକ୍ଷୀ ନହବତ,

ପାଦପ ଶାଖାରେ ବସି ହଳଦୀବସନ୍ତ

୬- ମଦୁଆ ।

 

ହେମକାନ୍ତ, ମନ ମଧ୍ୟେ ମନୋରଥ ଯଥା,

ଗାଉଛି ଉଦାସସ୍ୱରେ ଆନନ୍ଦ ସଙ୍ଗୀତ,

ମିଳୁଛି ସେ ଗୀତେ ଆସି ଦୂରବନରାବୀ

ସିନ୍ଦୂରମୁଣ୍ଡିର ଉଚ୍ଚ ଆଲୋଳିକା ନାଦ । ୭

୭- ହୁଳହୁଳୀ ।

 

ନନ୍ଦନ କାନନୋପମ ଏ ରମ୍ୟ କାନନ

ସୌନ୍ଦର୍ଯ୍ୟର କାରାଗାର, ନତୁ ପାରାବାର,

ସେ ସୌନ୍ଦର୍ଯ୍ୟ ଉପଭୋଗ କରନ୍ତି ବିହଗେ,

ବୁଝନ୍ତି ସୌନ୍ଦର୍ଯ୍ୟ ମୂଲ୍ୟ, ଆବର ମହିମା,

 

ସୌନ୍ଦର୍ଯ୍ୟର ଜୟକାର ଉଚ୍ଚାରନ୍ତି ଉଚ୍ଚେ ।

ଗିରିଟଙ୍କେ ଶସ୍ୟକ୍ଷେତ୍ର ହରେ ନେତ୍ର ମନ,

କାହିଁ ଜନା ୮ ଢାଳେ ଧରି ମୁକୁତା-ଚାମର

ଗିରି ଅଙ୍ଗେ, କାହିଁ ଅବା ଟେକିଛି ଘାଣ୍ଟିଆ ୯

 

୮- ବାଜରା ଜାତୀୟ ଶସ୍ୟ । ଏହାର ଫଳ ମୁକ୍ତାସଦୃଶ ୯- ଶସ୍ୟବିଶେଷ ।

 

ଦୀପଶିଖାକୃତି ଶୀର୍ଷ, ସ୍ୱର୍ଣ୍ଣାଭ, ରୁଚିର,

ଗିରିରାଜ ମହେନ୍ଦ୍ରର ନୀରାଜନା ପାଇଁ ।

ରୁଣ୍ଡ ହୋଇ ନାନା ପକ୍ଷୀ ଲୁଟୁଛନ୍ତି ଶସ୍ୟ

ଘୋର କୋଳାହଳେ, କି ସେ ପକ୍ଷୀ-ପାଠଶାଳା,

 

କରୁଛି ଶାସନ ତାଙ୍କୁ ଅବଧାନ ରୂପେ

ମଳିନ ଚୀବରଧାରୀ ଶବର-ବାଳକ

କୁହାଟି ବିକଟ ସ୍ୱରେ ଲୋଷ୍ଟ୍ରାଘାତେ,

ନିର୍ଭୟ ସେ ବୀର ଶିଶୁ, ଡରେ ତାକୁ ଭୟ,

ଭୟର କାରଣ ସତ୍ତ୍ୱେ ନ ହୁଏ ଯେ ଭୀତ,

ସେହି ଏକା ବୀର, ସେହି ଅସୀମ ସାହସୀ ।

ନିରସ୍ତ୍ରର ଅସ୍ତ୍ରସିନା କେବଳ ସାହସ,

ଯେ ଯାହାର ଚିରସଙ୍ଗୀ କି ଭୟ ତାହାର,

ବାଳକାତୁ ଅଭ୍ୟସ୍ତ ସେ ସ୍ୱାବଲମ୍ବନରେ,

ଆତ୍ମନିର୍ଭରତା ଯାର ମୂଳମନ୍ତ୍ର ପ୍ରାଣେ,

ସହାୟ ଈଶ୍ୱର ତାର, ସର୍ବତ୍ର ସର୍ବଥା ।

ଦୂରେ ଶୋଭେ ଛାୟାଚ୍ଛନ୍ନ ପକ୍ୱାଣବୀଥିକା ୧

୧- ଶବରପଲ୍ଲୀସମୂହ ।

ପର୍ଣ୍ଣପରିଚ୍ଛଦମୟୀ, ଶାନ୍ତି ନୀଡ଼ ପ୍ରାୟ,

ଉଠି ତହୁଁ ପାକଧୂମ ଉପୁଜାଏ ମନେ

ଋଷ୍ୟାଶ୍ରମସମୂତ୍ଥିତ ଯଜ୍ଞ ଧୂମ ଭ୍ରମ ।

ଲଙ୍ଘି ଘାଟୀ ପରେ ଘାଟୀ, ପଲ୍ଲୀ ପରେ ପଲ୍ଲୀ,

 

ଭୀଷଣ ମହୁଲଘାଟୀ କଲି ଆରୋହଣ,

ଦକ୍ଷଭାଗେ ଗିରିଚୂଡ଼ା ଉଠିଛି ତିର୍ଯ୍ୟକେ

କଟି ଦେଲା ପ୍ରାୟ, ବାମେ ନୀରନ୍ଧ୍ର କାନନ

ଯାଇଛି ଓହ୍ଲାଇ ଯେହ୍ନେ ପାତାଳକୁ ଭେଦି ।

 

ଆରୋହଣ କାଳେ ସେହି ବିକଟ ସଙ୍କଟ,

ପଦେ ପଦେ ଦେଉଥାଏ ଭୀତି, କ୍ଳାନ୍ତି, ବାଧା,

ମାତ୍ର ଦୃଶ୍ୟ ପ୍ରଲୋଭନ ନ ମାନି ତାହାକୁ

ନେଉଥାଏ ଟାଣି ଯେହ୍ନେ ଊର୍ଦ୍ଧ୍ୱେ ହାତ ଧରି,

 

ମୃତ୍ୟୁଭୟ ତୁଚ୍ଛ ସିନା ସୌନ୍ଦର୍ଯ୍ୟ ନିକଟେ,

ନୋହିଲେ ପତଙ୍ଗ ଅଙ୍ଗ ଦିଅନ୍ତା କି ଢାଳି

ଅଗ୍ନିକୁଣ୍ଡେ, ନେତ୍ର-ପ୍ରୀତି ସମ୍ପାଦନ ଆଶେ ।

କାହିଁ ବା ପ୍ରକାଣ୍ଡ-କାଣ୍ଡ ମହୁଲ କାନନ,

 

କାହିଁ ଶାଳବନ, କାହିଁ ବିଶାଳ ଅଳନ୍ଦ ୨

ଶୋଭେ ମହେନ୍ଦ୍ରର ବହୁ ଊର୍ଦ୍ଧ୍ୱ ବାହୁ ପ୍ରାୟ,

କାହିଁବା ନମେରୁ ୩ ଭେରୁ, ତମାଳ ଲତାରେ

ଅନ୍ଧକାରାଚ୍ଛନ୍ନ, ଯଥା ମତ୍ସରୀ ମାନସ ।

 

୨- ଏକଜାତୀୟ ବିଶାଳ ବୃକ୍ଷ । ୩- ସୁରପୁନ୍ନାଗ ।

 

କାହିଁ ପୀତ ଶେଫାଳିକା ଫେଇ ଅଙ୍ଗଭୂଷା

ସୁବର୍ଣ୍ଣ ସୁମନେ, ଦିଏ ଚୌପାଶେ ନିକ୍ଷେପି,

ଫୁଟି ନୀଳ କୋବିଦାର ୪ ବନନୀଳିମାରେ

ଦେଇଛି ମିଶାଇ ଚାରୁ ନୀଳିମା ନିଜର,

୪- ନୀଳକଞ୍ଚନ ।

କେତେ ଗିରିଗୁଡ଼ିକଙ୍କ ୫ ଦୋହଲେ ସମୀରେ

ବନଦେବୀଙ୍କର କ୍ରୀଡ଼ା କନ୍ଦୁକ ପରାୟେ ।

ଜନ୍ମାଏ ଉଆଉ ଭ୍ରମ, ଦୀର୍ଘପତ୍ର ରାଇ, ୬

ତଳେ ଶୋଭେ ଗିରିଗୁଳ୍ମ-ବାର୍ତ୍ତାକୁ, ହରଡ଼,

 

୫- ତୃଣପୁଷ୍ପ ବିଶେଷ । ଏହାର ପୁଷ୍ପକେଳିକଦମ୍ବ ସଦୃଶ । ୬- ଏକଜାତୀୟ ବୃକ୍ଷ ।

 

ଫଳପୁଷ୍ପ ଭାରେ, ବାଳ ମାଲୂର ୭ ଗହଳେ ।

ରାବିଲା କେବଣ ପକ୍ଷୀ ପତ୍ର ଅନ୍ତରାଳେ,

ଆହା କି ମଧୁର ସ୍ୱର-ଅତୀତ ଅଶ୍ରୁତ,

ନାହିଁ ସେ ଅମୃତ ସ୍ୱର ପାର୍ଥିବ ଯନ୍ତ୍ରରେ,

 

୭- ବିଲ୍ୱ ।

ପୁଚ୍ଛିଲି ବିହଗ ନାମ ବାହୁକେ ସୋତ୍ସୁକେ,

ଲଭିଲି ଉତ୍ତର ତାର, ସେ ‘‘ବଣବାନ୍ଧୋଇ’’,

ସୀସକ ଲେଖନୀ ୮ ମୁନେ ଲେଖିଲେ ସେ ନାମ

ସଚଳ ଦୋଳାରେ ବସି, ମାତ୍ର ବୃଥା ଚେଷ୍ଟା,

୮- ପେନ୍‌ସିଲ ।

ହୋଇଗଲା ଦେବାକ୍ଷରେ ପରିଣତ ଲେଖା,

କ୍ଷାନ୍ତ ହେଲି ତହୁଁ ସେହି ବ୍ୟର୍ଥ ଦୁଃସାହସୁ ।

 

ଦିବସର ଶେଷରଶ୍ମି ଭଜିଲା ମ୍ଲାନିମା,

କ୍ରମେ କ୍ରମେ ହୋଇ ଲୀନ ବନୁ, ବୃକ୍ଷଚୂଳୁ,

କଲାକ ସାନୁରେ ଯାଇ ଆଶ୍ରୟ ଗ୍ରହଣ,

କିଞ୍ଚିତ ବିଶ୍ରାମି ତହିଁ ଲୁଚିଗଲା ଖରେ,

 

କଷିତ କନକକାନ୍ତ ହଳଦୀ-ବସନ୍ତ

ଉଡ଼ି ଆସି କ୍ଳାନ୍ତ ଦେହେ, ବସି କ୍ଷଣେମାତ୍ର

ନିବାସପାଦପଚୂଳେ, ତଦନ୍ତେ ତୁରନ୍ତ

ଲୁଚିଯାଏ ପର୍ଣ୍ଣାଚ୍ଛନ୍ନ କୁଳାୟେ ଯେସନ ।

 

ଆସିଲେ ଗୋଧୂଳି ଖୋଷି ସୁବର୍ଣ୍ଣ କୁନ୍ତଳେ

ହୀରାକାବ୍ୟତାରା-ଫୁଲ-ରୁଚିର, ଭାସ୍ୱର,

ଗିରିଚୂଡ଼େ ସ୍ତରେ ସ୍ତରେ ବସିଯାଇ ଘନ,

ଧରିଲା କାଙ୍ଗୁଲା କଟା ମେଢ଼ର ସୁଷମା

 

ସୁନେଲି ରଙ୍ଗତା ୯ ଛିଆ ଅତି ବାହାରିଆ ।

କେ ଖଞ୍ଜିଲା ଶିଖି-କଣ୍ଠ ଶ୍ୟାମ ଶୈଳ ଶିରେ

ଏ ମୁକୁଟ, ଢଳ ଢଳ ରତ୍ନପ୍ରଭା-ରଚୀ

କି ଧୈର୍ଯ୍ୟ-ଉଜୁଡ଼ା ଶୋଭା, ରୂପ-ପ୍ରାଣବତୀ,

୯- ପନି ।

ପରାସ୍ତ ତା ପଦେ ଭାଷା, ପରାସ୍ତ କଳ୍ପନା ।

ହାୟ, ସେହି ସ୍ୱପ୍ନ ଶୋଭା, କରି ଅଭିନୟ

ଭବ ନଶ୍ୱରତା ନାଟ୍ୟ, ଗଲାକ ମିଳାଇ

ସାନ୍ଧ୍ୟ ଅନ୍ଧକାର ଗର୍ଭେ, ମିଳାଏ ଯେସନ,

 

ମୃଣ୍ମୟୀ ପ୍ରତିମା ଜଳ ବିସର୍ଜନ ଅନ୍ତେ,

ମିଳାଇଲା ତହିଁ ସଙ୍ଗେ ମୋ ଉଦ୍ଦାମ ଆଶା ।

ହେଲା ଅନ୍ଧକାର ଘନ, ସନ୍ଧ୍ୟାଦେବୀ କିବା

ଘନ କୃଷ୍ଣ କେଶପାଶ ଦେଲେ ମୁକୁଳାଇ,

 

ହସିଲେ ଓଢ଼ଣା ଟେକି କୁସୁମ-ଅପ୍ସରୀ

ରୁପେଶ୍ୱରୀ ଚହଟାଇ ମଧୁର ଆମୋଦ ।

ଶ୍ୟାମାଞ୍ଚଳେ ତାରାମଣି ବାନ୍ଧି ରାତ୍ରିରାଣୀ

ଆସିଲେ ତଦନ୍ତେ, ଗଲା ଫୁଲସଞ୍ଜ ଗଡ଼ି ।

 

ବହଳ ଅନ୍ଧାରେ ବୁଡ଼ି ପର୍ବତ ପାଦପ

ଛାୟାମୟ ପ୍ରେତରୂପ କଲେକ ଧାରଣ,

ନ ଦିଶିଲା ପଥ ଆଉ, ଚକ୍ଷୁଷ୍ମାନ ସୁଦ୍ଧା

ଅନ୍ଧକାରେ ହୁଏ ଅନ୍ଧ ସ୍ୱାଭାବିକ ଏହା ।

 

ଆହୋ, କି ଦାରୁଣ ଶୀତ, ସତେ କି ଶିଶିର,

ହିମର ଭଣ୍ଡାର ଦେଲା ଅଜାଡ଼ି ଏ ବନେ,

ପ୍ରତେ ହେଲା ଯେହ୍ନେ ଅଙ୍ଗ ପ୍ରତ୍ୟଙ୍ଗର ଖଞ୍ଜା,

ହୋଇଗଲା ଅକସ୍ମାତ ଅସାଡ଼ ଅବଶ

 

ସନ୍ଧିବାତେ, ତହୁଁ ଆଉ ନୋହି ଅଗ୍ରସର

ଯାପିଲୁ ଯାମିନୀ ସର୍ବେ ରାଜବସାଠାରେ । *

 

* ଏଠାରେ ଗୋଟିଏ ପଥିକନିବାସ ଅଛି । ଏହା ବ୍ରିଟିଶ ଗଭର୍ଣ୍ଣମେଣ୍ଟଙ୍କଦ୍ୱାରା ନିର୍ମିତ । ଏ ସ୍ଥାନକୁ ପାରିଧି ସ୍ଥଳ ଜାଣି ରାଜାମାନେ ଏଠାରେ ବାସକରି ରହୁଥିଲେ ବୋଲି ଏହା ରାଜବସା ନାମରେ ଅଭିହିତ ।

 

ତୃତୀୟ ସର୍ଗ

 

ଅହୋ କି ଆଶ୍ଚର୍ଯ୍ୟ, ରାଜେ ବନଗର୍ଭେ କୁଟୀ,

ଯେସନ ସଶୋକା ସୀତା ଅଶୋକ କାନନେ

ଉପବିଷ୍ଟା, ବେଢ଼ିଛନ୍ତି ଚଉକତି ହାୟ

ଦୂରନ୍ତା ଦାନବୀ ଚେଟୀ-ତୁଙ୍ଗତରୁ ବ୍ୟାଜେ ।

 

କେ ରଚିଲା ଏ ଅକୁଳ ବନ-ସିନ୍ଧୁ ବକ୍ଷେ

ଆଶ୍ରୟ ଆଶ୍ରମ, ହେଉ ପଛେ ଭୀଷଣ ସେ,

ମାତ୍ର ଶାନ୍ତି ଆନନ୍ଦର ମାଧୁରୀ ମଣ୍ଡିତ;

ବ୍ରିଟିଶ-କେଶରୀ ଧନ୍ୟ, ଆଦର୍ଶ ତାଙ୍କର

 

ସୁଶାସନ ସୁପାଳନ ସୁରକ୍ଷଣ ନୀତି;

ତାହାଙ୍କର ସମୁଦାର ଧର୍ମନୀତି ସିନା

ଆଣିଅଛି ବର୍ତ୍ତମାନେ ଫେରାଇ ଅତୀତେ,

ଆଣିଅଛି ରାମରାଜ୍ୟ ଏ ଭାରତେ ପୁଣି,

 

ନୁହଁନ୍ତି ସେ ଖାଲି ରାଜା, ଭାରତ ଭାଗ୍ୟରେ

ବିଧିଦତ୍ତ ଅତିରିକ୍ତ କୃପା ମହାଦାନ,

ଲଭି ସେହି କଳ୍ପଦ୍ରୁମ-ସ୍ନିଗ୍‌ଧ-ସୁଧା-ଛାୟା

କରିଛି ଶୀତଳ ଚିତ୍ତ ସନ୍ତପ୍ତ ଭାରତ ।

ଧର୍ମ ସିନା ମରୁସ୍ଥଳେ ପାଦପ ରୋପଣ,

ଧର୍ମ ସିନା,- ନିର୍ଭର ସେ ଭରସା ପ୍ରଦାନ,

ବିନିର୍ମାଣି ପାନ୍ଥାବାସ ଏ ହତାଶ ଦେଶେ

ଅର୍ଜୁଛନ୍ତି ମହାପୁଣ୍ୟ, ଅକ୍ଷୟ ସୁକୀର୍ତ୍ତି,

ତାଙ୍କରି ସୁକୃତି ତାଙ୍କୁ ଅର୍ପିଛି ଦେବତ୍ୱ ।

ମହେନ୍ଦ୍ର ତୃତୀୟ ଶୃଙ୍ଗେ ଶୋଭେ ରାଜବସା,

ନାହିଁ ଭବଜ୍ୱାଳା ତହିଁ, ଚିରଶୀତଳ ସେ,

ଏକମାସୀ ସ୍ଥଳୀ, ଖାଲି ମାଘ ମାସ ବିନା

ନାହିଁ ତହିଁ ଅଧିକାର ଅପର ମାସର ।

ହେଲା ନାହିଁ ରାତ୍ରେ ନିଦ୍ରା, ନିଦାରୁଣ ଶୀତ

ଭେଦି ତୁଳି, ଚର୍ମ, ମାଂସ କମ୍ପାଇଲା ଅସ୍ଥି,

ବସିଲି ଅଳିନ୍ଦେ ଆସି ପରିହରି ଶେଯ

ଯାମିନୀ-ଯୌବନେ, ସ୍ତବ୍‌ଧ ନିଃଶବ୍ଦ ଚୌଦିଗ,

 

କେବଳ ଉଠୁଛି ଥରି ମହା ଅରଣ୍ୟାନୀ

ଥରେ ଥରେ କୃଷୀବଳ ବିକଟ କୁହାଟେ,

ଅହୋ, କି ଶ୍ରବଣ-ଶୂଳ କଠୋର ଚିତ୍କାର,

ଶୁଣିଣ ଚମକି ଉଠେ ନୀରନ୍ଧ୍ର ପାଷାଣ,

 

ଥାଉ ଆନ, ସେ କୁହାଟେ ଦୁଷ୍ଟ ଶ୍ୱାପଦର

ହୋଇଯିବ ପ୍ଳୀହା ପାଣି- ଚିର ଭୟହୀନ ।

ବେଳେବେଳେ ଠକଠକି ଠକା ୧ ଦିଏ ଭୀତି

ଶସ୍ୟଚୋର ମୃଗ ଶଶା ବରାହ ସମ୍ବରେ,

 

୧- ଦୁରସ୍ଥ ଶସ୍ୟକ୍ଷେତ୍ରରେ ଦୁଇଖଣ୍ଡ ବାଉଁଶ ଖୁଣ୍ଟିରେ ଖଣ୍ଡିଏ ଧାରଣାବାଉଁଶ ରଖି ତାହା ତଳେ ତେର୍ଚ୍ଛାଭାବରେ ଖଣ୍ଡିଏ ଲମ୍ବା ବାଉଁଶା ପୋତି ତାହା ଅଗରୁ ଲତା ବାନ୍ଧିନେଇ ଶଉରାମାନେ ଘରଠାରେ ବାନ୍ଧିଥାନ୍ତି । ରାତ୍ରିରେ ଘରେ ଶୋଇ ସେହି ଲତାକୁ ଟାଣିଲେ ବାଉଁଶରେ ବାଉଁଶ ବାଜି ଠକ୍‌ଠକ୍ ଶବ୍ଦ ହୁଏ । ସେହି ଶବ୍ଦରେ ବନ୍ୟ ଜନ୍ତୁମାନେ ପଳାଇଯାନ୍ତି । ଏହି ଯନ୍ତ୍ରକୁ ‘ଠକା’ କହନ୍ତି ।

 

ଅସଭ୍ୟ ବର୍ବର ହେୟ ସମାଜେ ଯେମାନେ,

ଏ ଅଦ୍ଭୁତ ଉଦ୍ଭାବନ ତାଙ୍କରି କରଣୀ,

କେଡ଼େ ସୂକ୍ଷ୍ମ ସୁକୌଶଳ, କେଡ଼େ ତୀକ୍ଷ୍ଣ ମେଧା,

ଲତା-ତନ୍ତୁ ଆକର୍ଷଣେ ସୁଦୂର କେଦାରୁ

 

ଘଉଡ଼ାନ୍ତି ପଶୁ ପକ୍ଷୀ ପର୍ଣ୍ଣଶାଳେ ଶୋଇ ।

ଏଡ଼େ ଭଳି ବୈଜ୍ଞାନିକ ବୁଦ୍ଧି ଯେ ଜାତିର,

ସେ ଯଦ୍ୟପି ହୀନ, ତେବେ ନିଶ୍ଚେ ହୀନଦ୍ୱାରା

ହେଉଛି ସାଧିତ ବଡ଼ କାର୍ଯ୍ୟ ଏ ଶୟଳେ ।

ହୀନ ଜଳବିନ୍ଦୁ କରେ ପାଷାଣକୁ କ୍ଷୟ,

ହୀନ ଅଗ୍ନିକଣା ପାରେ ଜଗତେ ସଂଦହି,

ହୀନ କୃକଲାସ ନାଶେ ମତ୍ତ ମତଙ୍ଗଜେ । ୨

ଜଳୁଛି ପ୍ରାଙ୍ଗଣେ ଧୂନି-ଶବର-ସଜ୍ଜିତ,

୨- ଏଣ୍ଡୁକା ହାତୀ ଥୋଡ଼ ଭିତରେ ମୁଣ୍ଡକୁ ଉଠିଗଲେ ହାତୀ ପାଗଳ ହୋଇ ମରିଯିବାର ପ୍ରବାଦ ଅଛି ।

କ୍ଷୀଣ ତେଜେ, ଧୀରେ, ଯଥା ଦରିଦ୍ର ପ୍ରତିଭା,

କ୍ଷଣେ କ୍ଷଣେ ଅନ୍ଧକାର ଢାଙ୍କି ତା ଉପରେ

କୃଷ୍ଣ କର, ବୁଝାଉଛି ଆଲୋକର ମୂଲ୍ୟ,

ଆଲୋକର ମୁଲ୍ୟ ସିନା ବୁଝାଏ ଅନ୍ଧାର,

ନ ଥାନ୍ତା ଯଦ୍ୟପି ଦୁଃଖ, ଥାଆନ୍ତା କି ତେବେ

ସୁଖର ଗୌରବ ? କେବେ ଜଳି ଉଠି ଧୂନୀ

ଅନ୍ଧାରେ ଆଡ଼େଇ ଦେଇ କରୁଛି ବହୁଳ

ଅନ୍ଧାରେ ଆଲୋକ ନାଶେ, ଆଲୋକେ ଅନ୍ଧାର

 

ଲାଗିଛି ବେନିଙ୍କ ଖେଳ ରହସ୍ୟ ବିଷମ ।

ଦୁହେଁ ଦୁହିଙ୍କର ଯେହ୍ନେ କ୍ରୀଡ଼ାପୁତ୍ତଳିକା ।

ଉଡ଼ୁଛି ସ୍ଫୁଲିଙ୍ଗପୁଞ୍ଜ, ଆଲୋକ-ପୁଷ୍ପକି

ଫୁଟିବା ମାତ୍ରକେ ଝଡ଼ି ଯାଉଛି ମିଳାଇ,

 

ଯେସନ ମିଳାଇ ଯାଏ ଜୀବନ ସ୍ଫୁଲିଙ୍ଗ

ଲହମାକ ୧ ମଧ୍ୟେ ଉଇଁ, ଚାଣ୍ଡେ କେଉଁଆଡ଼େ,

ହେଉପଛେ ଜାତମୃତ ୨ ସେ ଆଲୋକ ଫୁଲ,

ମାତ୍ର ତାର ମହାଶୋଭା ମହାର୍ହ ସମ୍ପତ୍ତି,

୧- ମୂହୁର୍ତ୍ତ । ୨- ଜାତ ମାତ୍ରେ ଯେ ମୃତ ହୁଏ ।

 

ବଳେ ସେ ଶୋଭାର ମୂଲ୍ୟ କୋଟି କୋହିନୂରୁ ।

ଏକାଳେ ନୀରବ ସର୍ବେ, ଉଠୁଛି କେବଳ

ସାଏଁ ସାଏଁ ସ୍ୱନ, ଏ କି ନିଶାର ଗର୍ଜନ ?

ପ୍ରକୃତି ତାପସୀ ଅବା ବସି ନିକାଞ୍ଚନେ

 

ଉଚ୍ଚାରେ ଅନୁଚ୍ଚ ସ୍ୱରେ ପ୍ରଣବ ମନ୍ତର,

ସେ ଅମୃତ ପୂଣ୍ୟସ୍ୱର ଉଠି ଊର୍ଦ୍ଧ୍ୱଦେଶେ

ଖେଳିବୁଲେ ମହେନ୍ଦ୍ରର ଶୃଙ୍ଗେ ଶୃଙ୍ଗେ ଯାଇ ।

 

କେତେଜ୍ଞାନୀ, କବି, ଯୋଗୀ, ସନ୍ନ୍ୟାସୀ, ବୈରାଗୀ,

ପୂଜୁଥିଲେ ଏ ପର୍ବତେ ମହାତୀର୍ଥ ମଣି,

ହୋଇଣ ବଞ୍ଚିତ ସେହି ସାଧୁ ସହବାସୁ

ସ୍ମରି ଗତ ଗୌରବର ଶ୍ଲାଘ୍ୟତରା ସ୍ମୃତି

ଢାଳୁଛି କି ଖେଦେ ଗିରି ହତାଶ ପ୍ରଶ୍ୱାସ !

କିମ୍ବା ଏ ମହେନ୍ଦ୍ର ଯେଣୁ ଉତ୍କଳନନ୍ଦନ,

ତେଣୁ ମାତ-ବେଦନାରେ ଲଭି ଗୁରୁବ୍ୟଥା-

ନିଦାରୁଣ ମନକ୍ଷତ, ବାଷ୍ପରୁଦ୍ଧ କଣ୍ଠେ

କରୁଛି କି ହାହା ଧ୍ୱନି ଅସ୍ଫୁଟେ, କରୁଣେ,

ବିସର୍ଜି ଶୋକାଶ୍ରୁ କ୍ଷୋଭେ, ହିମବିନ୍ଦୁ ଛଳେ ।

ସର୍ବବିଧ ଉନ୍ନତିର ସମନ୍ୱୟ କେନ୍ଦ୍ର

ଥିଲା ଯେ ଉତ୍କଳ, ଏବେ ନଗଣ୍ୟା ସେ ହାୟ !

ସଂଗଠିତ ପିଣ୍ଡ, ପ୍ରାଣ ଯାର ଅନ୍ନଜଳେ,

ମାତୃମାତା ମହାମାତା ସେ ମାତୃମହୀର

ଦୁଃଖେ ନ ଝରାଏ ଅଶ୍ରୁ ଯେ ଅକୃତଜ୍ଞ ସୁତ,

ନାହିଁ ତାର ନେତ୍ର, ନୁହେଁ ଜନନୀ ତାହାର

 

ପୁତ୍ରବତୀ, ଭାଗ୍ୟହୀନା ଚୀରବନ୍ଧ୍ୟା ସେହୁ ।

ମହେନ୍ଦ୍ର, ନିର୍ଜନ ଭେଟ ଲଭିଛି ଏକ୍ଷଣି,

 

ଆଶ୍ରିଲେଣି ନିଦ୍ରା ଅଙ୍କ ସମସ୍ତ ସଙ୍ଗୀଏ,

ଆନ ସଙ୍ଗୀ-ସଂସାରର ଚିନ୍ତା ରହିଲାଣି

ତଳେ, ନୁହେଁ ସାଧ୍ୟ ତାର ଏତେ ଉଚ୍ଚେ ଉଠ

କଳୁଷିତ କରିବ ତୋ ଦେବସ୍ତୁତ ଦେହ,

 

ବନ୍ଧୁର ପିଚ୍ଛିଳ ତୋର କର୍କରିଳ ପଥେ

ହାବୁଡ଼ି, ପଡ଼ିଲା ଦୁଷ୍ଟ ନିର୍ଘାତେ କଚାଡ଼ି,

ପଙ୍ଗୁ ହୋଇ ସେହିଠାରେ ରହିଗଲା ତହୁଁ ।

ନାହାନ୍ତି ତ ଆଉ କେହି, ପଚାରିବି କିଛି

 

କହିବୁ କରୁଣା ବହି ଘେନି ମୋ ବିନୟ,

ତୁ ସର୍ବଜ୍ଞ, ସର୍ବଦର୍ଶୀ, ଘନଦୂତେ ତୋର

କାମଗତି, ନାହିଁ ସ୍ଥାନ ଅଗମ୍ୟ ତାଙ୍କର

ତ୍ରିଭୁବନେ, ଯେଉଁ ଗୁପ୍ତ ଅଜ୍ଞାତ ପ୍ରଦେଶେ

 

ହୁଏ ଭାଗ୍ୟ ଭଙ୍ଗାଗଢ଼ା, ସେ ଦେଶ ସମ୍ବାଦ

ଦିଅନ୍ତି ସେମାନେ ଆଣି ତୋତେ ପ୍ରତିଦିନ,

 

ଏଣୁ ତୁ ରେ ଗିରମଣି ଭାଜନ ସର୍ବଥା

ମୋର ଏ ପ୍ରଶ୍ନର ଯଥା ଉତ୍ତର ପ୍ରଦାନେ ।

 

କହ କେବେ କଳି ହେବ ସତ୍ୟ, ଧରା ହେବ

ସ୍ୱର୍ଗ, ନରେ ହେବେ ଦେବ, ସେ ଶୁଭ ଦିନର

ଶୁଭ ଆଗମନ ଆଉ ଅଛି କେତେ ଦୁରେ ?

ସୁପ୍ତି-ମୌନା ମାତୃମହୀ ଲଭିବ ଚେତନା

କେତେ କାଳେ, ମହାସତ୍ତ୍ୱ ମହାପ୍ରାଣ ତୁହି,

 

ଆବର ତୁ ପୂର୍ଣ୍ଣ, କହ କେତେ କାଳ ପରେ

ତୋହ ଗୁଣଧାରୀ, ପୂର୍ଣ୍ଣ, କଳାବନ୍ତ ନରେ

ମଣ୍ଡିବେ ଉତ୍କଳ-ଅଙ୍କ, ଉଠିବ ସେ ହସି ।

ଉତ୍କଳ-ବାଲ୍ମୀକି ବ୍ୟାସ-ଦାସ ବଳରାମ,

 

ଜଗନ୍ନାଥ, ଶୂଦ୍ରମୁନି ସାରଳା ପ୍ରଭୃତି

କେବେ ଫେରି ଆସି ପୁଣି ଜାଳିବେ ଉତ୍କଳେ

ଧର୍ମର ଆୟତ ବର୍ତ୍ତି, ଦେଖାଇବେ ପଥ

ବିଷୟ-ଅନ୍ଧାରବଣା ମାନବ ସମାଜେ ?

 

ଉତ୍କଳର କାଳିଦାସ-ଭଞ୍ଜ, ଭବଭୂତି-

ଦୀନକୃଷ୍ଣ-ସାରସ୍ୱତ ପ୍ରତିଭା-ପ୍ରତିଭୁ,

କେବେ ଆସି ବଜାଇବେ କାବ୍ୟ-କୁଞ୍ଜବନେ

ଉଚ୍ଚାଟ ମୁରଲୀ, ଶୁଣି ସେ ମୋହନ ଧ୍ୱନି

 

ଧାଇଁବେ ଭାରତୀଭକ୍ତ-ଗୋପାଳ ଗୋପିକା

ଜାତୀୟ-ସାହିତ୍ୟରୂପ ବୃନ୍ଦାବନ ଧାମେ,

କଳ୍ପନା-ଯମୁନା ସ୍ରୋତ ବହିବ ଉଜାଣି,

ଯାଇଥିଲେ ନିର୍ମାଣି ସେ ସାହିତ୍ୟକ୍ଷେତ୍ରରେ

 

ଯେ ବିରାଟ ମହାସୌଧ, ଜୀର୍ଣ୍ଣ ତାହା ଏବେ,

ସେହି ଉପାଦାନେ ଘେନି ଗଢ଼ିବେ ଆବର

ଉତ୍କଳ-ବାଣୀଙ୍କ ରମ୍ୟ ସୁବର୍ଣ୍ଣ ମନ୍ଦିର ।

କେତେ କାଳେ ପ୍ରତ୍ୟାବୃତ୍ତ ହେବେ ପୁନ ରପି

 

ଉତ୍କଳେ ମିହିର କଳ୍ପ ପଠାଣି ସାମନ୍ତ,

ଅଦ୍ଭୁତ ପ୍ରତିଭା-ଶିଖା ଉଠିବ ପ୍ରଜୁତି,

ଚାହିଁବ ତାଟଙ୍କା ନେତ୍ରେ ପାଶ୍ଚାତ୍ୟ ଭୁଖଣ୍ଡ

ସଭ୍ୟ, ସମୁନ୍ନତ, ସେହି ମହାଶିଖା ପ୍ରତି,

 

ନିରେଖନ୍ତି ଯଥା ହର୍ଷେ ଦର୍ଶକନିଖର

ଆକାଶେ ଉଡ୍ଡୀୟମାନ ପ୍ରଦୀପପଞ୍ଜରୀ । ୧

କେବେ ଖ୍ୟାତି-ବିହଙ୍ଗମ ଉତ୍କଳ ମାତାର

ଉଡ଼ିବ ସୁବର୍ଣ୍ଣ ପକ୍ଷ ବିସ୍ତାରି ଚୌଦିଗେ,

୧ - ଉଡ଼ା ଫାନସ

ଜଳିବ ପ୍ରଖରେ ପୁଣି ଗତ ଗୌରବର

ନିର୍ବାଣ ପ୍ରଦୀପ, କେବେ ଏ ଆତ୍ମବିସ୍ତୃତି

ଓଡ଼ିଆ ଜାତିର ଯିବ କ୍ଲୀବଜାତି ଆଖ୍ୟା,

କେବେ ବହି ସମୁନ୍ନତି-ବସନ୍ତ-ପବନ

ଉଡ଼ାଇବ ପ୍ରାଣାଗ୍ନିରୁ ନିରୁଦ୍ୟମ ଭସ୍ମ-

ଆବରଣ, ହେବେ କର୍ମେ ନିରତ ସରବେ ।

ଶ୍ରବଣେ ବ୍ୟାକୁଳ ମୁହିଁ, କହି ଧାତିକାରେ

ପୂର୍ଣ୍ଣ କର ମହେନ୍ଦ୍ର ମୋ ଉଦ୍‌ଭ୍ରାନ୍ତ ବାସନା ।

କି କହିଲୁ- ‘‘ଟଳମାନ ଭାଗ୍ୟ ସଦା ଭବେ,

ଯେସନ ବେତସ ଲତା ଅସ୍ଥିର ମୋ ଦେହେ,

ଦୃଶ୍ୟମାନ ବିଶ୍ୱେ ସର୍ବେ ଆବର୍ତ୍ତନଶୀଳ-

ଗ୍ରହତାରା ରବିଶଶୀ ଦିବାରାତ୍ରି ଆଦି,

 

ଖାଲି କି ଉତ୍କଳ ଭାଗ୍ୟ ସ୍ଥାଣୁ ନିଷ୍ପନ୍ଦନ ।

ଉତ୍ଥାନ ପତନ ପୁଣି ଧ୍ୱଂସ ବିସୃଜନ

ଗୁନ୍ଥା କ୍ରମେ ମାଳାକାରେ, ନିୟତି-ସୂତ୍ରରେ,

ଘୂରୁଛି ସଂସାର ଚକ୍ର ରଥପାଦ ୨ ପ୍ରାୟ,

୨ - ଚକ

ସେହି ଘୁର୍ଣ୍ଣାବର୍ତ୍ତ, ଦିନେ ଆଣିବ ନିଶ୍ଚୟ

ଉତ୍କଳ ଅତୀତ ଭାଗ୍ୟ-ଅତୀତ ଗୌରବ,

ପ୍ରସବିବ ଏ ଉତ୍କଳ ଶତ ଶତ ଭଞ୍ଜ,

ସହସ୍ର ସାରଳା, କବିସୂର୍ଯ୍ୟ କୋଟି କୋଟି,

ହେବ ସେ ଉନ୍ନତି ଗର୍ବେ ପୁଣି ଗରବିଣୀ ।’’

ପାହିଲା ରଜନୀ, ହେଲେ ନିଷ୍ପ୍ରଭ ତାରାଏ,

ନିଷ୍ପ୍ରଭ ଯେସନ ଶୋକି-ବଳାତ୍କାର-ହାସ,

ଅଥବା ବିଧବା ମୁଖ କିମ୍ବା ବୃଦ୍ଧ ନେତ୍ର ।

ରାବିଲା ବାୟସ ଉଚ୍ଚେ, ଶୁଣି ସେ ଆରାବ

ଲୁଚିଗଲେ ନିଶାଚର ଜନ୍ତୁଏ କେ କାହିଁ,

ଅବଧାନ ତୁଣ୍ଡ ଶୁଣି ଚାଟପିଲା ପ୍ରାୟ,

ଅଥବା ଖାତକ ଯଥା ସାହୁକାର ଡାକେ ।

ଗୁନ୍ଥିଲା ଲୋତକ-ହାର ବନସ୍ପତି ଜେମା-

 

କୁସୁମ-ସୁନ୍ଦରୀ, ସୌମ୍ୟ ସୁକୁମାରଅଙ୍ଗୀ

ମୋତିଜ୍ୟୋତିଃ ହିମବିନ୍ଦୁବ୍ୟାଜେ, ଉଦେ ହେଲେ

ଦିନମଣି, ବ୍ରହ୍ମଦର୍ଶୀ ସପ୍ତର୍ଷି ମଣ୍ଡଳୀ

ସମାପି ମାନସ ସ୍ନାନ, ତୋଳି ସ୍ୱର୍ଣ୍ଣପଦ୍ମ

 

କରନ୍ତି କି ବ୍ରହ୍ମପୂଜା, ପ୍ରାତ୍ୟହିକ କୃତ୍ୟ ।

ହିରଣ୍ମୟ-କର-ହାର ଫେଇ କଣ୍ଠୁ ରବି,

ଦେଲେ ସ୍ନେହେ ବିଲମ୍ବାଇ ଧରଣୀ ବକ୍ଷରେ,

ସେ ଶୋଭା ରଙ୍ଗାଇ ଦେଲା ସୁବର୍ଣ୍ଣ ରଙ୍ଗରେ

 

ଦର୍ଶକ-ଦିଦୃକ୍ଷା, କରି ପ୍ରାଣମୟୀ ତାକୁ ।

ଚିର ଶୋକଶିଷ୍ୟା ତ୍ରୌଞ୍ଚୀ ଗାଇଲା ସଜ୍ଞାନେ

କିବା ଅନ୍ତଃର୍ବେଦନାର କରୁଣ ସଙ୍ଗୀତ

ଆକୁଳ ଉଦାସ ସ୍ୱରେ, ଅଶ୍ରୁହୀନ ଶୋକେ,

 

ସେ ଅନନ୍ତ ଆର୍ତ୍ତନାଦେ ବ୍ୟଥିତ ପ୍ରାଣର

କି ସଂକ୍ଷିପ୍ତ ଇତିହାସ କଲା ପରିବ୍ୟକ୍ତ

କାହା ଆଗେ, କି ଆଶାରେ, କେ ବୁଝିବ ତାହା,

ନାହିଁ ହାୟ ନେତ୍ରେ ଅଶ୍ରୁ, ଆସିବ ବା କାହୁଁ;

 

ମହା ଦୁଃଖେ ଯାଇଛି ତା ବସି ଘନ ହୋଇ,

ଅଶ୍ରୁଶୂନ୍ୟ ଶୋକ ବଡ଼ ଅସହ୍ୟ, କଠୋର,

ଶୋକ ନୁହେଁ- ମୂର୍ତ୍ତିମନ୍ତ ଯମଦୂତ ତାହା ।

ବନ ମଧ୍ୟେ ଲୁଚକାଳି ଖେଳି ଖତମାଳ

 

କଲା ଗିରି ପ୍ରଦକ୍ଷିଣ ଧୁମାକାରେ ଉଡ଼ି,

ଜରତ ପର୍ବତଶିରେ କି ସେ ପକ୍ୱକେଶ,

କିମ୍ବା ଧୂମ୍ର ନଦୀ ବହେ ଧୂମ୍ର ସ୍ରୋତେ ପୂରି ।

ଶେଷେ କ୍ଷୁଦ୍ର ମୂର୍ତ୍ତି ଧରି ରହିଲା ଶିଖରେ,

 

ଦେଖି ତାହା ପ୍ରତେ ହେଲା ମାନସେ ଏସନ,

ଚାପୁଛନ୍ତି ବାମନ ବା ବଳିକି ପାତାଳେ !

ଦିବାଲୋକେ ରାଜବସା ଦିଶିଲା ସୁସ୍ପଷ୍ଟ,

ଅହୋ, କି ନିବିଡ଼ି ବନ, ଗଭୀର ଶ୍ୟାମଳ,

 

ଭୀମକାନ୍ତ, ଶାନ୍ତିଦେବୀ, ଧ୍ୟାନମଗ୍ନା ତହିଁ

ମୁଚୁକୁନ୍ଦ, ଉଲ୍ଲାତକ, ରିଠା, ମେରୁଶୃଙ୍ଗା,

ସୁନାରୀ, ତିନ୍ଦୁକ, ଆମ୍ର, ସଲପ, ତମାଳ,

କୁଟଳ, କରଞ୍ଜ, ଧଉ, ନଖୀ ୧, ବଂଶୀଧାରୀ ୨

ନିର୍ମଳା, ଟାଙ୍ଗିଣୀଚମ୍ପା, ଶିଆଳୀ, ପିପ୍‌ପଳୀ,

 

୧ - ଏକ ପ୍ରକାର ବୃକ୍ଷ । ଏହି ବୃକ୍ଷର କାଠ ତେଲରେ ପକାଇ ସିଦ୍ଧ କଲେ

ତେଲର ସ୍ୱାଭାବିକ ଗନ୍ଧ ନଷ୍ଟ ହୁଏ ।

୨ - ବକ୍ଷବିଶେଷ । ଏହାର ଫଳ ବଂଶୀପ୍ରାୟ ।

 

ଗିରିଗୁଡ଼କଙ୍କ, ମାଣ, କୁରୁବକ ଆଦି

ତରୁ ଲତା ଗୁଳ୍ମକାଳେ ହୋଇ ଖୁନ୍ଦାଖୁନ୍ଦି

ରୋଧୁଅଛି ଦୃଷ୍ଟିରେଖା, ଥାଉ ଆନ କଥା,

ନ ପାଇ ନିର୍ଗମ ପଥ ସମୀରଣ ତହିଁ

 

ଘୂରିବୁଲେ ଇତସ୍ତତଃ ସନସନ ସ୍ୱନେ,

ଘୂରିବୁଲେ ମଶା ଯଥା ମଶାରି ମଧ୍ୟରେ

ଘୁଣୁ ଘୁଣୁ ସ୍ୱରେ, ଖରେ ଜୀବନ ବ୍ୟାକୁଳେ ।

ଗିରିରାଜ ମହେନ୍ଦ୍ରର ରାଜଧାନୀ କି ସେ,

 

ନିର୍ଝର ସାଚିବ୍ୟ କରେ ଝର୍ଝର ନିନାଦେ,

ଶ୍ୱାପଦ ପିଆଦା ତହିଁ, ସ୍ୱଭାବେ ସେ ଖଳ,

ପୀଡ଼େ ଯେଣୁ ହରଣାଦି ନିରୀହ ପ୍ରଜାଙ୍କୁ

ବିନା ଦୋଷେ, କ୍ଷମେ ତାକୁ କ୍ଷମାମୟ ଗିରି,

 

ମାତ୍ର କି କ୍ଷମନ୍ତି କେବେ ଗିରି-ଅଧିକାରୀ

ଶ୍ରୀନିବାସ ରାଜମଣି, ବୀର ଜଗଜ୍ଜେଠୀ,

ଅମୋଘ ତାଙ୍କର ଲକ୍ଷ୍ୟ, ଅର୍ପନ୍ତି ସେ ଦଣ୍ଡ ।

ନ୍ୟାୟନ୍ୟାୟ-ଭେଦଶୂନ୍ୟ କ୍ଷମାର ସ୍ୱଭାବ,

 

ମାତ୍ର ନୁହେଁ ଧର୍ମର ସେ ଧାରା, ଧରି ସେହୁ

ନ୍ୟାୟ-ନିକ୍ତି, ଅର୍ପେ ଯୋଗ୍ୟ ଶାସ୍ତି ଦୋଷୀ ପ୍ରତି ।

 

ବାହାରିଲି ସମୁତ୍ସୁକେ କାନନ ଭ୍ରମଣେ,

ପାନବୁୟା ୩ ଆଗେ ଆଗେ କଢ଼ାଇଲା ବାଟ,

କୋଳି ବିକିବାକୁ ଯାଇ ପୁଳିନ୍ଦ ୪ ଯେସନ

ଦେଖି ଆସେ ରଥାଯାତ୍ରା, ଦେଖିଲି ତେସନ

୩ - ରାଜବସାର ରକ୍ଷକ ଜନୈକ ଶଉରା । ବୃୟା ସମ୍ଭବତଃ ତୁୟ । ଶବ୍ଦଳ ।

୪ - ଶବର ।

 

ମହାଦୃଶ୍ୟ-ସ୍ୱର୍ଣ୍ଣମୁଦ୍ରା ବିଚିତ୍ର ତେସନ

ଶିଳାସ୍ତୁପ ରନ୍ଧ୍ରୁ ଝରି ବହୁ ଜଳଧାରା

ଆସୁଅଛି କ୍ରମନିମ୍ନ ସୋପାନେ ଓହ୍ଲାଇ

ମଧୁର ଭୈରବ ରବେ, ବହୁଛି କି ଆହା

 

ଧୁର୍ଜଟି ଜଟିଳ ଜଟା ଭେଦି ଭାଗୀରଥୀ

ସହସ୍ର ପ୍ରବାହେ, ବେଗେ ଭୁଜଗ ଗତିରେ ।

ସ୍ୱଚ୍ଛ ଶୁଭ ଜଳ, ଯଥା ତରଳ ହୀରକ,

ଆକଣ୍ଠ ସଳିଳ ଭେଦି ଦିଶେ ଜକଜକ

 

ନିମ୍ନସ୍ଥ ଶୁକ୍ତିବା, ଶଙ୍ଖ, ଲୋହିତ କର୍କଟ,

ଖେଳୁଛନ୍ତି କ୍ଷୁଦ୍ର ମୀନେ ସୁଧୀରେ ସନ୍ତରି-

କେହି ଶୁକ୍ଳ କେହି କୃଷ୍ଣ କେହି ବା ଲୋହିତ,

ଅଙ୍ଗୁଳି ତାଡ଼ନେ ନାହିଁ ଭୀତି କି ଭ୍ରୁକ୍ଷେପ,

 

ନିର୍ଜନ ଅଗମ୍ୟ ସ୍ଥଳୀ, ଅଜ୍ଞାତ ଏଠାବେ

ମାନବ ପ୍ରଭାବ, ତେଣୁ ଏ ଗାରିମା ସିନା ।

ଆଗ୍ରହ ବ୍ୟାକୁଳ ନେତ୍ରେ ହେରି ସେ ମାଧୁରୀ

କଲି ନିମ୍ନେ ଗତି ମୁହିଁ ନିମ୍ନଗା ସହିବେ

 

ଦୁଷ୍‌କର୍ମୀ ପରାଏ; ବସିଛି କି ବେନି ତୀରେ

ଶାନ୍ତିବୋଳା ହୃଦହରା ସୁଷମା-ବିପଣୀ,

କାହିଁ ତୁଙ୍ଗ ଉଡ଼ୁମ୍ବର ଉଭା ଦୈତ୍ୟପ୍ରାୟ,

ବୀଜ ତା ସର୍ଷପୁ କ୍ଷୁଦ୍ର ଦେଖି ମାଡ଼େ ହସ,

 

କରିଛି କି ହିମାଳୟ ମୂଷିକ ପ୍ରସବ ।

ମଣ୍ଡିଛି କୋଚିଳା ଅଙ୍ଗେ ପ୍ରବାଳ ପଲ୍ଲବ,

ଲେଖିଛି ବା ବିଧି-କବି ଲୋହିତ ଅକ୍ଷରେ

ବାଛି ବନ-ମହାକାବ୍ୟୁ ଅଳଙ୍କାରମାଳା,

 

ମାଡ଼ିଛି ତମାଳ ଲତା-ଶ୍ୟାମଙ୍ଗୀ ତହିଁରେ,

ଦେଇଛି କି ସତୀ ନାରୀ ଅଗ୍ନିକୁଣ୍ଡେ ଝାସ,

ପ୍ରତିଫଳ ରକ୍ତପତ୍ର ତରଙ୍ଗିଣୀ ବକ୍ଷେ

ଆଭାସେ ଏସନ, ଆହା ତଟିନୀ ସୁନ୍ଦରୀ,

 

ଖୋଷିଛି ବେଣୀରେ ଅବା ମନ୍ଦାର କୁସୁମ ।

ପଡ଼ିଛି ବିଞ୍ଛୁଡ଼ି ହୋଇ କେତେ ଝିଙ୍କପକ୍ଷ

ସୂତାଗୁଡ଼ା କୃଷ୍ଣଲୌହ ତାକୁଡ଼ୀ ପରାୟେ । ୧

ବୁଲୁଛନ୍ତି ଦଳେ ଦଳେ ପଥର କଇଁଛ ୨

୧ - ଅରଟ ଯନ୍ତ୍ରର ଅଙ୍ଗବିଶେଷ ।

୨ - ସ୍ଥୁଳକରିମ ।

 

ରକ୍ତାକାନ୍ତ, କୃଷ୍ଣବର୍ଣ୍ଣ ପାଷାଣ ପୃଷ୍ଠରେ,

ବୁଲନ୍ତି ପ୍ରାବୃଟେ ଯଥା ଇନ୍ଦ୍ରଗୋପପୁଞ୍ଜ

ସୁଶ୍ୟାମଳ ଦୂର୍ବାକୀର୍ଣ୍ଣ ପ୍ରଶସ୍ତ ପ୍ରାନ୍ତରେ ।

ଶୋଇଅଛି ଗଡ଼ଘାଲି ୩ କାହିଁବା ସୁଆର

୩ - କଡ଼େଇ ହୋଇ ।

 

ବିଶାଳ ପିଆଳ ୪ ତଳେ, ପତି ପଦ ପ୍ରାନ୍ତେ

ସତୀରୂପେ । କାହିଁ ଅବା ପ୍ରକାଶ ବ୍ରତତୀ

ମଣ୍ଡିହୋଇ ଅଭ୍ର ଜ୍ୟୋତି ଦିଶେ ଜ୍ୟୋତିର୍ମୟୀ ୫

ଖେଳୁଛି କି ବ୍ୟୋମଲତା ୬ବନଲତା ସହ ?

୪ - ପିଆଶାଳ

୫ - ରାଜବସା ନିକଟରେ ଅଭ୍ର ଖଣି ଅଛି ।

ଅଭ୍ରପ୍ରଭାରେ ଲତାପଳାଶମାନ ଅଗ୍ନିଲତା ପ୍ରାୟ ଦେଖାଯାଏ ।

୬ - ବିଜୁଳି

 

ନ ଚଳିଲା ପଦ ଆଉ, ନ ଚଳିଲା ଦୃଷ୍ଟି,

ଅନ୍ଧକାରମୟ ସ୍ଥଳ, ପ୍ରତେ ହୁଏ ଯଥା

ଅରଣ୍ୟର ଅନ୍ତଃପୁର କିମ୍ବା ସନ୍ଧ୍ୟା ରାଜ୍ୟ ।

ଧରିଛି ତଡ଼ାଗାକାର ଶିଳାରୁଦ୍ଧ ସ୍ରୋତ,

 

ନିର୍ମଳ ସଲିଳରାଶି, କାକଚକ୍ଷୁ ଯଥା,

ସମ୍ଭାଳି ନ ପାରି ତହିଁ ଉଦ୍‌ବେଳ ଆକାଙ୍‌କ୍ଷା

ପଡ଼ିଲି ଉଲ୍ଲମ୍ଫି, ଯେହ୍ନେ ମାତୃକୋଳେ ଶିଶୁ,

ପାଇଲେ ଏ ଭଳି ମାତୃକ୍ରୋଡ଼ ପ୍ରକୃତିର,

 

କ୍ଲାନ୍ତିହର, ଶାନ୍ତିକର, ଶୀତଳ, କୋମଳ,

କେ ନ ଇଛେ ଅଶୈଶବେ ହେବା ପାଇଁ ଶିଶୁ ?

ବିକଟ ବିବିକ୍ତ ବନ, ଦୁଯେ ସେ ନିପାନ ୭

ଆର୍ଦ୍ର ପଥେ ପଡ଼ିଅଛି ପଶୁପଦ ଚିହ୍ନ,

୭ - ପଶୁମାନଙ୍କ ଜଳ ପିଇବା ଘାଟ ।

 

ମୃଗୟାର ଯୋଗ୍ୟ ସ୍ଥାନ ଜାଣି ମୃଗୟୁଏ

ଜଗନ୍ତି ଅଲକ୍ଷ୍ୟେ ତହିଁ ପ୍ରସ୍ତର ଉହାଡ଼େ,

ଧରି ହସ୍ତେ ମୃତ୍ୟୁବାଣ- ମୃତ୍ୟୁଉପରୂପୀ ।

 

ଚତୁର୍ଥ ସର୍ଗ

 

ଛାୟା ଆସି ପାଦତଳେ ପଶିଣ ଶରଣ

ଜଣାଇଲା ମଧ୍ୟାହ୍ନର ଆଗମ ସଙ୍କେତ,

ହେଲା ରୌଦ୍ର ରୁଦ୍ରଦନ୍ତ ତୀର୍ଣ୍ଣୁ ତୀକ୍ଷ୍ଣତର,

ଡାକଦେଲା ଊର୍ଦ୍ଧ୍ୱୁ- ‘‘ଜଳପିଇପି’’ ଉଚ୍ଚାରି

 

ସ୍ୱନାମପ୍ରସିଦ୍ଧ ପକ୍ଷୀ ଉଚ୍ଚାଟ ଭାଷାରେ ।୧

ପାଦପୁ ପଳିତ ପତ୍ର ଖସାଇ ପବନ

ଉଡ଼ାଇଲା ସୂତ୍ରଶୂନ୍ୟ ଘୁଡ଼ି, ଶିଶୁ ଯଥା

କିରତି କାଗଜେ ଚିଲ ଉଡ଼ାଏ କୌତୁକେ ।

 

୧ - ପକ୍ଷୀବିଶେଷ । ଏ ପକ୍ଷୀ ‘‘ଜଳପିଇପି’’, ‘‘ଜଳପିଇପି’’ ବୋଲି ଶବ୍ଦ କରେ ।

 

ଝିଙ୍କାରୀ ନିଃସ୍ୱନ ଘନେ ଶୁଭିଲା ଚୌଦିଗେ,

ଆହା କି ଲଳିତ ସ୍ୱର, ବାଜେ କି ମଧୁରେ

ମଧ୍ୟାହ୍ନ-ନୃପତିଙ୍କର ନର୍ତ୍ତକୀ ଘୁଙ୍ଗୁର ।

ଦରବୁଜା କରି ଆଖି ଶୋଇଲା ଶିଅଳୀ ୨

 

୨ - ମଧ୍ୟାହ୍ନ ସମୟରେ ଶିଆଳୀ ଲତାର ପତ୍ର ଯୋଡ଼ିଯାଏ । ଏହାର ଫଳ ଅସ୍ତ୍ରର ଫଳା ତୁଲ୍ୟ ।

ବୀରନାରୀ, ଅସ୍ତ୍ରଫଳ -ଫଳେ ବିମଣ୍ଡିତା ।

ଏ ସମୟେ କଲି ଯାତ୍ରା ସହଯାତ୍ରୀ ସହ

ଗିରିପଥେ, କିଛି ଦୁର ହୋଇ ଅଗ୍ରସର

ଚାଲିଲୁଁ ଚାକୁନ୍ଦାବଣେ, ବୁଡ଼ି ତା ଗରଭେ,

ମାଡ଼ିଛି ମଞ୍ଜୁଳେ କେତେ ବନ୍ୟ କର୍କଟିକା ୩

ଧରି କୋଳେ ଫୁଲ ଫଳ, ଦେଖି ଫଳ ତାର

ଝୁରିବ ରସନା, ମାତ୍ର ବଡ଼ ପିତା, ଯଥା

ଶତ୍ରୁ ଆର୍ଶୀବାଦ କିମ୍ବା ଅଧମ ବନ୍ଦନା ।

୩ - ବଣକାକୁଡ଼ି ।

‘‘ଗୁରୁଙ୍ଗୀ’’ ଶବରପଲ୍ଲୀ ରଖିଣ ଅଦୂରେ

ପଶିଲୁ ସକଳେ ଯାଇ ଗହନ ବିପିନେ,

ଅତୀବ ସଂକୀର୍ଣ୍ଣ ପଥ ଦୁଯେ ଦୁରାରୋହ,

ବେନି ପାଶେ ଦୃଷ୍ଟି ରୋଧୀ ନିବିଡ଼ କାନ୍ତାର,

ନୀରବ, ନିସ୍ତବ୍‌ଧ, କିବା ତାହା ଯୋଗାଶ୍ରମ-

କରତୀ ଯୋଗିନୀବରା ନୀରବତାଙ୍କର ।

 

ଶୁଭିଲା ଭୀଷଣ ଶବ୍ଦ, ପ୍ରତେ ହେଲା ଯଥା
ମୃତ୍ୟୁର ନିଷ୍ଠୁର ରୁଦ୍ର ଅଭିଶାପ ବାଣୀ,

 

ଶୁଣି ସେ ବିକଟ ଶବ୍ଦ ଉଠିଲାକ ଚେଇଁ

ଚିତ୍ତ-ଗୃହ-ସୁପ୍ତ ଭୟ, ମିଶିଗଲା ତାହା

ପ୍ରତି ରକ୍ତ କଣିକାରେ । ହେଲା ଶତ ଛିନ୍ନ

ଜୀର୍ଣ୍ଣ ଜୀବନର ଶୀର୍ଣ୍ଣ ଧୌର୍ଯ୍ୟ ତାର ଖରେ ।

 

ବୁଲିଲା ଉଲଗ୍ନ ମୂର୍ତ୍ତି ଧରି ବିଭୀଷିକା,

ହେଲା ବୁଦ୍ଧି ଅସାଷ୍ଟମ, ହେଲି ଆତ୍ମହୃତ

ଆହା, ପୁଣି ଏ କି ଶୋଭା, ପଳାଇଲା ଭୟ,

(ଯେଉଁ ଶୋଭା ପଦେ ଶୌର୍ଯ୍ୟ ଖଟେ ଦାସପଣେ)

 

ଭୟ ତ ଶୌର୍ଯ୍ୟକୁ ଡ଼ରେ ଜୀବନ ବିକଳେ,

କି ସାହସେ ରହିବ ସେ ସେହି ଶୋଭା ଆଗେ ।

ଘୋଟିଛି ତମାଳ ଲତା ବନେ ଅନର୍ଯ୍ୟାପ ୪

କୃଷ୍ଣାଭ କୁଟ୍ମଳ- ବତୀ, ୫ ଶ୍ୟାମଙ୍ଗୀ ସୁନ୍ଦରୀ,

 

୪ - ଅସୀମ ।

୫ - କଢ଼ ଧରିଥିବା ଲତା ।

 

ଲେଖି ରଖିଅଛି ପରା ଏ ଅଭିନନ୍ଦନ

ପୂର୍ବରୁ ବସନ୍ତ ପାଇଁ ଧନୀ ଏ ବିଜନେ ।

ଆଗେ କଳା ଦାଗେ କରି ଅକ୍ଷର ଚିହ୍ନିତ,

ମଡ଼ାଉଛି ତା ଉପରେ ଦଳିତ ହିଙ୍ଗୁଳ,

ଆସିଲେ ବସନ୍ତ-ନୃପ, ଭେଟିବ ଛାମୁରେ ।

ସେ ଅଦ୍ଭୁତ ଦେବଲିପି ଅନ୍ୟର ଅପାଠ୍ୟ,

ଯେ ଲେଖିଛି, ତାହାର ସେ ହୃଦୟର ଭାଷା,

ପଠନେ ଭାଜନ ସେହି, ଆବର ଭାଜନ

ଯା ପାଇଁ ଲିଖିତ ସେହି ବିଜ୍ଞ ୠତୁରାଟ ।

ପ୍ରେମଲିପି, ପ୍ରେମଭାଷା ସ୍ୱତନ୍ତ୍ର ଜଗତେ,

ପଠନେ ସକ୍ଷମ ତାହା ପ୍ରେମିକ ପ୍ରେମିକା ।

ବିସ୍ତାରି ଉଦ୍ଦାମ ହାସ କେବଣ ସୁମନ

ବସି ବୃନ୍ତ-ସିଂହାସନେ, କିଞ୍ଚତ ୬ ଚାଳନେ

କରୁଅଛି ଆମନ୍ତ୍ରଣ ଅଳିକି ସରାଗେ,

ସଖୀର ଏ ରୀତି ହେରି ସଜନୀ ତାହାର ।

ଦେଉଛି ମୁରୁକିହସା, ବାତେ ଝୁଲି ଝୁଲି,

୬ - ଫୁଲ ପାଖୁଡ଼ା ।

 

ସେ ନିର୍ବାକ ପରିହାସ ପ୍ରଥମା ବଦନେ

ଦେଉଅଛି ବୋଳି ଆହା ଲଜ୍ଜା-ପାଟଳିମା

ରଜ ବ୍ୟାଜେ, ତହିଁ ଶୋଭା ଦ୍ୱିଗୁଣ ଝଟକେ ।

ଏ ଅନ୍ତେ ‘‘ହରିଡ଼ା ଘାଟୀ’’ ଉତୁରି ସକଳେ

 

ଗମିଲୁଁ ହରିଡ଼ାବଣେ କ୍ରମନିମ୍ନ ପଥେ,

ହେଲା ବାହକଙ୍କ ଗତି ଚୌଗୁଣ ଚଞ୍ଚଳ,

ପ୍ରତେ ହେଲା ତରୁରାଜି ଗତିଶୀଳ ପ୍ରାୟ,

ଦେଖାଉଛି କିଏ ଯେହ୍ନେ ବାୟସ୍କୋପ କ୍ରୀଡ଼ା

(ନବଯୁଗ-ଉଦ୍ଭାବିତ ଅଦ୍ଭୁତ କୁହୁକ)

 

ନେତ୍ର ଆଗେ କେତେ ଦୃଶ୍ୟ ଗଲା ଖରେ ଭାସି ।

ଊର୍ଦ୍ଧ୍ୱଚୂଡ଼ା ମଧ୍ୟଦେଶ ଆବରିଛି ଘନ,

ଜଡ଼ିତ ଲହଙ୍ଗା ଅବା ରୂପାଜରୀବୁଣା-

କାନନକମଳା ଅଙ୍ଗେ, ଅଥବା ବେଷ୍ଟିତ ।

 

ଶୁଭ୍ର ବହିବ୍ୟସ-ଗିରି-ବୈଷ୍ଣବ କଟୀରେ ।

କେତେ ଦୁରାନ୍ତରେ ପୁଣି ହେଲା ବୁଢ଼ୀଘାଟୀ

ଦୁର୍ଗମ, ଦୁର୍ଲଙ୍ଘ୍ୟ, ଅଛି ପ୍ରାଚୀନ ପ୍ରବାଦ-

ବୃଦ୍ଧା ଶବରୁଣୀ ଏକ ଉଠୁ ଉଠୁ ଏଥି

 

ଭାଙ୍ଗିଗଲା ଅଣ୍ଟା ତାର, ହେଲା ସେ ଗତାୟୁ,

ସେହି ଦିନୁ ବୁଢ଼ୀ ସ୍ମୃତି ଧରି ଏ ବକ୍ଷରେ

ବହିଅଛି ବୁଢ଼ୀଘାଟୀ ଅଖ୍ୟାତି ଅଭିଖ୍ୟା,

ଶଶେ ନାଶି ଶଶୀ ଯଥା ହେଲା ଶଶଧର ।

 

ଏଣିକି ବାରିଦରାଜ୍ୟ, ବସିଥାଏ ସଦା

ବାରିଦ ସମିତି, ନାଦ ଛଳେ ବେଳେ ବେଳେ

ହେଉଥାଏ ସମର୍ଥିତ ଆଗତ ପ୍ରସ୍ତାବ ।

ଆସିଲା ଆବରି ଘନ ଦେଖୁଁ ଦଖୁଁ ତ୍ୱରା,

 

ହେଲା ଶୀତ; ଥରିଗଲା ଦେହ, ସୁ-ସୁ ସ୍ୱର

ଶୁଭିଲା ସୁଦୂରେ, କ୍ରମେ ସେ ଶବ୍ଦଲହରୀ

ଆସିଲା ସତ୍ୱରେ ଧାଇଁ ଭେଦି ବନରାଜି,

ବାଜିଲା କି ଏକାବେଳେ ଶତ ଗ୍ରାମଫୋନ,

 

ବୈଜ୍ଞାନିକ ଗାନଯନ୍ତ୍ର-ଗାୟକ ପ୍ରତିଭୁ ।

ମିଶିଲା ତା ସଙ୍ଗେ ପର୍ଣ୍ଣ-ମର୍ମର ଝଙ୍କାର

ଉଠିଲା ସେ ସ୍ଥାନ ହୋଇ ଅତୀବ ମୁଖର,

ଯେସନ ପଣ୍ଡିତ ସଭା କିମ୍ବା ପାଠଶାଳା ।

 

ହେଲା ବୃଷ୍ଟି ଅଦୃଷ୍ଟରେ, ନ ପଡ଼ିଲା ଦେହେ,

କେବଳ ସଞ୍ଚିତ ହେଲା ପତ୍ରେ ଜଳକଣା,

କାନ୍ଦିଲେ କି ବୃକ୍ଷେ, ଝରେ ପତ୍ର-ନେତ୍ରୁ ନୀର ।

ଅହୋ, କି ଅଦ୍ଭୁତ, ଚାହୁଁ ଚାହୁଁ ଆସି କାହୁଁ

 

ତୀବ୍ର ଖରା, ପୋଛିଦେଲା ସେ ଲୋତକ ବିନ୍ଦୁ;

ପୋଛିଦିଏ ଆଶା ଯଥା ଦୁଃଖୀ ନେତ୍ରୁ ଅଶ୍ରୁ ।

ସେହିକ୍ଷଣି ବର୍ଷା, ଶୀତ, ସେହିକ୍ଷଣି ଖରା,

ତିନି ୠତୁ ଭୋଗ ତହିଁ ଏକଇ ମୁହୂର୍ତ୍ତେ ।

 

ଦେଖି ଦେଖି ନାନା ଦୃଶ୍ୟ ହେଲୁଁ ଅଗ୍ରସର,

ପଡ଼ିଲା ଧୂଳିଆ ଘାଟୀ ଧୂଳି-ଧୂସରିତ,

ବାୟୁର ପ୍ରବାହ ତହିଁ ସୃଜିଣ ଭଉଁରୀ

କରିଦେଲା ପାନ୍ଥକୁଳେ ଧୂଳି-ଜଳେ ସ୍ନାନ ।

 

ମହେନ୍ଦ୍ର ପରମ ଯୋଗୀ, ବିଭୂତି-ବିଭୂତି

ତାର, ଅବା ସେହି ଦୀକ୍ଷା ଦେଲା ଅଯାଚିତେ ।

ସହସା ଉଠିଲା ଥରି ମହା ଅରଣ୍ୟାନୀ

କ୍ଷିପ୍ତ ମହିଷକୁଳର ରୁଦ୍ର ଉପଦ୍ରବେ,

 

ଧାଇଁଲେ ସେ ଦ୍ରୁତପଦେ ଗର୍ଜି ଇତସ୍ତତଃ

ଲକ୍ଷ୍ୟହୀନ ଧୂମକେତୁ ପ୍ରାୟ, ଧାଉଁ ଧାଉଁ

କେହି ବା ପଡ଼ିଲା ଛନ୍ଦି ଲତାଜାମୁ ପାଶେ,

ପଡ଼ିଲା ହାବୁଡ଼ି କେହି ଝୁଣ୍ଟି ଖଣ୍ଡୋପଡ଼େ,

 

ଭୀତିମିଶା ବୀର ରସ ହେଲା ଅଭିନୀତ

ଏଥୁଅନ୍ତେ ବିଶ୍ରାମିଲୁଁ ପଞ୍ଚମ ଶିଖରେ,

ନିବସନ୍ତି ଏଥି ଦିବ୍ୟ ନିଶ୍ଚୁଳ ଦେଉଳେ

ଗୋକର୍ଣ୍ଣ-ଈଶ୍ୱର ଶିବ, ବହି ପାର୍ଥ ସ୍ମୃତି *

* ମହାଦେବଙ୍କର ଆକାର ଗୋକର୍ଣ୍ଣ ସଦୃଶ ।

 

ସ୍ମରି ସେ ଦେଉଳରାଜ ଅତୀତ ଯୁଗର

ଅତ୍ୟାଚାର- କଳାଦ୍ୱେଷୀ କଳାପାହାଡ଼ର,

ବଖାଣୁଛି ଅଦୃଷ୍ଟର କରୁଣ କାହାଣୀ

ନିର୍ବାହ ବାଣୀରେ, ତେବେ ଯାଉ ନାହିଁ ବ୍ୟଥା ।

 

ବୀରତ୍ୱର ଇତିହାସେ ଯାଙ୍କ ପୁଣ୍ୟ ନାମ

ସମୁଜ୍ଜୁଳ ସ୍ୱର୍ଣ୍ଣାକ୍ଷରେ ସର୍ବାଗ୍ରେ ଅଙ୍କିତ,

ସେହି ମହାମହେଷ୍ୱାସ ପାର୍ଥ ପୃଥ୍ୱୀଞ୍ଜୟ,

ଗଣ୍ଡାଭ୍ରମେ ଏ କାନ୍ତାରେ ବଧି ଗୋରୁ ଏକ,

 

ଯାଉଁ ଯାଉଁ ଧନୃହୂଳେ ବହି ତାର ଶବ

ସାଗରେ ନିକ୍ଷେପ ଅର୍ଥେ, ପଡ଼ିଲା ଏଠାରେ

ଛିଡ଼ି କର୍ଣ୍ଣ, ତହୁଁ ଧନଞ୍ଜୟ ସ୍ଥାପି ଏଥି

ଗୋକର୍ଣ୍ଣ ଈଶ୍ୱର ଶିବେ, ଅନନ୍ତ ପ୍ରତାପୀ,

 

ବିହିଲେ ଅଜ୍ଞାନକୁତ ପାପ ପ୍ରାୟଶ୍ଚିତ ।

ପଡ଼ିଲା ଶବର ପୁଣ୍ଟି, ପଡ଼ିଲା ଆବର

କୋଟି କୋଟି ରକ୍ତବିନ୍ଦୁ ବାରୁଆଁ ଗ୍ରାମରେ,

ବେନି ନାମେ ସଂସ୍ଥାପିତ ଶିବ ବେନି ସ୍ଥାନେ

 

ଯଥାକ୍ରମେ ପୁଟେଶ୍ୱର, କୋଟିଲିଙ୍ଗେଶ୍ୱର ।

ଫୁଟିଛି ଅଜ୍ଞାତ ଫୁଲ ଦେଉଳ ଚୌପାଶେ,

ପଡ଼ିଛି ବିଞ୍ଚୁଡ଼ି କିବା ପୁଣ୍ୟ ପବିତ୍ରତା !

ମଧ୍ୟେଁ ବିରାଜିତ ଶମ୍ଭୁ, ଦେଉଳ, ଭିତ୍ତିରେ

 

ନିବସନ୍ତି ତାହାଙ୍କର ପୁତ୍ର ପରିବାର,

ଦ୍ୱାରଦେଶେ ବିଖୋଦିତ ନବଗ୍ରହ ମୂର୍ତ୍ତି ,

ସମ୍ମୁଖେ ବିଶାଳକାୟ ବାସୁଆ ବଳଦ

ରହିଛି ଉନ୍ମୁଖେ ପ୍ରଭୁ ଆଜ୍ଞା ପ୍ରତୀକ୍ଷାରେ

ପୁରୋଭାଗେ ଖର୍ବକାୟ କୁନ୍ତୀ ଦେବାଳୟ

 

ଉଡ଼ାଇ ଶୈବାଳଗୁଚ୍ଛ-ପଳିତ କୁନ୍ତଳ,

ସ୍ଖଳିତ ଇଷ୍ଟକ ଦନ୍ତ ଦେଖାଇ ଆବର

ପ୍ରଦାନୁଛି ପାନ୍ଥେ ସ୍ୱୀୟ ବାର୍ଦ୍ଧକ୍ୟ ସୂଚନା ।

କି ସୁଢ଼ଳ କୁନ୍ତୀମୂର୍ତ୍ତି, ଚିରୋଜ୍ଜ୍ୱଳ, ତାହା-

 

ମାତୃତ୍ୱର-ଦେବୀତ୍ୱର ମହିମା-ମୟୂଖେ,

ଅଧରେ କରୁଣା ହାସ୍ୟ ହୋଇଛି ମୂର୍ଚ୍ଛିତ ।

ନିର୍ମାଣ-ନୈପୁଣ୍ୟ ପୁଣି ଭାବ ବ୍ୟଞ୍ଜନାରେ

ଦେଖାଇଛି କଳାକବି ୧ ଅଦ୍‌ଭୁତ୍ କଳ୍ପନା ।

୧ - ଶିଳ୍ପୀ

 

ନାହିଁ ଯେହ୍ନେ କୃତ୍ରିମତା, ନୁହେଁ ତା ପ୍ରତିମା,

ସ୍ୱାଭାବିକ ମାନବ ସେ, କାହା ଅଭିଶାପେ

ଯାଇଅଛି କ୍ଷଣପୂର୍ବେ ପାଷାଣ ପାଲଟି ।

କୁନ୍ତୀ ବାମେ ବିଷ୍ଣୁ ମୂର୍ତ୍ତି, ଭକ୍ତି ପ୍ରୀତିଚୋରା-

 

‘‘ଶ୍ରୀମହେନ୍ଦ୍ର ନାରାୟଣ’’ ଗିରି ଅଧିଷ୍ଠାତା,

ଶଙ୍ଖ, ଚକ୍ର, ଗଦା, ପଦ୍ମ ଶୋହେ ଚତୁଷ୍‌କରେ;

ଯୋଡ଼ହସ୍ତେ ଧ୍ୟାନମଗ୍ନ ସମ୍ମୁଖେ ସୁପର୍ଣ୍ଣ । ୨

ପାଷାଣ ଦେହଳୀ ଦେହେ ଲତା ଫୁଲ, ପକ୍ଷୀ

୨ - ଗରୁଡ଼ ।

ସୂଚୀରେ ଖୋଦିତ ପ୍ରାୟ ଦିଶେ ସୂକ୍ଷ୍ମତମ,

ଅବିକଳ ରଚି ଶିଳ୍ପୀ, କରିଛି ନିର୍ଜୀବ,

କିନ୍ତୁ ସେହି ନିର୍ଜୀବତା ପ୍ରଦାନିଛି ତାଙ୍କୁ

ଅନନ୍ତ ଅକ୍ଷୟ ନିତ୍ୟ ଜାଗ୍ରତ ଜୀବନ ।

ଅଦୁରେ ପାବନି ୩ ପାର୍ଶ୍ୱେ ଭଗ୍ନମୂର୍ତ୍ତି ସ୍ତୂପ,

ହାୟ, କାଳ ଖଣ୍ଡେ ଖଣ୍ଡେ ଭକ୍ଷି ମୂର୍ତ୍ତିଗୁଡ଼ି

ସାଇତିଛି ଅବଶିଷ୍ଟ ଭବିଷ୍ୟ ସକାଶେ ।

ଅଛି ଶିଳ୍ପ, କାହାନ୍ତି ସେ ଶିଳ୍ପୀ, ପଚାରିଲେ

ଶିଳ୍ପେ ଏହା, ଦେବେ ସେହୁ ନୀରବେ ଉତ୍ତର

କାହିଁ ସେ ସୁକାଳ, ଗୁଣ-ଗରିମା ପ୍ରଦୀପ୍ତ !

କୁନ୍ତୀ ନାମେ ଗୁନ୍ଥା କେତେ ଇତିହାସ ସ୍ମୃତି,

କୁରୁକ୍ଷେତ୍ର ଯୁଦ୍ଧ, ମହାଭାରତ ଆଖ୍ୟାନ,

 

କଳର କେନ୍ଦ୍ରୀଭୂତ ମହାଶକ୍ତି କୁନ୍ତୀ ।

ତାଙ୍କ ପରି ଭାଗ୍ୟବତୀ ସୁଦୀର-ପ୍ରସୂତି

ଦୁର୍ଲଭ ଭାରତେ ଏବେ, ଦୁର୍ଲଭ ଜଗତେ ।

କୁନ୍ତୀସ୍ନାନେ ପୁତା ଏହି କ୍ଷୁଦ୍ର ଚମ୍ପାଝର, ୪

୪ - ଗୋଟିଏ ଚମ୍ପାଗଛ ମୂଳରୁ ଏହି ଝରଣା ପ୍ରବାହିତ ।

 

ବରଣୀୟ ତୀର୍ଥ, ପ୍ରତି ପୁଷନ୍ତିରେ ତାର ୫

ମିଶିଅଛି କୁନ୍ତୀଦେବୀ ଶିବ ଆର୍ଶୀବାଦ ।

ଦେଖୁଁ ଦେଖୁଁ ଏହି ଦୃଶ୍ୟ ପଡ଼ିଲେଣି ଗଡ଼ି

କେତେବେଳୁ ବିଭାବସୁ ମହେନ୍ଦ୍ର ଶିଖରୁ,

୫ - ଜଳକଣା ।

 

ନ ପାରିଲି ଜାଣି ତାହା, ଦିବସ ଚଞ୍ଚଳ,

ଚାଲିଯାଏ ଅଲକ୍ଷ୍ୟରେ କରି ଆୟୁ ପାନ,

ବିଷୟ-ବ୍ୟାପୃତ ନର ନ ପାରେ ତା ଜାଣି ।

ତୁଟିଗଲା ଦୃଶ୍ୟନିଶା, ଭାଙ୍ଗିଗଲା ଲୟ,

 

ଊର୍ଦ୍ଧ୍ୱସାନୁ ଅଭିମୁଖେ କଲି ତହୁଁ ଗତି,

ହେବାରୁ ଅଦୃଶ୍ୟ ରବି ବେଳ ଥାଉଁ ଥାଉଁ,

 

ପ୍ରତେ ହେଲା କାଉଁଳିଆ ଢାଙ୍କିଲା ପରାୟେ ।

ନାହିଁ ଆଉ ଅରଣ୍ୟାନୀ, ଏଣିକି ଚାନ୍ଦିଆ,

 

ମହାପୁରାତନ ଗିରି, ବୟୋଧର୍ମେ ଅବା

ଯାଇଛି ଉପୁଡ଼ି ଚାର ଶିରୁ କେଶରାଶି ।

ମାତ୍ର ତହିଁ ଦିଶୁ ନାହିଁ ଗିରି ଅସୁନ୍ଦର,

ପ୍ରତ୍ୟୁତ ସେ ଶୋଭାବନ, ନ ଥାଉ ପଛକେ

 

ସେ ଶୋଭାରେ ପ୍ରାଣମୟୀ ତୀବ୍ର ତରଳତା,

ମାତ୍ର ନୁହେଁ କୋମଳତା-ଶୀତଳତାଶୂନ୍ୟ ।

ସୂକ୍ଷ୍ମ ସଂସ୍କରଣ ତାହା ସୁଷମା-ଗ୍ରନ୍ଥର ।

ପଥ ବେନି ପାର୍ଶ୍ୱେ କେତେ ସୁନ୍ଦରୀ ଅଏଳା ୧

୧ - ଲାଲ ବର୍ଣ୍ଣର ଧାତ୍ରୀ ଅଏଁଳା ।

 

ଧରି କରେ ସୁମଞ୍ଜୁଳ ପଦ୍ମରାଗମାଳା

ହୋଇଅଛି ଉଭା, ବହି ଉନ୍ମୁଖ ଆକାଙ୍କ୍ଷା,

ଆସିଲେ ତାହାର ପ୍ରିୟ ଅର୍ପିବ ତା କଣ୍ଠେ ।

ହୋଇ କର ଛନ୍ଦାଛନ୍ଦି କାହିଁ ଭୂତବୈରୀ ୨

୨ - ଗୁଳ୍ମବିଶେଷ ।

 

ଅନଳକୁମାରୀ ୩ ସହ, ରତ ନୃତ୍ୟାମୋଦେ

ଦେଖାଇଣ ଅଙ୍ଗଭଙ୍ଗୀ ସମୀର ହିଲ୍ଲୋଳେ

ଜାଙ୍ଗଳ ହରଡ଼ଡାଳେ ୪ ବସି କୁତୂହଳେ

ଖେଳୁଛନ୍ତି ଦୋଳି କେତେ କ୍ଷୁଦ୍ର ବାୟାଦଳ ।

୩ - ତୁଣ୍ଡପୋଡା ଗଛ ।

୪ - ବଣ ହରଡ଼ ।

 

କାହିଁ ବା ଭୂମିଖର୍ଜୁରୀ ମୁକ୍ତକେଶୀ ବେଶେ

ସାଧୁଛି ଗଭୀର ଯୋଗ ତନ୍ମୟ ମାନସେ ।

ଉଡ଼ୁଅଛି ଭୀମବାଳ ୫ କାହିଁ ଫରଫରି

ଗିରିଚୁଡ଼ା ଦାଢ଼େ, ଶୈଳ ଉଷ୍ଣୀଷ ପରାୟେ ।

୫ - ଏକଜାତୀୟ ଲମ୍ବାକୃତି ତୃଣ । ଭୂତ ପ୍ରେତର ଉପଦ୍ରବରୁ ରକ୍ଷା ପାଇବା ସକାଶେ ଶଉରାମାନେ ଏହାକୁ କଣ୍ଠରେ ଧାରଣ କରନ୍ତି । ଏହା ମହାବୀର ଭୀମସେନଙ୍କ ମସ୍ତକର ବାଳ ବୋଲି ସେମାନଙ୍କର ବିଶ୍ୱାସ ।

 

ବିସ୍ତୀର୍ଣ୍ଣ ପ୍ରାନ୍ତର ପ୍ରାନ୍ତେ ମହିଷ ମାହାରା,

ରୁଣ୍ଡ ହୋଇଛନ୍ତି ତହିଁ ବିସ୍ତର ମହିଷ,

କେହି ଉଭା, କେହି ସୁପ, ସବତ୍ସ, ନିର୍ବତ୍ସ,

ନିରତ ରୋମନ୍ଥେ ସର୍ବେ, ବିରାଜନ୍ତି ଯେହ୍ନେ

 

ପଡ଼ିଛି ବିଞ୍ଚୁଡ଼ି କୃଷ୍ଣ ଖଣ୍ଡୋପଳ ରାଜି ।

କି ଉଦ୍‌ଭ୍ରାନ୍ତ କଟୁଦୃଷ୍ଟି, ନିଜେ ଭୀତ, ଅବା

ଅପରେ ଦେଖାନ୍ତି ଭୟ କିମ୍ବା ଏ ଉଭୟ

ତହିଁ ହୁଏ ସମ୍ପାଦିତ, ଜାଣେ ତା ଦର୍ଶକ ।

 

ବସିଛି ବିପଣୀ ବାଢ଼ି ଆଭୀରନନ୍ଦନ ୬

ଦଧି ଦୁରାଧ ନବନୀତ ଆମିକ୍ଷା ୭ ପ୍ରଭୃତି ।

ପ୍ରତ୍ୟକ୍ଷେ ଏ ଜୀବଜାତ, ମାତ୍ର ପରୋକ୍ଷରେ

ମହେନ୍ଦ୍ରର ଅନ୍ତଃସାର, କେତେ ଭାବେ ଗିରି

୬ - ଗୋପାଳ ବାଲକ ।

୭ - ଛେନା ।

 

ଯୋଗାଏ ଆହାର ଜୀବେ, କାହିଁ ତା ସୁମାରି !

ହିମସାଗରାଖ୍ୟ ସର ବିରାଜେ ଅଦୂରେ

ଯଥା ଶୈଳ କପାଳୀର କପାଳ-ନୟନ ।

ଅଥବା ଏ କେଳି ସର ଗିରିଦମ୍ପତିର,

 

କେଳି କାଳେ ଧୌତ ହୋଇ ଗିରିରାଣୀଙ୍କର

କସ୍ତୁରୀ-ଅଙ୍କିତ-ଗଣ୍ଡ-ପତ୍ରାବଳି ଚିତ୍ର,

 

ମିଶେ ଏହା ଜଳେ, ଏଣୁ ଦିଶେ ତାହା ନୀଳ ।

ଖଣ୍ଡେ ଦୂର ଉଠି ତହୁଁ ସାୟାହ୍ନ ସମୟେ

 

ମିଳିଲି ସଦଳେ ଯାଇ ଷଷ୍ଠ ସାନୁଶିରେ,

ଜନମ, ଜୀବନ, ଆଶା ତିନି ହେଁ ମୋହର

ଏତେ ଦିନେ ଉପସ୍ଥିତ ସାଫଲ୍ୟ ସ୍ୱର୍ଗର

ସ୍ୱର୍ଣ୍ଣମୟ ସିଂହଦ୍ୱାରେ, ଭାଗ୍ୟ ଆଶୀର୍ବାଦେ ।

 

ରାଜକୀୟ ପାନ୍ଥଶାଳା ଅବସ୍ଥିତ ଏଥି

ସୁଧା-ଧବଳିତ ଦେହେ, ଶୋଭେ ସେ ଯେସନ

ମହେନ୍ଦ୍ର ବକ୍ଷରେ ବ୍ରହ୍ମ-ହୀରକ-ପଦକ ।

ଯାହା ଆଉ ସେ ଗୃହର ପ୍ରଚଳିତ ନାମ,

 

ମାତ୍ର ମୁଁ ଅର୍ପିଲି ଆଖ୍ୟା ‘‘ମହେନ୍ଦ୍ର ଆଶ୍ରମ’’ । ୮

ହେଲା ରାତ୍ରି, ସୃଷ୍ଟି ହେଲା ଅନ୍ଧାରେ ପ୍ରଳୟ,

ସେ ଆଶ୍ରମ ଗର୍ଭେ ସର୍ବେ ଲଭିଲୁଁ ଆଶ୍ରୟ ।

୮ - ମହେନ୍ଦ୍ରର ଷଷ୍ଠ ଚୂଡ଼ା ଉପରେ ମଞ୍ଜୁଷା ରାଜା ସୁନ୍ଦର ମହୋଦୟଙ୍କର ଗୋଟିଏ ବଙ୍ଗଳା ଅଛି ।

 

ପଞ୍ଚମ ସର୍ଗ

 

ରଜନୀରୂପିଣୀ କୃଷ୍ଣା ସର୍ପିଣୀ ଦଂଶନେ

ଥିଲା ଧରା ଆଚେତନ, ବିଷବୈଦ୍ୟ-ରବି

ଚିଆଁଇଲେ ତାକୁ ଆସି ଛୁଆଇଁ ତା ଦେହେ

ସଞ୍ଜୀବନୀ-ସୁଧାସିକ୍ତ ସୁବର୍ଣ୍ଣ ଶଳାକା ।

ଉଜ୍ଜ୍ୱଳିଲା ସୌରକର,ତୁଷାର ମୌକ୍ତିକେ,

 

ଉଜ୍ଜ୍ୱଳାଏ ଯଥା, ନ୍ୟାୟେ ସତ୍ୟର କିରଣ ।

ଅହୋ, କି ଅନନ୍ତ ଦୃଶ୍ୟ, ଶୋଭା-ସାହିତ୍ୟର

ସୁବିଶାଳ ପାଠାଗାର ରହିଛି କି ମୁକ୍ତ,

ନିରୁର୍ମି ସୈକତ ସିନ୍ଧୁ ଅଗ୍ରେ, ତହିଁ ପଛେ

 

ଚକ୍ରବାଳଚୁମ୍ବୀ ନୀଳ ଉର୍ମିଳ ସାଗର ।

ମହାଦୃଶ୍ୟ କଳିବାକୁ ଉଡ଼ିଗଲା ମନ,

ମାତ୍ର କାହିଁ ନ ପାଇଣ ସ୍ଥଳକୂଳ କିଛି

ଆସିଲା ହତାଶେ ଫେରି ଘଡ଼ିକ ଉତ୍ତାରୁ,

 

ଯଥା ପୋଷା ପକ୍ଷୀ ଉଡ଼ିଯାଇ ପିଞ୍ଜରାରୁ

ବାହୁଡ଼େ ସ୍ୱସ୍ଥାନେ ହୋଇ ଥକିତ ବ୍ୟଥିତ ।

ଆନନ୍ଦ ପ୍ରବାସଭୂମି ହେଲା ଏବେ ମନ,

ସ୍ୱଭାବଚାଞ୍ଚଲ୍ୟ ମୋର ଭଜିଲା ବିଦ୍ରାବ, ୧

୧ - ପଳାୟନ ।

 

ବିବେକର ଝିଙ୍ଗାସରେ ୨ ହୋଇଣ ଲଜ୍ଜିତ,

କାମନାର ତୀବ୍ର ସ୍ରୋତ ଶୁଖିଗଲା ତହୁଁ ।

କେବଣ ନୂତନ ସ୍ୱର୍ଗେ ପ୍ରବେଶିଲି ଆସି,

ପୁଣ୍ୟବଳେ ସ୍ୱର୍ଗଭୋଗ ଦେହାନ୍ତେ କଳ୍ପିତ,

୨ - ଭତ୍ସନା ।

 

ମାତ୍ର ଏ ନୂତନ ସ୍ୱର୍ଗେ ମିଳେ ତା ଦେହକେ ।

ଏହା ତୁଳନାରେ ଧରା ନରକର ହାର,

ଧରା ତୁଳନାରେ ଏହୁ ବୈକୁଣ୍ଠ ସୋପାନ ।

ପୋଡ଼ିଦେଇ ଅଭିମାନ କୁଶ-ପୁତ୍ତଳିକା,

 

ଜାଳିଦିଏ ଏ ସୁସ୍ଥାନ ଜ୍ଞାନ-ଦୀପ ହୃଦେ ।

ନାହିଁ ଏଥି ନାଗରିକ-ଜୀବନ-ସୁଲଭ

 

ଆଶା ବା ଦୁରାଶା କିମ୍ବା ଗର୍ଭ ପଉରୁଷ

ହିଂସା ଆଭିଜାତ୍ୟ ଆଦି, ନିର୍ମଳ ଏ ସ୍ଥଳୀ ।

 

ପାରେ ନାହିଁ ପଶି ଏଥି ପ୍ରାକୃତ ଲାଳସା,

ମାନବ ଜୀବନ-ଯୁଦ୍ଧ ଖର ଉତ୍ତାପର

ନାହିଁ ଏଥି ଅଧିକାର, ଅଭାବ ଆବର-

ସ୍ୱାର୍ଥ-ବିରୁଡ଼ିର କ୍ରୁଦ୍ଧ ସନ୍ଦଂଶନ ଜ୍ୱାଳା ।

 

ଶିଳାମୟ ସ୍ଥଳ, ମାତ୍ର ସୁନ୍ଦର, ମଧୁର

ପ୍ରେମର ଅମୃତ ଉତ୍ସ, ପୁଣି ସ୍ୱାଭାବିକ,

ବିଶ୍ୱରେ ଯା କିଛି ସତ୍ୟ, ଧ୍ରୁବ ବା ସୁନ୍ଦର,

ମିଶିଅଛି ସେ ସକଳ ତନୁରେ ଏହାର ।

 

ପୁଣି ଏହା ସ୍ମୃତିରାଜ୍ୟ, ଇତିହାସମୟ,

ଏ ସ୍ଥାନର ବାୟୁ, ନଭଃ, ଝର, ଦେବାଳୟ

ସର୍ବେ ବ୍ୟକ୍ତ କରୁଛନ୍ତି ଇତିହାସ-ଗାଥା ।

ଏ ସ୍ଥାନ ଦର୍ଶନମାତ୍ରେ ହୃଦୟ-ମୁକୁରେ

 

ପ୍ରତିଫଳି ଫୁଟି ଉଠେ ଶତ ପୂରାଛବି,

ଆଣିଦିଏ ତାହା ନବ ଜୀବନ ପ୍ରେରଣା ।

 

ନିମ୍ନେ ଉପତ୍ୟକା ମଧ୍ୟେ ରାଜେ କଞ୍ଚାବଣ,

ପଡ଼ୁଅଛି ଯେହ୍ନେ ତହୁଁ ନୀଳିମା ନିଗିଡ଼ି,

ତମାଳ, ଆକନ୍ଦ, ଶାଳ, ଅସନ, ପିଆଳ,

ରାଜଦନ୍ତ ଅଧଃକାରୀ ଧବଳ ଅଠିଳ, ୩

୩ - ବୃକ୍ଷବିଶେଷ । ଏହାର କାଠ ଅତି ଉକ୍ତୃଷ୍ଟ । ହସ୍ତଦନ୍ତ ପରି ଚିକ୍‌କଣ ଏବଂ ଶୁକ୍ଳ ।

 

ତୈଳବିଶୋଧିନୀ ନଖୀ, ରସାଳ, ଗୁଗ୍ଗୁଳ,

ଇତ୍ୟାଦି ପାଦପେ ଅତି ଗହଳ ସେ ବନ,

ନାହିଁ ତହିଁ ଶୁଷ୍‌କ କାଷ୍ଠ ଅଙ୍ଗୁଷ୍ଠ ପ୍ରଣାମ,

ଚିର କଞ୍ଚା ହେତୁ ନାମ ହୋଇଛି ସାର୍ଥକ,

 

ଚିର ତରୁଣ ସେ ବନ, ରୋଗ-ଜରା-ହୀନ ।

ସୂତିକା-ଆଗାର ତାହା ସୁନାମୁଦିଆର । ୪

କୁମାର ବାମନ ସିଂହ, ଚନ୍ଦ୍ର ବଂଶଧର,

ଆସି ପଞ୍ଚନଦବର୍ଷୁ ସୁଦୂର ଅତୀତେ

୪ ସ୍ୱର୍ଣ୍ଣମୁଦ୍ରା ନଦୀ ଏଠାରୁ ଜାତ ହୋଇଅଛି ।

 

ସାଧୁଥିଲେ ତପ ତହିଁ ଶଙ୍କର ଉଦ୍ଦେଶ୍ୟେ,

ତୋଷ ଲଭି ଆଶୁତୋଷ କେତେ କାଳ ପରେ

 

କଲେ ସ୍ୱପ୍ନାଦେଶ, ‘‘ବତ୍ସ, ପ୍ରଭାତରେ କାଲି

ତୋ ବସିବା ଶିଳାଖଣ୍ଡି କରିବୁ ଅନ୍ତର,

ତହିଁରୁ ଜନମି ନଦୀ ମିଶିବ ସାଗରେ,

ସେ ନଦୀକୁ ସୀମା କରି ଏ ବିଜନ ସ୍ଥଳେ

କରିବୁ ପ୍ରତିଷ୍ଠା ରାଜ୍ୟ, ହେବୁ ତହିଁ ରାଜା ।’’

ଯଥାକାଳେ ଶିବାଦେଶ ପାଳିଲେ ବାମନ,

ଶିଳା ଉତ୍ତୋଳନ ବେଳେ ପଡ଼ିଲାକ ଖସି

ଅଙ୍ଗୁଳିରୁ ସ୍ୱର୍ଣ୍ଣମୁଦ୍ରା ସେ ଶିଳା ବିବରେ,

ତେଣୁ ସ୍ୱର୍ଣ୍ଣମୁଦ୍ରା ଆଖ୍ୟା ବହିଲା ତଟିନୀ ।

ବାହାରି ମହେନ୍ଦ୍ର ଶିରୁ ଖଣ୍ଡେ ଖଣ୍ଡେ ମେଘ

ଯାଉଛନ୍ତି ସୁମଦ୍ରକୁ ବାର୍ତ୍ତା ଦେବା ପାଇଁ,

କେତେ ଅବା ଫେରୁଛନ୍ତି ପ୍ରତିବାର୍ତ୍ତା ଘେନି,

ରଚୁଛନ୍ତି ଛାୟାସ୍ୱର୍ଗ କେତେ ସିନ୍ଧୁ ପରେ,

ବସିଯାଇ କେତେ ଖଣ୍ଡ ସାଗରନେମୀରେ

ସ୍ତରେ ସ୍ତରେ, ସୃଜି ତୁଙ୍ଗ ଗିରି ବହୁଚୂଡ଼,

କରୁଛନ୍ତି ମହେନ୍ଦ୍ରକୁ ତୀବ୍ର ପରିହାସ

ନିର୍ଦ୍ଦୟ ନିର୍ମମ ଭାବେ, ମାୟା ପର୍ବତର

 

ଏହି ବ୍ୟଙ୍ଗ, ଏ ଧୃଷ୍ଟତା ନିରେଖି ବାରିଧି

ହସୁଛି ବିସ୍ତାରି ଶୁଭ୍ର ଫେନଦନ୍ତପନ୍ତି ।

କେଡ଼େ ଆକରଣୀ ଭଲା କୃତଘ୍ନ ଘନର,

କି ଅନ୍ୟାୟ ଆଚରଣ, ସେ ଆଶ୍ରୟଦାତା

 

ତାହା ସଙ୍ଗେ ପରିହାସ, କି ସୀମାଲଙ୍ଘନ !

କି ନ କରି ପାରେ କିଏ ହେଲେ ଭ୍ରଷ୍ଟମତି ।

ମହାମନା ଗିରିବର, ଚିରବ୍ରତ ତାର

ବୈରାଗ୍ୟ ସଂଯମ, ନାହିଁ ତିଳେ ହେଁ ଭ୍ରୂକ୍ଷେପ

 

ମାନ ଅପମାନ ପ୍ରତି, ମହାଜନେ କେବେ

ନ ହୁଅନ୍ତି ବିଚଳିତ ନୀଚ ବ୍ୟବହାରେ,

ପ୍ରତ୍ୟୁତ କ୍ଷମନ୍ତି ନୀଚେ କ୍ଷମା-ପାତ୍ର ଜାଣି ।

ମିଳାଇଲା ମାୟାଶୈଳ ଖର ସୌର କରେ,

 

ସରିଲା ବିଦ୍ରୂପ ତାର, ଶେଷ ଅଭିନୟ,

ନିଦାରୁଣ ହଟହଟା କଲା ତାକୁ ଭାଗ୍ୟ ।

ଢାଙ୍କିବାକୁ ଇଚ୍ଛେ ଯେହୁ ମହାଜନ ଖ୍ୟାତି,

ନିଜେ ଢାଙ୍କିଯାଏ ସେହୁ ନିୟତି ଉହାଡ଼େ ।

 

ଦେଖୁଥିଲି ଏହି ଦୃଶ୍ୟ ଅଳିନ୍ଦେ ବସିଣ,

ଅକସ୍ମାତ କାହୁଁ ଆସି ଆକ୍ରମିଲା ଶୀତ,

ଥରିଲା ଶରୀର, ତହୁଁ ଗୃହ ମଧ୍ୟେ ଯାଇ

ଲୁଗା ଘୋଡ଼ି ଧୁନି ପାଶେ ବସିଲି ନିଶ୍ଚଳେ ।

 

ନାହିଁ ଏଥି ଚୌରଭୟ, ମହାଚୋର ଏକା

ବାରିବାହ, ସେ ତ ଧୁମରୂପୀ, କେ ରୋଧିବ

ପଥ ତାକୁ, ପଶି ଆସି ଗହାକ୍ଷ ଫାଙ୍କରେ

ଚୋରାଇ ଶୁଷ୍କକତା ଗୃହ, ବସ୍ତ୍ର ପ୍ରଭୃତିର

 

ପଳାଇଲା ଅର୍ଦ୍ଧମୁକ୍ତ ଦ୍ୱାରପଥେ ଖରେ,

ଧରୁଁ ଧରୁଁ ଚାଲିଗଲା, କି କୌତୁକ ଆହା !

କାହିଁ ନଭଶ୍ଚାରୀ ଘନ, କାହିଁ ମୁଁ ପତଙ୍ଗ

ପୃଥିବୀର, ଦେଖୁଥିଲି ଊର୍ଦ୍ଧ୍ୱ ନେତ୍ରେ ଯାକୁ

 

ପାଇ ତାକୁ ହାତେ ଆଜି ଖେଳୁଛି ତା ସହ,

ଏହା କି ମୋ ଦୀନ ଭାଗ୍ୟେ କୁବେର ସମ୍ପତ୍ତି ।

ଧନ୍ୟ ନାଟ୍ୟକାର ଗିରି, କେତେ ଦୃଶ୍ୟପଟ

କରୁ ତୁ ପରିବର୍ତ୍ତନ ମୁହୂର୍ତ୍ତେ ମୁହୂର୍ତ୍ତେ,

 

ସହସା ଉଭେଇଯାନ୍ତେ ଧୂମରୂପୀ ଘନ

ଉଡ଼ିଲା ଆକାଶେ ସୁତା, ଲୁତା-ସୁତା ଯଥା,

ଅଙ୍କିଲେ କି ଜ୍ୟୋତିରେଖା ଦିବସେ ଖଦ୍ୟୋତେ,

ଅବା ନଭ-ତନ୍ତୁବାୟୁ ବିସ୍ତାର ବହନ

ଶୁଭ୍ର ଘନ- ସୂତ୍ରଗୁଚ୍ଛ କରୁଛି ତାଷଣ,

ଛିଡ଼ାଇ ବଳକାସୂତା କେରାଏ କେରାଏ

ଦେଉଛି ଫୋପାଡ଼ି, ତାହା ଉଡ଼ୁଛି ପବନେ,

ନିମେଷେ କାହିଁ ସେ ପୁଣି ଯାଉଛି ମିଳାଇ ।*

* ମହେନ୍ଦ୍ର ଉପରେ ସୂକ୍ଷ୍ମ ସୂତ୍ରଖଣ୍ଡ ଆକୃତିରେ ବରଫପାତ ହୁଏ ।

ହେଲା ଟାଣ ଖରା, କ୍ଷଣେ ବର୍ଷା କ୍ଷଣେ ଖରା,

କି ଚାଞ୍ଚଲ୍ୟମୟ ଭାବ ପ୍ରକୃତି-ସତୀର;

କି ଆନନ୍ଦ ମହୋତ୍ସବ ଆନନ୍ଦମୟୀର ।

ବାହାରିଲି ଅପରାହ୍ନେ ପର୍ବତ ଭ୍ରମଣେ,

ସୁବିସ୍ତୀର୍ଣ୍ଣ ଅଧିତ୍ୟକା, ମାସପର୍ଣ୍ଣ ୧ ପୂର୍ଣ୍ଣ,

ମଧ୍ୟେ କ୍ଷୁଦ୍ର ଉପବନ, ମାନବ-ରଚିତ,

କମଳା, ବାତାପୀ, ଲେମ୍ବୁ, ପିଜୁଳି ପ୍ରଭୃତି

୧- ବଣବୀରି ।

 

ଫଳବୃକ୍ଷମାନ ତହିଁ ଉଭା ବିଶୃଙ୍ଖଳେ ।

ଚିକ୍‌କଣ ପ୍ରସ୍ତର ପୃଷ୍ଠେ ରଙ୍ଗ ପୋକଶୃଙ୍ଗା,

ଆହା କି ସୁନ୍ଦର କିବା ଗିରି ବାଳିକାଏ

ଲେଖିଛନ୍ତି କୌତୁକରେ ଅବିର ମୁରୁଜେ

ଅଷ୍ଟଦଳ ପଦ୍ମ । ମୌନେ ବସିଛି ଗୋଲାପ

ଉଦ୍ୟାନର କୋଣେ, ଯେହୁ ସ୍ଥଳ ଫୁଲେ ରାଣୀ

(ଜଳ ଫୁଲେ ଫୁଲ ଲକ୍ଷ୍ମୀ କମଳିନୀ ଯଥା)

କାମିନୀର କାନ୍ତ ଖୋଷା ଯାର ସିଂହାସନ,

କେ ବୁଝିବ ମୂଲ୍ୟ ତାର ଏ ବିଜନ ସ୍ଥଳେ

କରିବ ଆଦର କିଏ, ସଦା ଏ ଚିନ୍ତାରେ

ହେଲାଣି ସେ ଝୁରି ଝୁରି ଅସ୍ଥିଚର୍ମସାର ।

ସୁବର୍ଣ୍ଣବଣିକ ବାମା ତହିଁ ଚନ୍ଦ୍ରମଲ୍ଲୀ,

ପିନ୍ଧାଉଛି ବସଣୀ ସେ ବନଲକ୍ଷ୍ମୀ ନାସେ,

ମାତ୍ର ତାହା ମାନୁ ନାହିଁ ତାକୁ, ତୁଚ୍ଛ ସିନା

ନିସର୍ଗ ସୁନ୍ଦର ଅଙ୍ଗେ ଗ୍ରାମ୍ୟ ଆଭରଣ ।

ଯୁଧିଷ୍ଠିର ଦେବାଳୟ ଦିଶିଲା ଅଗ୍ରତେ ୨

୨ - ଯୁଧିଷ୍ଠିର ଦେଉଳର କାନ୍ଥ ଦୁଇ ପରସ୍ତ ପଥରରେ ନିର୍ମିତ । 

ଉକ୍ତ କାନ୍ଥର ବହଳତା ଚାରି ହାତ ।

 

ଆକଟୀ କାନନେ ମଗ୍ନ, ଇନ୍ଦୀବର କୋଳେ

ସୁପ୍ତ କି ଚନ୍ଦ୍ରିକା କିମ୍ବା ଅତି କୋଳେ କୁନ୍ଦ ।

ଭଗ୍ନଚୁଡ଼ ଦେବାଳୟ, ଥିଲା ସ୍ୱର୍ଣ୍ଣଚୁଡ଼,

ଦୂରନ୍ତ ଯବନ କଳା ୩ ଅପହରି ତାହା

୩ - କଳାପାହାଡ଼ ।

ଅର୍ଜିଛି ଅଧମ କୀର୍ତ୍ତି, ରଖିଛି ଜଡ଼ାଇ

ତହିଁ କଳଙ୍କିତ ନାମ କେବଳ ତାହାର ।

ବେନି ହସ୍ତ ଥିଲା ନାହିଁ କୀର୍ତ୍ତି ନାଶେ ରତ,

ପାମର ଆଜ୍ଞାରେ ହାୟ କୋଟି କୋଟି ହସ୍ତ

ସାଧୁଥିଲା ସର୍ବନାଶ ଖୋଜି ହିନ୍ଦୁକୀର୍ତ୍ତି ।

କରିଛି ବିସ୍ତର କ୍ଷତି ସେ କଳାପାହାଡ଼

ଦେଉଳର, ମାତ୍ର କାଳ- କଳାପାହାଡ଼ର

ବାଜି ନାହିଁ ହସ୍ତ ତହିଁ ଅତୀତୁ ଅବଧି ।

କହେ ଜନଶ୍ରୁତି, ଥିଲା ଦେଉଳ ଅଦୂରେ

ରତ୍ନଖଣି, ନୀଳାଗର୍ଭା, ଶିଳାଗର୍ଭା ଏବେ ।

କ୍ଷୁଦ୍ର ଉପବନ ମଧ୍ୟେ ବିରାଜେ ଦେଉଳ,

ବୋଳି ହୋଇ ପୁଣ୍ୟସ୍ମୃତି ଯୁଗ ଯୁଗାନ୍ତରୁ ।

 

ପ୍ରକୃତି, ପ୍ରକୃତିଦତ୍ତ ମାନବ କ୍ଷମତା

ଉଭେ ମିଳି ମଣ୍ଡିଛନ୍ତି ସେ ସ୍ଥାନକୁ ଭଲେ

ଗାମ୍ଭୀର୍ଯ୍ୟ ମାଧୁର୍ଯ୍ୟ ପୁଣି ସୌନ୍ଦର୍ଯ୍ୟ ମଣ୍ଡନେ ।

ଶିଳ୍ପ-ଅଳଙ୍କାର କିଛି ନାହିଁ ଦେଉଳର,

ସରଳ ସୁନ୍ଦର ବେଶ ଆଡ଼ମ୍ବରହୀନ,

ଯଥା ଯୁଧିଷ୍ଠିରଙ୍କର ଆଦର୍ଶ ସ୍ୱଭାବ ।

ଅଦ୍ଭୁତ କୌଶଳ ବଳେ ନିର୍ମିତ ମନ୍ଦିର,

ଭିତ୍ତିଶିଳା ଯୋଡ଼ା ନୁହେଁ, ଚୂନ ମସଲାରେ,

ଘର୍ଷଣେ ସଂଯୁକ୍ତ ତାହା, ବାରି ନୁହେଁ ଯୋଡ଼ ୪

ସ୍ଥପତି ପ୍ରତିଭା ଧନ୍ୟ, ଧନ୍ୟ ତା ଚାତୁରୀ !

ରଚିଛି ମନ୍ଦିର ଯେହ୍ନେ ମାୟାମନ୍ତ୍ର ବଳେ ।

ପଶିଲି ଦେଉଳେ ମୁହିଁ, ପଶିଲା ମାନସ

୪ - ପଥର ଉପରେ ପଥର ଘଷା ହୋଇ ଯୋଡ଼ା ଯାଇଅଛି ।

ସୁଦୂର ଅତୀତ ଯୁଗେ, ମାତ୍ର ଅଳ୍ପକ୍ଷଣେ

ଆସିଲା ବାହୁଡ଼ି ଘେନି ଅଶ୍ରୁଭରା ସ୍ମୃତି,

ସ୍ମୃତିର ଅକ୍ଷୟ ମଠ ଏ ମହା ଦେଉଳ ।

ଲୌହ ଦେହଳୀରେ ଥିଲା ଯାଉଁଳି କବାଟ

 

ଶିଳାରଚୀ, ଏବେ କେଣେ ନିର୍ବାସିତ ତାହା

ଦ୍ୱାର ଊର୍ଦ୍ଧ୍ୱେ ବସିଅଛି ଶଶକ ଗୋଟିଏ,

ତହିଁ ତଳେ ପାଲି ଲିପି ଅସ୍ପଷ୍ଟ ଅତୀବ ।

ମଧ୍ୟସ୍ଥଳେ ଅଧିଷ୍ଠିତ ଜଳମଗ୍ନ ହର,

 

ବାହାରି ନିର୍ଝର ତହୁଁ, କରି ପରିକ୍ରମା

ଶିବେ, ଘୂରି ଫେରି ଶିଳା-ଶେଯେ, ବକ୍ରଛନ୍ଦେ

ଗାଇଣ ମହିମ୍ନ ସ୍ତବ ଲଘୁ କଳସ୍ୱରେ,

ଯାଉଛି ତଳକୁ ବହି କ୍ଷୁଦ୍ର ନଦୀରୂପେ,

ମିଶାଉଛି ପୂତ ନୀର ସ୍ୱର୍ଣ୍ଣମୁଦ୍ରା ନୀରେ ।

ଦେଖିଲି ଊର୍ଦ୍ଧ୍ୱକୁ ଚାହିଁ, ମନ୍ଦିର ଭିତ୍ତିରେ

 

ସଂଯୋଜିତ ଶିଳାଲିପି ଏକାଣୋଇପଙକ୍ତି ୧

ଦେଉଳ, ନା ଇତିହାସ ଗ୍ରନ୍ଥଗାଦି ଏହା ।

ଖୋଦିତ ନାଗରାକ୍ଷରେ ସେ ପ୍ରାଚୀନ ଲିପି,

ଧୂଳି ଚୂନେ ପୋତିଯାଇ ହୋଇଛି ଅପାଠ୍ୟ,

୧- ତେର ଖଣ୍ଡ ପଥରରେ ପ୍ରତ୍ୟେକରେ ସାତ ଧାଡ଼ି ଲେଖାଏଁ ଅକ୍ଷର ଖୋଦିତ ହୋଇଅଛି ।

 

ବହୁ କଷ୍ଟେ ପଢ଼ି ହେଲା ଏତିକି କେବଳ-

‘ଶ୍ରୀରାଜ ରାଜେନ୍ଦ୍ର ଚୋଳାଃ’, ଆଲୋକସହାୟେ ୨

କାଂସ୍ୟଶିଳା ୩ ବିନିର୍ମିତ ଦେଉଳବେଷ୍ଟନୀ,

ପଡ଼ିଅଛି ଇତସ୍ତତଃ ଭଗ୍ନ ମୂର୍ତ୍ତି କେତେ,

 

୨- ଏକାଦଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଚୋଳରାଜା ରାଜପଣ କରୁଥିଲେ । ସମ୍ଭବତଃ ତାହାଙ୍କଦ୍ୱାରା ଏହି ଦେଉଳ ନିର୍ମିତ ହୋଇଥିଲା ।

୩- ଦେଉଳର ବେଢ଼ା ୬ଖଣ୍ଡ ବିଶାଳ ପ୍ରସ୍ତରରେ ନିର୍ମିତ । ସେଥି ମଧ୍ୟରୁ ଖଣ୍ଡିଏ ପଥର କଂସା ପରି ବାଜେ । ପ୍ରତ୍ୟେକ ପ୍ରସ୍ତରର ଦୀର୍ଘତା ୧୦ ହାତ ଓ ଉଚ୍ଚତା ୫ ହାତ ।

 

ପ୍ରତେ ହୁଏ ଯେହ୍ନେ ତାହା ପ୍ରତିମା-ଶ୍ମଶାନ ।

ବହିର୍ଭାଗେ ଶିଳାସ୍ତମ୍ଭ ହୋଇଛି ପ୍ରୋଥିତ,

ଧରି ଆଣି ବନୁ ବ୍ୟାଘ୍ର ବୀର-ବ୍ୟାଘ୍ର ଭୀମ

ରଖୁଥିଲେ ବାନ୍ଧି ତହିଁ ପରମ କୌତୁକେ,

 

ଶଉରାଙ୍କ ମୁଖବାଣୀ ସାକ୍ଷ୍ୟ ଦିଏ ତାର ।

ଅନନ୍ତର ବସିଲି ମୁଁ ଆସି ଝରତୀରେ

ପ୍ରକୃତି-ରଚିତ ସ୍ନିଗ୍‌ଧ ଗାଲିଚା ଆସନେ, ୪

ମିଶିଗଲା ଝର ସ୍ରୋତେ ମୋ ଆନନ୍ଦ-ସ୍ରୋତ,

 

୪- ଏକପ୍ରକାର ରଙ୍ଗ ଶୈବାଳ । ଏହି ଗାଲିଚା ତୁଲ୍ୟ କୋମଳ ।

ମାତ୍ର ସ୍ମୃତି-ସ୍ରୋତ ଖରେ ବହିଲା ଉଜାଣି ।

ଏହି ଜଳେ ଧର୍ମରାଜ ମହାପ୍ରେକ୍ଷାବାନ

ଭାରତ-ଆକାଶ-ଜ୍ୟୋତ୍ସ୍ନା, ଭାରତ-ଜୀବନ,

ଯାହାଙ୍କ ପବିତ୍ର ନାମ କରେ ସମୁର୍ବର

ନୈରାଶ୍ୟ-ପାବକ-ଦଗ୍‌ଧ ଜାତୀୟ ଜୀବନେ,

ସେ ରାଜର୍ଷି ଯୁଧିଷ୍ଠିର କୌରବ-ଗୌରବ

କରିଣ ତର୍ପଣ ସ୍ନାନ ମଣୁଥିଲେ ସୁଖ ।

ସତୀରାଣୀ ଯାଜ୍ଞସେନୀ କାନ୍ତି-ଖଣି-ମଣି,

ଯାହାଙ୍କର ପାତିବ୍ରତ୍ୟ ପ୍ରଚଣ୍ଡ ଅନଳେ

ଦଗ୍‌ଧ ହେଲା କୁରୁକୁଳ, ସେହି ତପସ୍ୱିନୀ

ଅବଗାହି ଏ ସଲିଳେ, କରିଛନ୍ତି ଝରେ

କୃପା ବହି ପୁଣ୍ୟତୀର୍ଥ ସୌଭାଗ୍ୟ ପ୍ରଦାନ ।

ଶାପଦେ ସଂହାରି ଭୀମ, ରକ୍ତ-ଲିପ୍ତ-ଗଦା

ଧୋଇଥିଲେ ଏ ସଲିଳେ ଗତ ପୁଣ୍ୟ ଯୁଗେ ।

ଏହିରୂପେ କେତେ ସ୍ମୃତି ଭାସି ସ୍ରୋତଜଳେ

ବୁଲୁଅଛି ଖେଳି, ସେହି ସ୍ମୃତିପଦେ ଅର୍ପି

 

ଅର୍ଘ୍ୟ ତପ୍ତ ଶ୍ୱାସ, ତହୁଁ ଉଠିଲି ବହନେ ।

ଏ ମଧ୍ୟେ ଗଲାଣି ଚାଲି କେତେବେଳୁ ଦିନ

ନ ପାରିଲି ଜାଣି ତାହା ସୁଖ ଦୃଶ୍ୟେ ମାତି,

ସୁଖ ଦିନ ବଡ଼ ଲଘୁ ଶୀତ ଦିନୁ ବଳି

 

ଚାହୁଁ ଚାହୁଁ ଚାଲିଯାଏ କେଡ଼େ ବେଗେ କାହିଁ ।

ଏଣେ ପ୍ରକୃତିର ଏ କି ଅଶାନ୍ତି ଉବ୍ଦେଗ,

ନିଭିଯାନ୍ତେ ରବିରୂପ ସୁବର୍ଣ୍ଣ ଦିହୁଡ଼ି

ତୈଳାଭାବେ, ବୁଡ଼ିଗଲା ବିଶ୍ୱ ଅନ୍ଧକାରେ,

 

ତହୁଁ ତରତରେ ଧନୀ ପ୍ରକୃତି-ସୁନ୍ଦରୀ

ଜାଳିଦେଲା କୋଟି କୋଟି ତାରକା-ପ୍ରଦୀପ,

ମାତ୍ର ତହିଁ ହେଲା ନାହିଁ ସୃଷ୍ଟି ଆଲୋକିତ ।

ତିଳେ ହେଁ ବିରତ ନୋହିଁ ପ୍ରଦୀପଜ୍ୱାଳିକା

 

ଜାଳିଦେଲା ଆଣି ପୁଣି ବହୁ ଦୀପାବଳୀ,

ତଥାପି ଦିବସ ପରି ନ ହେଲା ଆଲୋକ;

ବିଜେ ହେଲେ ରାତ୍ରିରାଣୀ ତିମିର-ବାହନେ,

ପ୍ରକୃତି-ନଅର ଶୋଧା ଜଣାଇଲା ଡାକି

 

କୌଶିକ-ଡ଼ାକୁଆ, ଝର-ତୀର-ତରୁଶିରୁ,

ହେଲାକ ସୃଷ୍ଟିରେ କୃଷ୍ଣ ଯବନିକା ପାତ,

ଆସିଲି ବାହୁଡ଼ି ତହୁଁ ‘‘ମହେନ୍ଦ୍ର ଆଶ୍ରମେ’’ ।

 

ଷଷ୍ଠ ସର୍ଗ

 

ଯାମିନୀ ଚତୁର୍ଥ ଯାମେ ବସିଲି ଅଳିନ୍ଦେ,

ନୀରବ ନିସ୍ତବ୍‌ଧ ସୃଷ୍ଟି, ଗିରି ସମୀରଣ

ବହି ଆସି ଥରେ ଥରେ ଝିରିଝିରି ସ୍ୱରେ

ଯାଉଅଛି ଚୁମ୍ୱି ଚୋରା ରସିକପଣରେ

ଅସ୍ଫୁଟସୌନ୍ଦର୍ଯ୍ୟା ସୁପ୍ତା ସୁମନାବଦନ ।

କୃଷ୍ଣାଷ୍ଟମୀ ଚନ୍ଦ୍ର, ଅଛି କେତେ ତଳେ ଯାଇ,

ଆବାଲ୍ୟରୁ ଆସୁଅଛି ଦେଖି ଊର୍ଦ୍ଧ୍ୱମୁଖେ

ଚନ୍ଦ୍ରେ, ମାତ୍ର କି ଆଶ୍ଚର୍ଯ୍ୟ, ଦେଖିଲଇଁ ଆଜି

ହେଟବଦନରେ, ତେବେ କି ମହେନ୍ଦ୍ର ସାନୁ

ଚନ୍ଦ୍ରଲୋକ ଭେଦି କରି ଉଠିଛି ଉପରେ ?

ଲୋକାଲୋକ ଗିରି ୧ ଶୋଭା ଧରିଲା ମହେନ୍ଦ୍ର,

ପୂର୍ବପାର୍ଶ୍ୱ ଚନ୍ଦ୍ରିକିତ, ପଶ୍ଚିମ ଅନ୍ଧାର ।

 

୧- ସୃଷ୍ଟିର ସୀମାନ୍ତପର୍ବତ । ଏହି ପର୍ବତର ଏକ ପାର୍ଶ୍ୱରେ ଚିରଦିବସ ଏବଂ ଅନ୍ୟ ପାର୍ଶ୍ୱରେ ଚିରରଜନୀ ।

 

ଚନ୍ଦ୍ର ଆସି ଗିରି ଶିର ମଣ୍ଡନ୍ତା ଯଦ୍ୟପି,

ହୁଅନ୍ତା ସାର୍ଥକ ହରପାର୍ବତୀ ଉପମା,

ମାତ୍ର ଆସୁ ନାହିଁ ଶଶୀ, ରାହୁ ମଣି କିବା

ନ ଆସି ମହେନ୍ଦ୍ର କତି, ଲୁଚି ମେଘ ପଛେ

 

ଥରେ ଥରେ ମୁଣ୍ଡ ଟେକି ଚାହୁଁଛି ସଭୟେ ।

ବକ୍ର ଚନ୍ଦ୍ର ଦେଖି ହୁଏ ଏ ଭାବ ଉଦିତ-

କିବା ଏହା ବିଳାସିନୀ ସୁରବାଳାଙ୍କର

ଗଜଦନ୍ତ ବିନିର୍ମିତ ବିହାର-ବୋଇତ

 

ଭାସେ ନଭ-ପାରାବାରେ ? ରଚି ନାହିଁ ଶିଳ୍ପୀ

ହସ୍ତରେ ଏ ତରୀ ଖଣ୍ଡି ଶସ୍ତ୍ର ସାହାଯ୍ୟରେ,

ଅଦ୍ଭୁତ କ୍ଷମତାବନ୍ତ ସେ ମହାଶିଳ୍ପୀର

କଳ୍ପନା ବହଳ ହୋଇ ଯାଇଅଛି ବସି,

 

ଖେଳୁଅଛି ତା ଉପରେ ଅମର ମହିମା ।

ଜଳେ ମିଞ୍ଜି ମିଞ୍ଜି ତାରା, ଯଥା ମୁମୂର୍ଷୂର

 

ଆସନ୍ନ ନିର୍ବାଣ କ୍ଷୀଣ ପ୍ରାଣ-ଦୀପଶିଖା ।

କେହି ଅବା ସତ୍ତା ଘେନି ଯାଉଅଛି ବୁଡ଼ି,

 

କେହି ବାରମ୍ୱାର ବୁଡ଼ି ଉଠେ ବାରମ୍ୱାର,

ଧାର୍ମିକର ମୃତ୍ୟୁ ଥରେ, ମାତ୍ର ପାତକୀର

ମରଣ ଅନେକଥର, ଦୃଷ୍ଟାନ୍ତ ଏହାର

ଦେଖାନ୍ତି କି ମାନବକୁ ମହାଶୂନ୍ୟେ ଥାଇ ?

 

ମହାନ୍ଦ୍ରରୁ ଧାଡ଼ି ବାନ୍ଧି ବାହାରି ବାରିଦ

ରଚନ୍ତି ସଚଳ ରଥ୍ୟା ସ୍ଫଟିକ ପାଷାଣେ,

ମହେନ୍ଦ୍ର-ଶୁଦ୍ଧାନ୍ତ-ଭୂଷା ମହାନ୍ଦ୍ର-ମହିଷୀ

ଏହି ପଥେ ବିଜେ ହେବେ ମହୋଦଧି ସ୍ନାନେ

 

ସଜନୀ ଗହଣେ ପ୍ରାତେ, ବିପୁଳ ପ୍ରମୋଦେ ।

ପାରଦ ଆକର ପ୍ରାୟ ଦିଶୁଛି ସାଗର,

ଖେଳୁଛି ସନ୍ତରି ତହିଁ ଚନ୍ଦ୍ରିକା ସୁନ୍ଦରୀ,

ଜଳୁଛି ଆଲୋକମାଳା ମତ୍ସ୍ୟବାହୀ ନାବେ,

 

ଭାସେ କି ଅନଳ ଫେନ ପୁଞ୍ଜି ପୁଞ୍ଜି ହୋଇ,

ଅଥବା ମହୀରେ ଉଦେ ସହସ୍ର କୃତ୍ତିକା ?

 

ଆସିଛି ସମୁଦ୍ର ଘୂଞ୍ଚି ମହେନ୍ଦ୍ର ପାଖକୁ, ୨

ଶ୍ୱଶୁର ଜାମାତା ମଧ୍ୟେ କି ଗୂଢ଼ ମନ୍ତ୍ରଣା

୨- ଏ ଦୃଶ୍ୟ ବଡ଼ ବିସ୍ମୟୋତ୍ପାଦକ । ରାତ୍ରିରେ ସମୁଦ୍ରକୁ ମହେନ୍ଦ୍ରର ପାର୍ଶ୍ୱବର୍ତ୍ତୀ ଦେଖାଯାଏ । ମାତ୍ର ରାତି ପାହିବା ସମୟରେ ଅନ୍ଧାର ସଙ୍ଗେ ସଙ୍ଗେ ସମୁଦ୍ର ଦୂରକୁ ଘୂଞ୍ଚିଗଲା ପରି ବୋଧ ହୁଏ ।

ଲାଗିଛି ରଜନୀ ସାରା, ଜଣକର ଭାଷା

କୁଳିଶ-ଗଭୀର ଉଚ୍ଚ କୋଳାହଳମୟ,

ଅପରର ମୌନ ଭାଷା, ଏ ବେନି ମିଶ୍ରଣେ

ଉପୁଜି ବିରାଟ ଭାବ, ନ ଧରି ଧରାରେ

ଯାଉଛି ଊର୍ଦ୍ଧ୍ୱକୁ ଉଠି ମିଶୁଛି ଶୂନ୍ୟରେ,

ସେ ଅନନ୍ତ ମହାଭାବ, ନୁହେଁ ଅଧିଗତ-

ଜଗତର ସର୍ବଶ୍ରେଷ୍ଠ କବି କଳ୍ପନାର ।

ଦିଶୁଅଛି ବୈଦ୍ୟୁତିକ ଆଲୋକ ସୁଦୂରେ, ୩

୩- ମଞ୍ଜୁଷା ନବରର ସର୍ବୋଚ୍ଚ ଗ୍ୟାସ ଆଲୋକ ।

ଦ୍ୱିତୀୟ ପ୍ରଭାତୀ ତାରା ଉଦେ ହେଲା ପ୍ରାୟ ।

ଶୋଭେ ରୌପ୍ୟରେଖାନିଭ ମହେନ୍ଦ୍ର ତନୟ,

ତଥା ସ୍ୱର୍ଣ୍ଣମୁଦ୍ରା, ପ୍ରାଣପ୍ରିୟା ସଖୀ ତାର,

ପର୍ବତୁ ଓହ୍ଲାଇ କିବା ଭୃଜଙ୍ଗୀଯୁଗଳ

 

ଧାବନ୍ତି ଜଳଧିମୁଖେ ଜଳପାନ ଆଶେ ।

ଅଥବା ପ୍ରକୃତିରୂପା ବ୍ରହ୍ମଦର୍ଶିନୀର

ପବିତ୍ର ନୟନୁଁ ଝରେ ସାଫଲ୍ୟ ଲୋତକ ।

 

ବିଜେ ଉଷାଦେବୀ ଏବେ, ଦିବସ-ଦୂତିକା

ଦୂର ଚକ୍ରବାଳ-କୋଳେ, ଖେଳିଲା ଚଞ୍ଚଳେ

ସିନ୍ଦୁର ତରଙ୍ଗମାଳା ପ୍ରାଚୀପୃଷ୍ଠେ ରଙ୍ଗେ,

ଖେଳିଲା କି ଆହା, ରସକାବ୍ୟ-ପାରାବାରେ

 

ନବ ଅଳଙ୍କାର-ବୀଚି, ଉଠି ସ୍ତରେ ସ୍ତରେ,

ଅଥବା ପିନ୍ଧାଇଦେଲା ଅମର୍ତ୍ତ୍ୟ ଗରିମା

ସିନ୍ଧୁଶିରେ ପ୍ରଶସ୍ତିର ପ୍ରବାଳ ମହୁଡ଼ ।

ଆସିଲାକ ଦିଶି କ୍ରମେ ମୁକ୍ତ ପ୍ରକୃତିର

 

ସ୍ନିଗ୍‌ଧ ଶବଳିତ ଛବି, ଘୁଞ୍ଚି ଗଲା ସିନ୍ଧୁ

ଧୀରେ ଧୀରେ ଯଥାସ୍ଥାନେ ଅନ୍ଧକାର ସହ ।

ଏ ସମୟରେ କଲି ଯାତ୍ରା ସଙ୍ଗିଦଳେ ଘେନି

ମହେନ୍ଦ୍ର ସର୍ବୋଚ୍ଚ ଚୂଡ଼ା ଦାରୁବ୍ରହ୍ମମୁଖେ,

 

ଆଣିଲା ସମୀର ବହି ଆଛୁଫୁଲ ବାସ,

ଚାହିଁଲି ଚୌଦିଗେ, ଅଗ୍ରେ ଦିଶିଲା ପାଦପ,

ଉଭା ସେ ଥୋପୀରେ ଖୋଷି ରଜନ ସୁମନ,

ପାରିଜାତ ସୁଗନ୍ଧକୁ କରି ଘନୀଭୂତ,

 

ଗଢ଼ିଛି କି ବିହି, ଆହା, ସେ କୁସୁମ ତନୁ !

ବିଶାଳ ପାଷାଣ-ଶେଯେ ଦିଶିଲା ଅଦୂରେ

ବିକ୍ଷିପ୍ତ ଅସଂଖ୍ୟ କ୍ଷୁଦ୍ର ଶୁଭ୍ର ଗଣ୍ଡିଶିଳା,

ଗିରି-ବାଳିକାଏ ସାରି ପ୍ରାତଃସ୍ନାନ ଅବା

ସ୍ୱର୍ଣ୍ଣମୁଦ୍ରା ସ୍ୱଚ୍ଛ ଜଳେ, ଯାଇଛନ୍ତି ସ୍ଥାପି

ଏ ସ୍ଥଳେ ବାଲୁକା ମୂର୍ତ୍ତି କ୍ରୀଡ଼ାରସେ ମାତି ।

ଅଥବା ଏ ଗିରିତପୀ ଆଶ୍ରମେ ପାଳିତ

ଶିଶୁ ବ୍ରହ୍ମଚାରିକୁଳ ବସି ଏ ମଣ୍ଡପେ

ଅଛନ୍ତି ନୀରବ-ବେଦ-ଅଧ୍ୟୟନେ ରତ ।

ସମ୍ମୁଖରେ କୁବ୍ଳଗିରି, ବିକୃତଦର୍ଶନ, ୧

ପୁରାଣବର୍ଣ୍ଣିତ ଯଥା ଅଷ୍ଟାବତ୍ର ଋଷି,

ମହେନ୍ଦ୍ରର ନାସୀ ତାର ପୃଷ୍ଠ ଅପସର ।

 

୧- ଏହି ପର୍ବତ ମହେନ୍ଦ୍ରର ଉତ୍ତରରେ ନାସୀ ତୁଲ୍ୟ ବିଲମ୍ୱିତ ।

ଉଠିଲି ମୁଁ ସେହି ପଥେ, ଅହୋ କି ସଙ୍କଟ,

ପିଚ୍ଛିଳ ଦୁର୍ଗମ ପଥ ଉଠିଛି ତିର୍ଯ୍ୟକେ,

ଊର୍ଦ୍ଧ୍ୱେ ତୁଙ୍ଗଚୂଡ଼ା, ନିମ୍ନେ ଗଭୀର ପାତାଳ,

ଯାଉଥାଏ ଖସି ପ୍ରତି ପହଣ୍ଡ ନିକ୍ଷେପେ

ଭୀତି-ଥରଥର ପାଦ ବାହକଗଣର,

ହେଉଥାଏ ପ୍ରତେ ଯେହ୍ନେ ପଡ଼ିଲା ବା ଝଡ଼ି

ଦେହ-ବୃନ୍ତୁ ପ୍ରାଣ-ପୁଷ୍ପ, ଡ଼ାକୁଛି ଉପରୁ

ଭୀମ ଦେବାଳୟ ମୌନ ଉଚ୍ଚାଟ ଆହ୍ୱାନେ,

ଶତ ବାଧା ଲଙ୍ଘି ଆଶା ଧାଉଁଛି ତା ପାଶେ,

ଏଣେ ବେଳ ବୃଦ୍ଧି ସଙ୍ଗେ ବଢ଼ୁଛି ଉଦ୍‌ବେଗ,

ଉଠାଉଛି ହାହାକାର ହୃଦୟ-ମନ୍ଦିରୁ

ଅଦମ୍ୟ ଅତୃପ୍ତି, ହେଲି ଛଟପଟ ଖାଲି ।

ନ ଚଳିଲା ଯାନ ଆଉ, ଅତି କଷ୍ଟେ ତହୁଁ

ଉଠାଇଲେ ସର୍ବେ ମୋତେ ବାନ୍ଧି ବସ୍ତ୍ରପାଶେ ୨

ବିନା ଦୋଷେ ଚୋର ପ୍ରାୟ, କରିଛି ମୁଁ ଚୋରି

ଗିରିରାଜ ଗନ୍ତାଘରୁ ଅମୂଲ୍ୟ ରତନ,

 

୨- କାଟି ଦେଲା ତୁଲ୍ୟ ଦୁରାରୋହ ସ୍ଥାନରେ ଉଠି ନ ହେବାରୁ ଶଉରାମାନେ ଲେଖକର କଟୀ ଦେଶରେ ଗାମୁଛା ବାନ୍ଧି ଆଗେ ଆଗେ ଓଟାରିଲେ । ପିଠିଆଡ଼ୁ ଦୁଇଜଣ ଉପରକୁ ଠେଲିଲେ । ଆଉ ଦୁଇ ଜଣ ବାହୁ ଧରିଲେ । ଏହିପରି ପ୍ରାଣାନ୍ତକ କଷ୍ଟରେ ଶିଖରକୁ ଉଠିବାକୁ ହେଲା ।

 

ସେହି ଅପରାଧେ ପରା ଏ ବନ୍ଧନ ମୋର,

ଗିରିର ବିଶ୍ୱାସୀ ଚର-ବାହକ ହସ୍ତରେ ।

ମାତ୍ର ସାନୁମାନ, ତୋର ବୃଥାଏ ଧାରଣା,

ସେଭଳି ଚୋରର ଭାଗ୍ୟ କାହିଁ’ଛି ମୋହର,

 

ଚିହ୍ନି ଜାଣେ ନାହିଁ ରତ୍ନ, ଚୋରାଇବି କିସ,

ଭ୍ରମୁଛି ମୁଁ ଶିଶୁ ପ୍ରାୟ, ଦେଖୁଛି ଯା କିଛି

ଲାଗୁଛି ତାଟଙ୍କା ସବୁ ମାରିନିଏ ଭେଲକା,

ମାତ୍ର ବୁଝି ପାରୁ ନାହିଁ କି ମର୍ମ କାହାର ।

 

ଗିରିମଣି, କି ମଧୁର ତୋହ ଦତ୍ତ ଶାସ୍ତି,

ହୋଇଥାନ୍ତି କ୍ଷତଦେହ ଯଦି ତୋ ବନ୍ଧନେ,

ମଣନ୍ତି ସେ ଦଣ୍ଡକୁ ମୁଁ ଅଧିକେ ମଧୁର,

ବହନ୍ତି ସାଗ୍ରହେ ତାକୁ ତୋହ ସ୍ମୃତିରୂପେ,

 

ଭୁଞ୍ଜନ୍ତି ଏ ମର ଭାଗ୍ୟେ ଅମର ସୌଭାଗ୍ୟ !

ଦେଖୁ ଦେଖୁ ତୋ ମାଧୁରୀ ମରି ତୋହ କୋଳେ

ଜନମିଲେ ପଶୁ ହୋଇ ତୋହ କଳେବରେ,

ତାହା ସୁଦ୍ଧା ନର ଭାଗ୍ୟେ ପରମ କଲ୍ୟାଣ !

 

ଉଠିଲି ଶିଖରେ, ଅହୋ, ମହେନ୍ଦ୍ରର ଏ କି

ବିପୁଳ ବିସ୍ତୃତି, କିବା ରୁଦ୍ରକାନ୍ତ ବେଶ,

ସେ ଅନନ୍ତ ରୁଦ୍ରତାର ସମ୍ପୂର୍ଣ୍ଣ ସତ୍ତାରେ

ହେଲି ଆତ୍ମବିସ୍ମୃତ ମୁଁ କ୍ଷଣେ, କାହାର ଏ

 

ସପ୍ତତଳ ଛବିଚ୍ଛନ୍ନ ଶାଶ୍ୱତ ପ୍ରସାଦ,

ସଂସାରର ଝଞ୍ଜାବାତେ ଢାଳିଦେଇ ଦେହ

କରୁଛି କାଳକୁ ତୀବ୍ର ତିକ୍ତ ଉପହାସ ।

ପୁଣି ନିମ୍ନେ ଏ କି ଦୃଶ୍ୟ, ଦକ୍ଷିଣୋତ୍କଳର

 

କି ସଜୀବ ମାନଚିତ୍ର ରହିଛି ବିସ୍ତୃତ,

ବିରାଟ ପୃଷ୍ଠା ଏ ସୃଷ୍ଟି ସୌନ୍ଦର୍ଯ୍ୟ-ସାହିତ୍ୟେ ।

ତିନି ଦିଗେ ଗିରିମାଳା, ପୂର୍ବରେ ସାଗର,

ମର୍କତ ବଳୟମୁଖ କରିଣ ମୁକୁଳା

 

ରଖିଛି କି ବିଶୁଶିଳ୍ପୀ ସୃଷ୍ଟିଦେବୀ ପାଇଁ !

ସ୍ତରେ ସ୍ତରେ ଗିରିମାଳା ରହି ପଛେ ପଛେ

ମିଶାଇଛି ଦୂରେ ନଭ ମେଦିନୀର ସୀମା,

ଉତ୍ତାଳ ତରଙ୍ଗମୟ ନୀଳ ସମୁଦ୍ରର

 

କାନ୍ତ ୧ ମାୟାଚିତ୍ର କିବା ରହିଛି ବିସ୍ତୃତ,

ଅଥବା ସେ ତ୍ରିଦିବର ମାରାଗ ସୋପାନ

କିମ୍ୱା ବ୍ୟୋମ-ଯୋଗୀ ଭସ୍ମ-ଧୂସରିତ ଭାଲେ

ତ୍ରିବଳି ତିଳକ ଗଙ୍ଗା ମୃତ୍ତିକା ଅଙ୍କିତ,

୧- କମନୀୟ ।

 

ନତୁବା ଦିଶୁଛି ଫୁଟି ଦୁଃଖୀ ହୃଦୟର

ବେଦନାର ଶତ ଦାଗ, କୃଷ୍ଣରେଖା ପ୍ରାୟ ।

ସ୍ପଷ୍ଟ ଦିଶେ କେତେ ଗିରି, କେହି କ୍ଷୀଣପ୍ରଭ,

କ୍ଷୀଣପ୍ରଭ ଯଥା, ହାୟ, ଭଗ୍ନ ହୃଦେ ଆଶା ।

 

ଦିଶୁଛି ତରଳା ରାଜ୍ୟ ଶୋଭା-ଉତ୍ତରଳା

ଗିରି-ଗଭାବତୀ, ଶୈଳ ସାତ-ଭଉଣୀଆ

ଶୋଭା ତାର ନୈସର୍ଗିକ ସୀମାବାଡ଼ରୂପେ,

ଶତଦଳ-ପରିମଳା ଟେକଲୀ ତା ପାଶେ । ୨

 

୨- ଟେକିଲୀରେ ଶ୍ୱେତ ଶତଦଳପୂର୍ଣ୍ଣ ବିଶାଳ ସରୋବର ଅଛି ।

ଦିଶିଲା ପାରଳା, ଗଙ୍ଗବଂଶ ରାଜଧାନୀ,

ଚନ୍ଦନଶୀତଳା ମହୀ, ୩ ଶୋହେ ଶିରେ ତାର

ତୈଲଙ୍ଗୀୟ ବକ୍ର ଖୋଷା ପ୍ରାୟେକ ଅଜୟ । ୪

ଦୂରେ ଦିଶେ ରାମଗିରି ଉଦେଗିରି ବେନି, ୫

୩- ପାରଳାର ଚନ୍ଦନ ଗିରିରେ ଚନ୍ଦନ ଗଛ ଥିବାର ପ୍ରବାଦ ଅଛି । 

୪- ଅଜୟଗିରି ପାରଳାର ସର୍ବୋଚ୍ଚ ପର୍ବତ । 

୫- ଖେମୁଣ୍ଡୀ ମାଳର ସର୍ବପ୍ରଧାନ ପର୍ବତଦ୍ୱୟ ।

ଯଥା ଦୃପ୍ତ ଦାନବର ରୂପବତୀ ଶକ୍ତି,

ଆକୃତିରେ ପ୍ରତିଫଳେ ଆତ୍ମନିର୍ଭରତା ।

କେତେ ସ୍ତର ଭେଦି ଦିଶେ ତୁଙ୍ଗ ସିଂହରାଜ ୬

ନିଖିଳ ଉତ୍କଳ ମଧ୍ୟେ ଗିରିକୁଳ-ଗୁରୁ,

୬- ପ୍ରାକୃତିକ ଉତ୍କଳର ସର୍ବଶ୍ରେଷ୍ଠ ପର୍ବତ । ଏହା ସାନଖେମୁଣ୍ଡି ମାଳରେ ଅବସ୍ଥିତ ।

ଦିନାନ୍ତେ ବାରୁଣୀ ଯାକୁ ନିଉଛାଏ ନିତି

ଅସ୍ତୋନ୍ମୁଖ ରବିରୂପ ମାଣିକ୍ୟ ଥାଳୀରେ,

ଯହିଁ ତପ୍ତ ପାଣିକୁଣ୍ଡେ ୭ ଶୀତେ ଅମରୀଏ

ରଚନ୍ତି ପରମାନନ୍ଦେ ସଲିଳ-ବିହାର,

 

୭- ସିଂହରାଜ ପର୍ବତର ଅଧିତ୍ୟକାରେ ‘ତପ୍ତପାଣି’ ନାମରେ ଗନ୍ଧକ ଗନ୍ଧବିଶିଷ୍ଟ ଉଷ୍ଣ ପ୍ରସ୍ରବଣ ଅଛି ।

ଅଙ୍ଗଧୌତ ଚତୁଃସମ ୧ ପଚି କୁଣ୍ଡଜଳେ

କରିଛି ବିକୃତ ତାକୁ ଗନ୍ଧେ ରୂପେ ସ୍ୱାଦେ,

ଗିରିଚକ୍ରବର୍ତ୍ତୀ ଯେଣୁ ତେଣୁ ପୁରାକାଳେ

ଲଭିଥିଲା ସମ୍ମାନର ସ୍ୱର୍ଣ୍ଣ ସିଂହାସନ,

୧- ଚନ୍ଦନ, ଅଗୁର, କସ୍ତୁରୀ, କୁଙ୍କୁମ ।

ସୌମ୍ୟ କୁଞ୍ଜ, ରମ୍ୟ ଦରୀ, ଉଭୟେ ତାହାର

ଦୁର୍ଚ୍ଛନା ପ୍ରଦାନେ ଦକ୍ଷ ବାରସ୍ୱତୀ ପୁରେ ।

ସୁବଳୟ ୨ ଶୁଭ୍ର ମଥା ତୋଳିଛି ସୁଦୂରେ

ଅର୍ଦ୍ଧନିମଜ୍ଜିତ ପୋତ ସିନ୍ଧୁ ଗର୍ଭେ ଯଥା,

୨- ଧରାକୋଟ ଗଡ଼ର ନିକଟବର୍ତ୍ତୀ ପର୍ବତ ।

୩- ଋଷିମାଳ ପର୍ବତ ବଡ଼ଗଡ଼ ରାଜ୍ୟରେ ଅବସ୍ଥିତ ।

ବାଇଣ ମୁରଲୀ ଯହିଁ ଋଷିକୁଲ୍ୟାକୂଳେ

କୃଷ୍ଣରୂପୀ କୃଷ୍ଣସିଂହ ମୋହିଲେ ଅତୀତେ

ଏ ଗଞ୍ଜାମ-ବ୍ରଜଧାମେ, ମହାମହୋଲ୍ଲାସେ !

ଚାହିଁଅଛି ଋଷିମାଳ ଋଷିକୁଲ୍ୟାତାତ

(ଋଷି ପ୍ରାୟ ସୁଗମ୍ଭୀର, ଜଟିଳ ଶ୍ମଶ୍ରୁଳ)

 

ଚକିତ ଚାହାଣି ଢାଳି ବିମୁଗ୍‌ଧ ନୟନେ ।

କ୍ରୁଧ ବୀର ଶିର ଝୁଣି ଚାହିଲା ପରାଏ

ଏଣେ ଉଭା ଦୁଧସର ୪, ଭଞ୍ଜ-କେଳି-ଶୈଳ,

ଜନ୍ମି ଯହିଁ ଉତ୍କଳର ଜାତୀୟ ବିଭବ

୪- ଘୁମୁଷରସ୍ଥ ପର୍ବତ ।

କବୀନ୍ଦ୍ର ଉପେନ୍ଦ୍ରଭଞ୍ଜ ବାଢ଼ୁଥିଲେ ଆହା

ଭାରତୀ-ଦେଉଳେ ସଦା ଅମୃତ ମଣୋହି ।

ପାର୍ଶ୍ୱେ ତାର ଅଷ୍ଟଦୁର୍ଗ, ଯହିଁ ଶାଳବନୁ

ସଂଗ୍ରହନ୍ତି ଜତୁ, ଧୂନା, ମଧୁ, ଶୁକ ଶିଶୁ

ଦୂରନ୍ତ କିରାତକୁଳ, ଆଜନ୍ମ ନିର୍ଭୟ ।

ଆବିର୍ଭାବି ସେ କାନ୍ତାରୁ ପଙ୍କୁ ପଦ୍ମ ଯଥା

କବି-ରବି ବଳଦେବ ବିସ୍ତାରିଲେ ପ୍ରଭା

ଅନଶ୍ୱରା, ଅମଳିନା, ସାହିତ୍ୟ ରାଜ୍ୟରେ,

ଉତ୍କଳ-କବିତା-କୁଞ୍ଜେ ଅମର ପିକ ସେ ।

ମର୍କତ ଫରୁଆକୃତି ଶିଖରୀ ‘ମାରୁଆ’

ଦିଶେ ଯଥା ଭାସୁଅଛି ମାନସେ ସାରସ,

ନିମ୍ନେ ତାର ଖଲ୍ଲିକୋଟ, ମର୍ଦ୍ଦରାଜ ରାଜ୍ୟ,

 

କୁଆଁତାରା ରୂପେ ଉଇଁ ଯା ଭାଗ୍ୟେ କମଳା,

କରିଛନ୍ତି ଦୀପ୍ତ ଯାକୁ ହିରଣ୍ମୟ କରେ,

ଉତ୍କଳ-ଅଳକା-ଟୀକା ଦିଶୁଛି ଚିଲିକା,

କୋଟିସ୍ମୃତି ବିଜୁମ୍ଭିତ ଯାର ପୁଣ୍ୟ ନାମେ,

ବିଶ୍ୱକର୍ମା କୋହି ପ୍ରାୟ ଆଭାସେ ଦୀର୍ଘିକା

ତରଳ ରଜତେ ପୂର୍ଣ୍ଣ, ଢାଳି ଛାଞ୍ଚେ ତାହା

ଗଢ଼ିବ ବିନ୍ଧାଣୀ ଭୂଷା-ପ୍ରକୃତି ସକାଶେ ।

ଅଥବା ସେ ଦଧିଭାଣ୍ଡ, ଦୁହିଁ କାମଧେନୁ

ବସାଇଛି ବିଧି ଦଧି, ସମୀର ମନ୍ଥନେ

ଚୌପାଶେ ଆଉଜେ ଫେନ-ସିନ୍ଧୁ ନବନୀତ,

ପାତ୍ର ଦୋଷେ ତୀବ୍ର ଲୁଣୀ ବିକୃତ ବିସ୍ୱାଦ ।

ଗର୍ଭେ ଠାବେ ଠାବେ ଶୈଳ, ନୀଳ ଦ୍ୱୀପପୁଞ୍ଜ,

ସରୋବରେ ଗଜଯୂଥ କରନ୍ତି କି ସ୍ନାନ !

ଉଭା ଗିରି ଶତଶୃଙ୍ଗ ୫ ତୋଳି ଖର୍ବ ଶିର,

ଆପାଦମସ୍ତକ ହୋଇ କୁଜ୍‌ଝଟିକାବୃତ

ଆଭାସୁଛି ତୂଳା ଶୈଳ ପ୍ରାୟ, ଅଥବା ସେ

୫- ବିରୁତି ରାଜ୍ୟସ୍ଥ ପର୍ବତ ।

 

ସ୍ଫଟିକ-ନିର୍ମିତ ଶିବ, ଅଭିଷିକ୍ତ ସଦା

ଚିଲିକାର ଲୀଳାମୟ ମହାତୀର୍ଥ ନୀରେ ।

ଗଞ୍ଜାମ ସୌଭାଗ୍ୟଲକ୍ଷ୍ମୀ ବର ଆଶୀର୍ବାଦ

ବହୁଅଛି ନଦୀରୂପେ ଋଷିକୁଲ୍ୟା ନାମେ

 

ଦିଶେ ତା ଉତ୍ତର ତୀରେ ତାରିଣୀ ଶିଖରୀ ୬

ଅତିଦୂର ହେତୁ ହୁଏ ପ୍ରତୀତ ଏସନ,

ବନ-ବାରିଧିରୁ ନୀର ଶୋଷୁଛି କି ଘନ ?

ଜଉଗଡ଼ ୭ ଭଗ୍ନସ୍ତୂପ ସ୍ଥିତ ଦକ୍ଷ ତୀରେ,

 

୬- ପ୍ରଚଳିତ ନାମ ତାରାତାରିଣୀ ପର୍ବତ । ସେଠାରେ ତାରା ଏବଂ ତାରିଣୀଦେବୀଙ୍କର ମନ୍ଦିର ଅଛି । ୭- ଜଉଗଡ଼ରେ ମହାତ୍ମା ଅଶୋକଙ୍କର ପ୍ରସ୍ତର ଖୋଦିତ ଅନୁଶାସନ ଅଛି ।

 

ସେହି ଭଗ୍ନସ୍ତୂପ ମଧ୍ୟେ ଅଛି ସମାଧିସ୍ଥ

ଗୌରବ ଯୁଗର ବହୁ ମୂଲ୍ୟବାନ ସ୍ମୃତି-

ସଂଖ୍ୟାତୀତ ଇତିବୃତ୍ତ ସ୍ୱର୍ଣ୍ଣ ଉପାଦାନ ।

ଜରାସନ୍ଧ, ତାଳଗୁଡ଼ି, ଲୋହିତ, ନିମାଇ ୧

 

୧- କ୍ରମାନ୍ୱୟରେ ଜରଡ଼ା, ସୁରଙ୍ଗୀ, ଚିକିଟି ଓ ଜଳନ୍ତରସ୍ଥ ପର୍ବତ ।

 

ଚିହ୍ନାଯାଉଛନ୍ତି ଦୂରୁ ପରିଚିତ ହେତୁ ।

ପୂର୍ବରେ ମଞ୍ଜୁଷା ମହୀ-କେତକୀ କୁନ୍ତଳା,

ସୂକ୍ଷ୍ମ-ଶିଳ୍ପକଳାମୟୀ, ଦେଖିଲେ ଯାହାର

ଗଜଦନ୍ତ, କାଷ୍ଠ, ସ୍ୱର୍ଣ୍ଣ, ମୃତ୍ତିକାଦିଶିଳ୍ପ,

 

ସ୍ୱୟଂ ବିଶ୍ୱକର୍ମା ହୋଇ ଲଜ୍ଜା-ସଙ୍କୁଚିତ

ଧିକ୍‌କାରିବେ ନିଜେ ନିଜ ଅମର ପ୍ରତିଭା ।

ଶୋଭେ ଯାର ସଂମାର୍ଜିତ ମୁକୁର ସଂକାଶ

ଶମୀ-ସମାକୀର୍ଣ୍ଣ ସ୍ୱଚ୍ଛ ଗୋପାଳ-ସାଗର । ୨

 

୨- ମଞ୍ଜୁଷା ଗଡ଼ର ନିକଟବର୍ତ୍ତୀପୁଷ୍କରିଣୀ । ଏହା କୂଳରେ ଶମୀ ବୃକ୍ଷ ଅଛି ।

 

ଧନ୍ୟବତୀ ମହୀ, ପୁଣ୍ୟବତୀ, ଯଶୋବତୀ,

ବକ୍ଷମଣି ମହାତୀର୍ଥ ମହେନ୍ଦ୍ର ଯାହାର

କିସ ତୁଳନୀୟ ତାର ସୌଭାଗ୍ୟ ସହିତେ ?

ରାଜଭକ୍ତି ସୁଦାୟାଦ ତାର ନୃପକୁଳ,

 

ଜଗନ୍ନାଥ ରାଜମଣି ୩ ଦୃଷ୍ଟାନ୍ତ ତହିଁର,

ଦେଖାଇ ସୁଗୁଣ ରାଏ, ସେହି ଗୁଣ ମୂଲ୍ୟେ

କିଣିଥିଲେ ରାଜଦ୍ୱାରୁ ଗୌରବ ଉପାଧି

ଗଞ୍ଜାମ ରାଜନ୍ୟ ମଧ୍ୟେ ସର୍ବ ପ୍ରଥମରେ ।

 

୩- ମଞ୍ଜୁଷାର ଭୂତପୂର୍ବ ରାଜା ଜଗନ୍ନାଥ ରାଜମଣୀ ଦେବ ଗଞ୍ଜାମ ନରପତିମାନଙ୍କ ମଧ୍ୟରେ ସର୍ବପ୍ରଥମ ଗବର୍ଣ୍ଣମେଣ୍ଟରୁ ସି ଆଇ.ଇ ସମ୍ମାନସୂଚକ ଉପାଧି ପ୍ରାପ୍ତ ହୋଇଥିଲେ । ଅବଧି ଉକ୍ତ ଉପାଧି ଅନ୍ୟ କୌଣସି ନରପତି ଭାଗ୍ୟରେ ଘଟି ନାହିଁ । ମହାତ୍ମ୍ୟ ଜଗନ୍ନାଥ ରାଜମଣି ଦେବ ସି. ଆଇ ଇ ଉପାଧି ସହ ‘ରାଜା’ ଉପାଧି ମଧ୍ୟ ଲାଭ କରିଥିଲେ ।

 

ମଞ୍ଜୁଷାର ସିଂହାସନ ସ୍ୱଭାବ ପବିତ୍ର,

ରାଜଋଷ ବାସୁଦେବ ପୁଣ୍ୟ ପରଶରେ

ହୋଇଛି ସେ ଦେବାଳୟ, ନତୁ ଯାଗବେଦୀ,

ପବିତ୍ର ଜାହ୍ନବୀ ଜଳେ ମିଶିଛି ତୁଳସୀ । ୪

 

୪- ମହାତ୍ମା ବାସୁଦେବ ରାଜମଣି ଦେବ ବର୍ତ୍ତମାନ ନରପତିଙ୍କର ପିତା ଅଟନ୍ତି । ସେ ବହୁ ଭାଷାରେ, ବିଶେଷତଃ ସଂସ୍କୃତରେ ଅଗାଧ ପାଣ୍ଡିତ୍ୟ ଲାଭ କରିଥିଲେ ।

 

କୁସୁମ ସୌରଭ ପ୍ରାୟ ଜନ୍ମି ତାଙ୍କ ତହୁ

ଶ୍ରୀନିବାସ ରାଜମଣି, ମଣ୍ଡିଛନ୍ତି ରାଏ

 

ସେହି ପୁଣ୍ୟ ଦେବାଳୟ, ସେହି ପୁଣ୍ୟ ବେଦୀ

ବେନି ଶାସ୍ତ୍ରେ ପଣ୍ଡିତ ସେ, ବେଦେ, ଧନୁର୍ବେଦେ,

ମଣନ୍ତି ସେ ମହାବଳେ ମାର୍ଜାର-ଶାବକ ।

 

ଦିଶୁଛି ପୁରତେ ଏହି କାଣ୍ଡଗଳା ଗିରି

ଭୀମସେନ ଶାସ୍ତି ଚିହ୍ନ ବହି କଳେବରେ ।୫

ତଳେ ବୁଢ଼ାସିଂହ ରାଜ୍ୟ, ସ୍ମରଣେ ଯା ନାମ

ବାଜିଉଠେ ସ୍ମୃତି-ତାରେ ମର୍ମଭେଦୀ ତାନେ

 

୫- ଭୀମ କାଣ୍ଡ ମାରି ଏହି ପର୍ବତକୁ ଫୁଟାଇ ଦେଇଥିଲେ । ଅଦ୍ୟାପି ସେ ଛିଦ୍ର ବିଦ୍ୟମାନ ଅଛି ।

 

ଦୂର ଅତୀତର ସେହି ବିଷାଦ ସଙ୍ଗୀତ,

ଭୀଷଣ ଚକ୍ରାନ୍ତେ ଯେବେ ପାଷାଣ୍ଡ ଅରିଏ

ନାଶିଲେ ନିଃଶଙ୍କେ, ଘୃଣ୍ୟ ପୈଶାଚିକ ଭାବେ । ୬

ଦିଶେ ଖର୍ବ ‘‘ରାଟୀ’’, ସୁପ୍ତ ଅଜଗର ପ୍ରାୟ,

 

୬- ଏଠାରେ ବାର ଡାଙ୍ଗୁଆ ନିଃଶଙ୍କ ନାମରେ ଜଣେ ଅମାନୁଷୀ ବଳଶାଳୀ କ୍ଷତ୍ରିୟ ଥିଲେ । ପର୍ବତର ଆପାଦମସ୍ତକ ଲମ୍ୱୀ ଗୋଟିଏ ଲତା ସାହାଯ୍ୟରେ ସେ ପ୍ରତ୍ୟହ ପର୍ବତ ଉପରିସ୍ଥ ଦେବଦର୍ଶନକୁ ଗମନ କରନ୍ତି । ଦିନେ ସେ ଲତାର ଅଧ ଦୂର ପର୍ଯ୍ୟନ୍ତ ଉଠିଅଛନ୍ତି, ଏହି ସମୟରେ ଶତ୍ରୁମାନେ ଲତା ଉପରୁ ହାଣିଦେବାରୁ ସେ ନିମ୍ନରେ ପତିତ ହୋଇ ପଞ୍ଚତ୍ୱ ପ୍ରାପ୍ତ ହେଲେ ।

 

କାଞ୍ଚି ଜୈତ୍ର ଯାତ୍ରାକାଳେ ଉତ୍କଳବାହିନୀ,

ବାନ୍ଧିଥିଲେ କଳା ଧଳା ଅଶ୍ୱ ତାହା ତଟେ

କଳା ଧଳା ଭାଇ ବେନି କୃଷ୍ଣ ବଳରାମ ।

ବିରାଜେ ବାରୁଆ ରାଜ୍ୟ, ନାରିକେଳ-ନୀଳ,

ବୋଇତ ଆଶ୍ରୟସ୍ଥଳୀ, ସିନ୍ଧୁଗାମୀ ପୋତେ

ଶ୍ରାନ୍ତ କ୍ଳାନ୍ତ ହୋଇ ତହିଁ ଭଜନ୍ତି ବିଶ୍ରାମ ।

ତା ପଛେ ଉଦ୍ୟାନଖଣ୍ଡ-ପାଦପବାରିଧି,

ନୀଳିମା ପ୍ରବାହ ପ୍ରାୟ ଯାଇଛି ସେ କାହିଁ

ନୀଳ ଚକ୍ରବାଳ ଭେଦି ଭିତରେ ଭିତରେ,

ଶୀତ ପ୍ରାତେ ହଂସଯୂଥେ ଉଡ଼ିଆସି ଯହୁଁ

ଗମନ୍ତି ଚିଲିକାମୁଖେ ମୃଦୁ କଳରବେ,

ସୃଜି ନଭେ ସୂତ୍ରଶୂନ୍ୟ ନିସ୍ତମ୍ଭ ତୋରଣା ।

ଉଦ୍ୟାନର ପୃଷ୍ଠଭାଗେ ବିରାଟ ସାଗର

ଚାହିଁଲି ଦର୍ଶନ-ଯନ୍ତ୍ର ସଂଯୋଗି ନୟନେ, ୧

ଉତ୍ତାଳ ତରଙ୍ଗାକୁଳ ଗର୍ଭ ସଦା ତାର,

ଅହୋ, କି ଚାଞ୍ଚଲ୍ୟ, କିବା କର୍ମପ୍ରବଣତା-

୧-ଦୂରବିକ୍ଷଣ ଯନ୍ତ୍ର ।

 

କିବା ଅବସାଦଶୂନ୍ୟ ଉଗ୍ର ଉତ୍ତେଜନା-

କି ବିକଟ ଅନିବୃତ୍ତ ଉଚ୍ଛୃଙ୍ଖଳ ହାସ୍ୟ,

ହସି ହସି ଅବିରତ ଫେନୋଦ୍ଗାର ଛଳେ

ଯାଉଛି ବେଳାରେ ଗଡ଼ି ହର୍ଷ ଅସମ୍ଭାଳେ,

 

ବିସ୍ତାରି ଲହରୀ-କର ବୁଣି ବୁଣି ମୋତି,

ଢାଳି ଢାଳି ପୁଷ୍ପାଞ୍ଜଳି, ଆସେ ସିନ୍ଧୁ ଧାଇଁ

ବେଳା ଆଲିଙ୍ଗନ ଆଶେ, ମାତ୍ର ବେଳା ତାକୁ

ଦେଉଛି ପଛକୁ ଠେଲି, ତଥାପି ସାଗର

 

ପତି ଉଠି ପ୍ରଧାବିତ ବେଳା ଅଭିମୁଖେ ।

ଏକର ଉନ୍ମୁଖ ସ୍ନେହ, ଅବିରକ୍ତ ଆଶା,

ପ୍ରାଣର ପ୍ରଣୟବୋଳା ଆତୁର ଆହ୍ୱାନ,

ସକଳ କରୁଛି ବ୍ୟର୍ଥ-ଅବଜ୍ଞା ଆନର ।

 

ସିନ୍ଧୁସୁତ ନୂଳିଆଏ ଜଳର ମାନବ-

ବାହୁଛନ୍ତି ଜାଲ ବସି ଟିପାକାଠି ପୃଷ୍ଠେ, ୨

ଦିଶୁଛନ୍ତି ଦୂରୁ କ୍ଷୁଦ୍ର ପାଣିକୁଆ ପ୍ରାୟ,

କ୍ଷଣେ କ୍ଷଣେ ମଗ୍ନ ପୁଣି କ୍ଷଣେ ଭାସମାନ,

 

୨- ଈକ୍ଷତ୍ତ ବକ୍ରାକାରବିଶିଷ୍ଟ ପାଳଧୂଆ କାଠର ଗଣ୍ଡି ।

 

ଆତ୍ମା ଯଥା ଭବସିନ୍ଧୁ ନୀରେ କିମ୍ୱା ଯଥା

ମାନବ ଭଙ୍ଗୁର ଭାଗ୍ୟ କାଳ-ପାରାବାରେ ।

ମଣ୍ଡିଛି ମଞ୍ଜୁଳେ ରମ୍ୟ ରଞ୍ଜନ-ଉଦ୍ୟାନ ୩

ସ୍ୱର୍ଣ୍ଣମୁଦ୍ରା ସ୍ୱର୍ଣ୍ଣତୀର, ବସନ୍ତ-ନିବାସ,

 

୩- ରକ୍ତଚନ୍ଦନୀ ତୋଟା । ଏହି ତୋଟାରେ ପୂର୍ବେ ରକ୍ତଚନ୍ଦନ ଥିବାର ପ୍ରବାଦ ଅଛି ।

 

ଛୁରିଅନା, ନାଗେଶ୍ୱର, ଚମ୍ପକ, ବକୁଳ

କରନ୍ତି ଆକୁଳ ଭୃଙ୍ଗେ-ସୌରଭ-ବାତୁଳ ।

ଏହିପରି କେତେ ଗ୍ରାମ, ନଗର, ନବର,

କାନ୍ତାର, ପ୍ରାନ୍ତାର, ନଦୀ, ତଡ଼ାଗ, ପର୍ବତ,

 

ଦିଶୁଛି ମହେନ୍ଦ୍ର ଶିରୁ, ନାହିଁ ତା କଳନା,

ଅବହେଳେ କିଣେ ତାହା ଦର୍ଶକ-ଦିଦୃକ୍ଷା ।

 

ସପ୍ତମ ସର୍ଗ

 

ଚାହୁଁ ଚାହୁଁ ମାଡ଼ି ଆସି ନିବିଡ଼ କୁହୁଡ଼ି

ଘୋଡ଼ାଇଲା ସୃଷ୍ଟି-ଶୋଭା, ଘୋଡ଼ାଏ ଯେସନ

ସୁଖଦ ଶରଦ କାଳ ଇନ୍ଦ୍ର ଧନୁ କାନ୍ତି,

କିମ୍ୱା ଯଥା ଆତ୍ମଶ୍ଳାଘା ଘୋଡ଼ାଏ ପ୍ରତିଭା ।

 

ଜଳ ସ୍ଥଳ ଗିରି ବନ ଆକାଶ ପୃଥିବୀ

ହେଲା ସବୁ ଏକାକାର, ଭଙ୍ଗୁର ମିଳନେ,

ପାରଦ-ସଲିଳେ ସୃଷ୍ଟି ଭଜିଲା ପ୍ରଳୟ ।

ଆସିଲା କୁହୁଡ଼ି ପଛେ ଅନ୍ତଥରା ଶୀତ,

 

ଦୁଷ୍‌କର୍ମର ଅନୁଗାମୀ ଦୁର୍ଗତି ଯେସନ,

ବାଜିଲା ଦନ୍ତରେ ଦନ୍ତ, ଖଞ୍ଜା ଉପଖଞ୍ଜା

ଫାଟିଗଲା ଶୀତେ ବିନ୍ଧି ପିଣି ପିଣି ହୋଇ,

ନେଲି ମୁଁ ସଦଳେ ଆଶ୍ରା ଭୀମ ଦେବାଳୟେ ।

 

ଗନ୍ଧନା ଇନ୍ଧନ ଯୋଗେ ୧ ଉତ୍ପାଦି ଅନଳ

ଜାଳିଲେ ଶବରେ ଧୂନୀ, ସେକି ହୋଇ ସର୍ବେ

ପ୍ରକୃତିର ଅତ୍ୟାଚାରୁ ଲଭିଲୁଁ ନିସ୍ତାର ।

ମଗ୍ନ ହେଲେ ବସୁନ୍ଧରା ପାପ-ଅନ୍ଧକାରେ,

 

୧- ଅଗ୍ୟାବଥୁ ଗଛ । ଏହି ଗଛର ଦୁଇଖଣ୍ଡ ଶୁଖିଲା କାଠକୁ ଘର୍ଷଣ କଲେ ଅଗ୍ନି ଜାତ ହୁଏ ।

 

ଧରି ହରି ଅବତାର ଦେଖାନ୍ତି ଯେସନ

ଅତ୍ୟୁଜ୍ଜ୍ୱଳ ଅଭିନବ ଧର୍ମର ଆଲୋକ,

ଜେସନ କୁହେଳୀ ଭେଦି ପ୍ରଭୁ ପ୍ରଭା-ବିଭୁ

ତଳକୁ ଖସାଇଦେଇ ଜ୍ୟୋତିର ପ୍ରପାତ

 

ପ୍ରଦାନିଲେ ଯାମାନ୍ତରେ ଭୂଲୋକେ ପୁଲକ,

କଲା ତହୁଁ ସୃଷ୍ଟି ସ୍ନାନ କନକ-କିରଣେ ।

କି ଅଦ୍ଭୁତ କି ଅଶ୍ରୁତ ମାୟାକାଣ୍ଡ ଏହା,

ପ୍ରଭାତ ଉତ୍ତାରୁ ସନ୍ଧ୍ୟା, ତା ପଛେ ମଧ୍ୟାହ୍ନ,

 

ଶୀତ ପରେ ବର୍ଷା, ପୁଣି ବର୍ଷାନ୍ତେ ନିଦାଘ,

ସୀମାତୀତ ସ୍ୱେଚ୍ଛାଚାର ଏ କି ପ୍ରକୃତିର,

 

କିମ୍ୱା ବିପରୀତ ଉଗ୍ର ବିଶୃଙ୍ଖଳା ରୀତି,

କିନ୍ତୁ ବିଚିତ୍ର ଏ ଦୃଶ୍ୟ, ଏହି ଦୃଶ୍ୟ ସିନା

କରିଅଛି ପ୍ରାଣମୟ ଦିବସେ ଏ ସ୍ଥାନେ

ସେ ଦିନ ମାନବ ଭାଗ୍ୟେ ଦେବତାର ଦାନ ।

ବାହାରି ଦେଉଳ ମଧ୍ୟୁ ଆସିଲି ବାହାର,

ସଗର୍ବେ ଭୀମଙ୍କ ସ୍ମୃତି ଧରି ସେ ଦେଉଳ

ଚୌଥାକୀ ଥାକୁଲା ବପୁ, ଉଭା ମୌନଭାବେ,

ବିରାଟ ପ୍ରସ୍ତର ପରେ ବିରାଟ ପ୍ରସ୍ତର

ଥୁଆ ହୋଇ ସେ ଦେଉଳ ହୋଇଛି ନିର୍ମିତ, ୨

ପ୍ରତେ ହୁଏ ଯେହ୍ନେ ବହୁ ତୁଙ୍ଗ ଗିରିଚୂଡ଼ା

୨- ଚାରି ପରସ୍ତ ପଥର ଉପରେ ଖଣ୍ଡିଏ ବିଶାଳ ଆଢ଼େଣୀ ପଥର ରକ୍ଷିତ ହୋଇ ଏହି ମନ୍ଦିର ନିର୍ମିତ ହୋଇଅଛି । ପ୍ରତି ପଥରର ଲମ୍ୱା ୬ହାତ, ଓସାର ୪ହାତ ଓ ବହଳ ୩ ହାତ । ସର୍ବୋପରିସ୍ଥ ପଥରର ଲମ୍ୱା ୭ ହାତ, ଓସାର ୭ ହାତ ଏବଂ ବହଳ ପ୍ରାୟ ୫ ହାତ ।

ରହିଛି ସଜ୍ଜିତ ହୋଇ ଉପରେ ଉପରେ,

ବିପୁଳ ଆକୃତି ତାର ଦିଏ ପରିଚୟ

ଭୀମସେନ ଅମାନୁଷୀ ଶକ୍ତି, ବିକ୍ରମର ।

କାଳରୂପୀ ଧୃତରାଷ୍ଟ୍ର ବଜ୍ର ଆଲିଙ୍ଗନେ

 

ସେ ଦେଉଳ-ଲୌହଭୀମ ନୋହି ଚୂର୍ଣ୍ଣୀଭୂତ

ରହିଛି ବିଦୀର୍ଣ୍ଣ ହୋଇ, ବିଚିତ୍ର ଭାବରେ । ୩

ଥିଲା ତାହା ଚୂଳେ ପୂର୍ବେ ସୁବର୍ଣ୍ଣ କୃପାଣ,

ସାକ୍ଷୀ ତାର କିମ୍ୱଦନ୍ତୀ, ମାତ୍ର କେଉଁ କାଳୁ

୩- ମନ୍ଦିରର ଉପରିସ୍ଥ ପ୍ରସ୍ତର ବଜ୍ରପତନରେ ଚଡ଼କି ଯାଇଅଛି ।

 

ହୃତ ତାହା କାହାଦ୍ୱାରା, ଅଜ୍ଞାତ ସେ କଥା ।

ଦ୍ୱିଦ୍ୱାରୀ ଦେଉଳ, ତାର ପଶ୍ଚିମ ଦୁଆର

ଧର୍ମାଧର୍ମ ପରୀକ୍ଷାର ସଂକୀର୍ଣ୍ଣ ଅର୍ଗଳୀ ।୪

ନିବସନ୍ତି ସେ ମନ୍ଦିରେ ଭୀମେଶ୍ୱର ହର

 

୪- ଭୀମ ମନ୍ଦିରର ପଶ୍ଚିମ ଦ୍ୱାର ପ୍ରାୟ ଏକ ଫୁଟ ଓସାର । ଏଥିରେ ମନୁଷ୍ୟ ଗଳିବା ସହଜ ନୁହେଁ । ତଥାଚ ଶଉରୀମାନେ ବସି ବସି କୌଶଳରେ ପାର ହୋଇଯାନ୍ତି । ପାପୀ ଏହି ଦ୍ୱାରରେ ଗଳି ପାରେ ନାହିଁ ବୋଲି ପ୍ରବାଦ ଅଛି । ପ୍ରବାଦ ସତ୍ୟ ହେଲେ ସ୍ଥୂଳକାୟ ମାତ୍ରେ ପାପୀ ହେବେ, ଏଥିରେ ସନ୍ଦେହ ନାହିଁ ।

 

ଶବର-ଅର୍ଚ୍ଚିତ, ନିତି ଶବର-ବାମାଏ

ପୂଜନ୍ତି ତାହାଙ୍କୁ ଅର୍ପି ବନ୍ୟ ଫୁଲଫଳ ।

ଏକନିଷ୍ଠ ଭୀମଭକ୍ତ ଶଉରାସମାଜ,

ଭୀମନାମେ ଶ୍ରଦ୍ଧାବନ୍ତ, ସ୍ମରଣେ ସେ ନାମ

 

ଲଭେ ସେ ଶରୀରେ ଯେହ୍ନେ ଭୀମ ପରାକ୍ରମ ।

ବୀର ଜାତି, ବୁଝେ ସେହୁ ବୀରର ମହିମା,

ତେଣୁ ବୀରପୂଜା ତାର ଜୀବନ ସମ୍ୱଳ,

ବୀର ନାମେ ମଣେ ଯଥା ତାରକ ମନ୍ତର ।

ରାମକ୍ଷେତ୍ର ୧ ଅଭିମୁଖେ ଗଲି ଅନନ୍ତର,

ଦେଖାଇଲା ଆଗେ ଚାଲି ଉଗ୍ରାଣୀ ୨ ସାରଣୀ,

ଉପଳବନ୍ଧୁର ପଥେ ଯାଇ ଖଣ୍ଡେ ଦୂର

ହେଲା ଗତି ପ୍ରତିହତ, ଉଠି ଠାବେ ଠାବେ

୧- ପର୍ଶୁରାମ କ୍ଷେତ୍ର । ୨- ଶଉରାମାନଙ୍କର ଦଳପତି । ସମ୍ଭବତଃ ଏହା ଅଗ୍ରଣୀ ଶବ୍ଦଜ ।

ସମୁନ୍ନତ ଖଣ୍ଡୋପଳ ଓଗାଳିଛି ପଥ

ଦୌବାରିକ ପ୍ରାୟ, ଯେହ୍ନେ ନୀରବେ ତରଜି

ନିଷେଧୁଛି ଅଗ୍ରସର ହେବାକୁ ପଥିକେ ।

ସହ୍ୟ କରି ତାର ଏହି ମୌନ ତିରସ୍କାର

ଗଲୁଁ ସର୍ବେ ବାଟ ଭାଙ୍ଗି, ଦୁର୍ଜନ ଦର୍ଶନେ

ସାଧୁ ଯଥା, ଅବା ଦେଖି ଦୁର୍ବଳ ପ୍ରବଳେ ।

ଏ ଯେ ଇତିବୃତ୍ତ ରାଜ୍ୟ, ଏହି ଶିଳାସ୍ତୂପ

ଇତିବୃତ୍ତ ପୋଥିଗାଦି, ଇତିହାସ ଏଥି

 

ବୁଲୁଅଛି କଥା କହି, ଶରୀର ଦେଖାଇ ।

ଯାପିଥିଲେ ଏହି ସ୍ଥାନେ ପଶ୍ଚିମ ଜୀବନ

କ୍ଷତ୍ରିୟ-ନିର୍ମୂଳ-କେତୁ ଜମଦଗ୍ନିସୂନୁ

ପରିହରି କ୍ଷତ୍ରଧର୍ମ, ଦ୍ୱିଜଧର୍ମ ଗ୍ରହି,

କ୍ଷତ୍ରିୟ-ଶୋଣିତ ଲେହୀ ଭୀଷଣ କୁଠାରେ

ଭାଙ୍ଗି ଗଢ଼ାଇଲେ ଏଥି ବୀରେନ୍ଦ୍ରେ, ଚିମୁଟା ।

ଅଦ୍ୟାପି ବିଦିତ କୁଣ୍ଡ ତାଙ୍କ ନାମ ବହି,

ଏହି ଶିକା ପରେ ଦେବୀ ଦ୍ରୁପଦଦୁଲାଳୀ

ବାଟିଥିଲେ ଖୋଳି ଏଥୁ ଅରଣ୍ୟହଳଦୀ,

ତାଙ୍କ ସ୍ମୃତିରୂପେ ଶିଳା ବହିଛି ସେ ଚିହ୍ନ ୩

ପ୍ରତେ ହୁଏ ଯେହ୍ନେ ତାହା ସୁବର୍ଣ୍ଣର ଶିଳ ।

ଏହି କୁଣ୍ଡୁଁ ପ୍ରବାହିତ ମହେନ୍ଦ୍ରତନୟା

୩- ଏଠାରେ କେତେକ ଖଣ୍ଡ ହଳଦିଆ ପଥର ଅଛି ।

ମହର୍ଷି-ତର୍ପଣ-ପୁତା, ଗିରି ଆର ପାଖୁ

ବହିଯାଏ ସ୍ୱର୍ଣ୍ଣମୁଦ୍ରା, ଶୁଦ୍ଧ ସ୍ୱଚ୍ଛନୀରା,

ଏହି ତରଙ୍ଗିଣୀ ବେନି ଗିରି ସାଧକର

ସଫଳ ପ୍ରେମାଶ୍ରୁଧାର, ଇଷ୍ଟଲାଭଶଂସୀ,

 

କିମ୍ୱା ସ୍ନେହ କରୁଣାର ପବିତ୍ର ପ୍ରବାହ,

ଅଥବା ସେ ଶାନ୍ତି ପ୍ରୀତି ଅମରୀଯୁଗଳ

ବହୁଛନ୍ତି ନଦୀରୂପେ ଦୟାରେ ବିଗଳି ।

ନିବସି ଏ ନଦୀତୀରେ ଆଚାର୍ଯ୍ୟ ଆଶ୍ରମେ

ଦ୍ରୋଣ, କର୍ଣ୍ଣ, ଗାଙ୍ଗେୟାଦି ୪ମହାରଥିକୁଳ

କରୁଥିଲେ ପରିପକ୍ୱ ଧନୁର୍ବେଦ ଶିକ୍ଷା

ଧନୁର୍ବେଦ ଉପମୂର୍ତ୍ତି ଭାର୍ଗବ ସକାଶୁ ।

ନିମ୍ନଦେଶେ ଗିରିସଭା, ୫ବସି ଗିରି ସଭ୍ୟେ

୪- ଭୀଷ୍ମ । ୫- ଅନେକଗୁଡ଼ିଏ ଖଣ୍ଡୋପାଳର ସମଷ୍ଟି ।

ଅଛନ୍ତି ନିରତ କେଉଁ ଗୁପ୍ତ ମନ୍ତ୍ରଣାରେ,

ପ୍ରସ୍ତାବ, ଅନୁମୋଦନ, ସମର୍ଥନ ଆଦି

ହେଉଛି ସକଳ କାର୍ଯ୍ୟ ନୀରବେ ସମ୍ପନ୍ନ ।

ଅଥବା ସେ ଗିରିରାଜ ମହେନ୍ଦ୍ରଗିରିର

ସୁବିଶାଳ ସୈନ୍ୟଶାଳା, ମଲ୍ଲବୀରେ ତହିଁ

ହୋଇଛନ୍ତି ଠୁଳ କିବା ପରୀକ୍ଷା ଆଶୟେ ।

ଅନ୍ତର ଆରୋହିଲି ଦାରୁବ୍ରହ୍ମଚୂଡ଼େ,

ପରିଚିତ ଯାହା ଗୁପ୍ତ ମହେନ୍ଦ୍ର ଆଖ୍ୟାରେ,

 

ଅନାବୃଷ୍ଟି କାଳେ ତହିଁ କଲେ ମନ୍ତ୍ର ଜପ

ଆବର ମହେନ୍ଦ୍ର ପୂଜା, ହୁଅଇ ସୁବୃଷ୍ଟି ।

ନିଷିଦ୍ଧ ପାରିଧି ଏଥୁ, ଦୈବେ ବେଣ୍ଟକାର

ଆସିଲେ ଏଠାକୁ ହୁଏ ସୁପ୍ତିମଗ୍ନ ଖରେ,

ଦେଖେ ବିଭୀଷଣ ସ୍ୱପ୍ନ, ଶୁଣେ ନିଷେଧାଜ୍ଞା,

ନିଦ୍ରାଭଙ୍ଗେ ଫେରିଯାଏ ଥରିଥରି ଭୟେ ।

ଏ ସ୍ୱର୍ଗରେ ଜୀବହିଂସା, ଏହି ଯୋଗମଠେ

ହତ୍ୟା, ସହିବ କି କେବେ ପ୍ରକୃତି-ତାପସୀ,

ସହିବ କି ସେ ପାପର ଭାର ଏ ଶିଖରୀ,

ଏଣୁ ଏ ବିଚାର ସହ ବିଧାନ ତାହାର ।

ବିଭକ୍ତି ସେ ମହାସାନୁ ମଞ୍ଜୁଷା ପାରଳା ୧

ବେନି ରାଜ୍ୟ ସନ୍ଧି-ବନ୍ଧେ, ଶୋଭେ ତାହା ଶିରେ

୧- ଏଠାରେ ଗୋଟିଏ ପଥରବନ୍ଧ ଅଛି । ତାହା ପାରଳା ଏବଂ ମଞ୍ଜୁଷାର ସୀମାବନ୍ଧ ।

ଗୁଳ୍ମଜଟା, ତଥି ପରେ ଲତାର ଉଷ୍ଣୀଷ,

ପୁଷ୍ଟ ହୁଏ ଜାତି ଯଥା କରି ଆହରଣ

ଜାତୀୟ ସାହିତ୍ୟୁ ଖାଦ୍ୟ, ତଥା ଏ ପାଦପେ

ଶୋଷି ଏ ଚୂଡ଼ାରୁ ରସ, ହୁଅନ୍ତି ବର୍ଦ୍ଧିତ ।

 

ଶୃଙ୍ଗ ନିମ୍ନେ ଅବସ୍ଥିତ ଋଷ୍ୟଶୃଙ୍ଗ ଦରୀ

ତ୍ରିତଳ ପ୍ରାସାଦ ପ୍ରାୟ, ଗିରି ଅନ୍ତଃପୁର,

ମଣ୍ଡିତ ପ୍ରଥମ ତଳ କୋମଳ ଖରଡ଼େ, ୨

ମୟୁରକଣ୍ଠିଆ ରଙ୍ଗେ ରଙ୍ଗାଇ ପ୍ରକୃତି

୨- ଗାଲିଚା ।

ମସୃଣ ଶୈବାଳଦଳ, ବୁଣିଛି ତହିଁରେ

ଏହି ସ୍ନିଗ୍‌ଧ ସୂଚଟୁଳ ଅପୂର୍ବ ଆସନ ।

ଅନ୍ଧାର ଅପର ତଳ, ଜନନୀ ଯେସନ

ରଖେ ଭୀତ ସନ୍ତାନକୁ କୋଳରେ ଲୁଚାଇ,

ତେସନ ଏ ଗିରିଦରୀ, ଅତି ନିକାଞ୍ଚନେ

ରବିଭୀତ-ଅନ୍ଧକାରେ ଲୁଚାଇଛି ଅଙ୍କେ ।

ସ୍ୱଭାବେ ଭୀଷଣ ସ୍ଥଳୀ, ବୁଯେ ଅନ୍ଧକାର

ଅର୍ପିଛି ସେ ବିଭୀଷିକା ଦୃଷ୍ଟା ପିଶାଚୀକି

ଦେହ-ପ୍ରାଣ-ଶକ୍ତି, ତେଣୁ ଅଗମ୍ୟ ସେ ସଦା ।

କହିଲେ ସେଠାରେ କଥା, ସେହି କଥା କହି

ଦରିକନ୍ୟା-ପ୍ରତିଧ୍ୱନି ହୁଏ ଚିଗିଲାଇ ।

ସୁନୀତି-ସୂତିକାଗାର ଏ ଗିରିକନ୍ଦରା

 

ପ୍ରସୂତି-ତ୍ରିକାଳଦର୍ଶୀ ଋଷିଙ୍କ ଲେଖନୀ,

ଜନ୍ମି ଏଥି ନୀତିଦୀପ କରୁଅଛି ଧ୍ୱଂସ

ଜଗତର ଅନ୍ଧକାର, ମାତ୍ର ଏହା ଗର୍ଭ

ଚିରଅନ୍ଧକାରାଚ୍ଛନ୍ନ, ଖଣି ମଧ୍ୟୁ ଯାଇ

 

ମଣି, କରେ ଆଲୋକିତ ଅପରର ଗୃହ,

ମାତ୍ର ଘୂର୍ଣ୍ଣ ଖଣିଗର୍ଭେ ଅନନ୍ତ ଅନ୍ଧାରେ ।

ଉଠୁଥିଲା ପୂର୍ବେ ଏଥୁ ସଂକୀର୍ତ୍ତନ ଧୁନି

ପ୍ରଭାତେ, ସାୟାହ୍ନେ, ଲୁପ୍ତ ଏ କାଳରେ ତାହା ।

 

ଏ ସ୍ଥାନ ସ୍ୱର୍ଗର ସାର, ଭବଚିନ୍ତାହୀନ,

ନାହିଁ ଏଥି ସଂସାରର ଜ୍ୱଳନ୍ତ କଟାହ,

ନାହିଁ କାମନାର ତୀବ୍ର ତରଳ ପ୍ରବାହ,

ନାହିଁ ହାହାମୟ ଭାଷା, କୁହୁକିନୀ ଆଶା,

 

ଅଛି ଏକ ମୌନଧ୍ୱନି ସୁପ୍ତ ଏ କନ୍ଦରେ,

ଅଛି ତହିଁ ଛନ୍ଦ, ଭାବ, ସୌନ୍ଦର୍ଯ୍ୟ, ସଙ୍ଗୀତ,

ସେ ଧ୍ୱନି ଶ୍ରବଶମାତ୍ରେ ଦେଇ ପ୍ରତ୍ୟୁତ୍ତର

ହୃଦୟର ଅନ୍ତସ୍ତଳ ଧ୍ୱନି, ମିଶେ ତହିଁ ।

 

ଏହି ଚୂଡ଼େ ବସି ରଘୁ ରବିକୂଳ-ରବି,

(ଯା ଯଶେ ଗୌରବଦୀପ୍ତ ଅତୀତେତିହାସ)

ଇନ୍ଦ୍ର ଯଥା ଐରାବତ ପୃଷ୍ଠେ, ମିଶାଇଲେ

ରଣରଙ୍କ ନିଜ ସୈନ୍ୟେ, ଏହି ଗିରିପଦେ

ସାହସୀ କଳିଙ୍ଗରାଜ ଗଜ ସୈନ୍ୟ ସହ । ୩

୩- କଳିଙ୍ଗ ସାହସିକ ବୋଲି ପ୍ରବାଦ ଅଛି ।

 

ଆକର୍ଷି ଆକାଶୁ ଘନ ଯଥା ଏ ମହେନ୍ଦ୍ର

ରଖେ ନିଜ ଦେହେ, କଥା ବୀରମଣି ରଘୁ

ଆକର୍ଷିଣ ଶତ୍ରୁ ଯଶ କଲେ ଆତ୍ମସାତ ।

ଆଶ୍ରନ୍ତେ କଳିଙ୍ଗପତି ଦୀନ ଲତାବୃତ୍ତି, ୪

୪- ବିନୟ ।

 

ଅର୍ପିଲେ ବିଜେତା ତାଙ୍କୁ ପୂର୍ବ ଅଧିକାର ।

ଭେଟିଲେ ଶବରେ ଆଣି ପକ୍ୱ ହରିତକୀ

ଜୟଶୀଳ ରଘୁରାଜେ, ରାଜକର ରୂପେ ।

ଗ୍ରହିଲେ ସାଗ୍ରହେ ରାଏ, ମହାଜନ ନେତ୍ରେ

 

ଦରିଦ୍ରର ଦୀନ ଭେଟି କୋଟି କୋହିନୂର ।

ଏ ଶିଖରେ ବସି ରାମ ଜାନକୀ ସହିତ

ସେବିଥିଲେ ସିନ୍ଧୁବାୟୁ, ପୁଣି ଏହି ସ୍ଥାନେ

 

ହୋଇଥିଲା ବେନି ରାମ ଭେଟ, ମାତ୍ର ତାହା

ନୁହେଁ ବୈରିଭାବେ, ଦାସ୍ୟମିଶା ଭକ୍ତି ଭାବେ,

ବନ୍ଦିଥିଲେ ପର୍ଶୁରାମ ଶ୍ରୀରାମ ଚରଣେ ।

ଗେଣ୍ଡୁଫୁଲ ଗଭାମୟୀ ଶବରବାଳାଏ

 

ଉଷୀର ଚନ୍ଦନ ଭେଟି ଜାନକୀ ଛାମୁରେ

ଅର୍ପିଥିଲେ ତାଙ୍କ ପଦେ ଶ୍ରଦ୍ଧା ସମ୍ବର୍ଦ୍ଧନା,

ସକୌତୁକେ କୁରୁବିନ୍ଦ ୧ ହାର ବିନିମୟେ

କିଣିଥିଲେ ରୁଞ୍ଜମାଳ ସୀତା ତାଙ୍କଠାରୁ

 

୧- ପଦ୍ମରାଗମଣି ।

 

ଏହି ଯେ ବହୁଛି ତଳେ ମହେନ୍ଦ୍ର-ତନୟା,

ପୁତ ସୀତା ସତୀ ସ୍ନାନେ, ଗାଉଛି ଅବଧି

ମୃଦୁ ମଧୁ କଳ ନାଦେ ସତୀର ମାହାତ୍ମ୍ୟ ।

ରଘୁବଧୁ ପଦରେଣୁ କୈବଲ୍ୟ କଣିକା

 

ଶିରେ ଧରି ଏ ମହେନ୍ଦ୍ର ହୋଇଛି କୃତାର୍ଥ ।

ଶୌର୍ଯ୍ୟବନ୍ତ ମୌର୍ଯ୍ୟ-ସୂର୍ଯ୍ୟ କୀର୍ତ୍ତିକଳ୍ପତରୁ

ପୁଣ୍ୟଶ୍ଲୋକ ବୁଦ୍ଧଶିଷ୍ୟ ରାଜର୍ଷି ଅଶୋକ

ତିନି ବର୍ଷ କାଳ ଯୁଝି କଳିଙ୍ଗ ସହିତେ

 

ବିଜୟ-ଲକ୍ଷ୍ମୀଙ୍କୁ ଶେଷେ କରି କରଗତ

ଆସିଥିଲେ ଏ ପର୍ବତେ, ବିହାର ଆଶୟେ,

ବନ୍ଧା ହୋଇ ଏଥି ତାଙ୍କ ରଣଦନ୍ତାବତେ

ଦେଇଥିଲେ ଗିରିଶୃଙ୍ଗ ସଂଖ୍ୟା ବୃଦ୍ଧି କରି ।

 

ଯୁଝୁ ନ ଥିଲେ ସେ ବୀର ରାଷ୍ଟ୍ର ଲାଳସାରେ,

ରତ ଥିଲେ ଧର୍ମ ଯୁଦ୍ଧେ-ଧର୍ମ ସଂସ୍ଥାପନେ,

ଅହିଂସା ପରମ ଧର୍ମ, ପ୍ରଚାର ଏ ଦୀକ୍ଷା

ଚାଲୁଥିଲେ କୀର୍ତ୍ତି-ପଥେ ସତ୍ୟ-ଦୀପ ଧରି

 

ପିନ୍ଧି ଶିରେ ସାମ୍ୟ-ମୈତ୍ରୀ-ଗୌରବ-କିରୀଟ ।

ରାଜା, ମାତ୍ର ନ ଥିଲେ ସେ ରାଜନ୍ୟ-ସୁଲଭ

ପ୍ରାକୃତ ପାରିଧି ପ୍ରିୟ-ଜନ୍ତୁହନ୍ତା-ଯମ,

ଗୌଣ ଅସ୍ତ୍ର ଥିଲା ସିନା କୃପାଣ ତାଙ୍କର,

 

ମୁଖ୍ୟ ଅସ୍ତ୍ର କୃପା, ସେହି ଅମୋରାସ୍ତ୍ର ଧରି

ବୁଲି ବୁଲି ଭବ-ବନେ କରୁଥିଲେ ନିତି

ମୋହ ମଦ ମାତ୍ସର୍ସ୍ୟବି ଶ୍ୱାପଦ ଶିକାର ।

ହୋଇଥିଲେ ବିଜେ ଏଥି ଉତ୍କଳ-ସମ୍ରାଟ

ଗଙ୍ଗେଶ୍ୱର, ଗଙ୍ଗବଂଶ ପ୍ରଖର ଭାସ୍କର

ଦିଗ୍‌ବିଜୟ କାଳେ, ଯାଙ୍କ ଭ୍ରୂଭଙ୍ଗୀ ମାତ୍ରକେ

ଆଜାହ୍ନବୀ ଗୋଦାବରୀ ଥରୁଥିଲା ଭୟେ ।

ଦାକ୍ଷିଣାତ୍ୟ ଅଭିଯାନେ ଆସି କପିଳେନ୍ଦ୍ର ୨

୨- ଉତ୍କଳ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ସମୟରେ ଉତ୍କଳର ସୀମା ସେତୁବନ୍ଧ

ରାମେଶ୍ୱର ପର୍ଯ୍ୟନ୍ତ ବିସ୍ତୁତି ଥିଲା ।

ସ୍ଥାପିଥିଲେ ଏଥି ବୀର ବିଶ୍ରାମ ଶିବିର,

ବୃଦ୍ଧି କରି ରାଜ୍ୟସୀମା ଆକୁମାରୀ ଗଙ୍ଗା,

ଉତ୍କଳର ବାହୁବଳ, ଉତ୍କଳ ପ୍ରଭାବ

ଦେଖାଇ ଚକିତ କଲେ ତାତ୍କାଳିକ ନୃପେ ।

ଉତ୍କଳ-ମହୁଡ଼ମଣି ମୁକୁଟ ପ୍ରଭାରେ

ହେଉଥିଲା ଆଲୋକିତ ରାତ୍ରେ ଏହି ଚୂଡ଼ା,

ମିଶୁଥିଲା ତାହା ସଙ୍ଗେ ଅଗ୍ନିଲତା ପ୍ରଭା । ୩

ବାହୁଡ଼ି କର୍ଣ୍ଣାଟ ରଣୁ ଶ୍ରୀ ପୁରୁଷୋତ୍ତମ

 

୩- ପ୍ରବାଦ ଅଛି, ମହେନ୍ଦ୍ରରେ ଏକପ୍ରକାର ଲତା ଥିଲା, ତାହା ରାତ୍ରରେ ଅଗ୍ନିପରି ଉଜ୍ଜ୍ୱଳ ଦିଶେ ।

ସୈନ୍ୟ ସହ ହୋଇଥିଲେ ଏ ଶୈଳେ କୁଣିଆ,

ମୃଗୟା ବ୍ୟସନେ ଏଥି ଯାପି ଦିନତ୍ରୟ,

ଲଭିଥିଲେ ବୀରଗୁରୁ ପରମ ପ୍ରମୋଦ ।

ଉତ୍କଳ-ସୌଭାଗ୍ୟ ରମା କାଞ୍ଚି ରାଜଜେମା

ମିଶାଇଲେ ତପ୍ତ ଅଶ୍ରୂ ଏହି ଝର ନୀରେ ।

ଦେଖି ନରଦେବୀ ରୂପ ବନଦେବୀକୁଳ

ଲଭିଲେ ମାନସେ ଲଜ୍ଜା, ଅପାର ବିସ୍ମୟ,

ଭାବିଲେ ଏସନ-ଆହା, କି ରୂପମାଧୁରୀ,

ଲାବଣ୍ୟ-ସଲିଳ ସିଞ୍ଚି କଳ୍ପନା-ଲତାରେ

ଫୁଟାଇଲା କିଏ ଏହି ସୁବର୍ଣ୍ଣ ସୁମନ,

ପାରିଜାତ ବର୍ଣ୍ଣେ ବୋଲି ବିଜୁଳି ଝଟକ,

ରଚିତ ଏ ରମ୍ୟ ସୌବ୍ୟ ତନୁ, ଅଥବା ଏ

ଉପମାନିର୍ମିତ ମୂର୍ତ୍ତି, ବିନ୍ଧାଣୀ କଳ୍ପନା

ଧରି ଯାଇଅଛ କିବା ବାସ୍ତବ ଆକୃତି ।

ଏତେ ରୂପ, ଏତେ ଠାଣି, ଏତେ ଅପୂର୍ବତା

ସମ୍ଭବେ କି ନରଲୋକେ, ସମ୍ଭବେ ଯଦ୍ୟପି

 

ତେବେ ନିଶ୍ଚେ ନରଲୋକ ସୌନ୍ଦର୍ଯ୍ୟେ ଆଦର୍ଶ

କଳିକୃଷ୍ଣ ଶ୍ରୀଚୈତନ୍ୟ ପତିତତାରଣ,

କରିଥିଲେ ଏହି ପଥେ ଯାତ୍ରା ରାମନାଥେ । ୧

ବୈଷ୍ଣବମଣ୍ଡଳୀ ସହ, ଦେଖିଛି ଏ ଗିରି

୧- ସେତୁବନ୍ଧ ରାମେଶ୍ୱର ।

ପ୍ରେମନୃତ୍ୟ ତାହାଙ୍କର, ଶୁଣିଅଛି ପୁଣି

ହରିନାମ ସଂକୀର୍ତ୍ତନ ଶିଳାଦ୍ରବକାରୀ,

ତାଙ୍କ ଖୋଳ କରତାଳ ବାଦ୍ୟ ଘୋର ରୋଳେ

ହୋଇଥିଲେ ଏ କନ୍ଦିରା ସୁପ୍ରତିଧ୍ୱନିତ,

ତହୁଁ ଗିରିମଣି ହୋଇ ସାତ୍ତ୍ୱିକେ ତନ୍ମୟ

କୋଟି ଭାଷା ଉଚ୍ଚାରି ଗମ୍ଭୀରେ

ଗାଇଲା ଚୈତନ୍ୟ ସ୍ତୋତ୍ର, ଆଶୁକବି ପ୍ରାୟ,

ସେ ଭାଷା ଭାବକୁ କଲା ଗାମ୍ଭୀର୍ଯ୍ୟମଣ୍ଡିତ ।

ସେହି ସଂକୀର୍ତ୍ତନ ଧୂଳି ସାଗର ସମୀର

ବହି ଆଣି କରାଇଲା ମହେନ୍ଦ୍ରକୁ ସ୍ନାନ,

ସ୍ୱଭାବେ ମହେନ୍ଦ୍ର ତୀର୍ଥ ବୁଯେ ମିଶି ତହିଁ

ତୀର୍ଥେରେଣୁ, କଲା ତାକୁ ମହା ପୁଣ୍ୟତୀର୍ଥ ।

 

ଏହି ଋଷିଶୃଙ୍ଗ ଖୋଲେ ସାଧୁଥିଲେ ଯୋଗ

ଯୋଗିବର ଋଷ୍ୟଶୃଙ୍ଗ, ବିଭାଣ୍ଡକ ସୁତ,

ଶାନ୍ତିରୁପା କାନ୍ତିଦେବୀ ଶାନ୍ତା ପତ୍ନୀ ସହ,

କହୁଥିଲା ଏ ବନ୍ଦରେ ଉଜ୍ଜ୍ୱଳେ ଉତ୍‌ଶିଖେ

ଶତ ଜ୍ଞାନ-ବର୍ତ୍ତୀ, ଏବେ ନିର୍ବାପିତ ତାହା ।

ଏହିପରି କେତେ ସାଧୁ ସଜ୍ଜନ ସାଧକେ

ସେ କିଛି ଏ ମହୀଧର, କେ କହିବ ତାହା,

ମହା ପୁରାତନ ଗିରି, କୋଷ୍ଠୀ ଧରଣୀର,

ଗଣି ଏ ପ୍ରାଚୀନ କୋଷ୍ଠୀ ଭୂମିତତ୍ତ୍ୱବିଦେ

କରନ୍ତି ମୀମାଂସା ମହୀ ଜୀବନସମସ୍ୟା । ୨

ବୁଲି ବୁଲି ହୋଇ କ୍ଲାନ୍ତ କ୍ଷୁଧିତ ତୃଷିତ

ଆସିଲୁ ଓହ୍ଲାଇ ସର୍ବେ ଦାରୁବ୍ରହ୍ମଶଖୁ,

୨- ଭୂତତ୍ତ୍ୱ ବିଦ୍‌ମାନେ ପର୍ବତର ପୃଥିବୀର ଜୀବନସମସ୍ୟା ଅବଗତ ହୁଅନ୍ତି ।

ଓହ୍ଲାଇବା ବେଳେ ପଛୁ ପ୍ରଦାନ ଗଳଥା

ଦେଲା ଘଉଡ଼ାଇ ଗିରି, ଘୋର ଘୃଣାଭରେ

ଏ ସ୍ୱର୍ଗକୁ ଆସି ଯେହୁ ଇଚ୍ଛେ ପ୍ରତ୍ୟାବୃତ୍ତି,

ଏ ଅମୃତ ଶୋଭା ପାନେ ନ ମେଣ୍ଟେ ଯାହାର

 

ପାର୍ଥିବ ବୁଭୁକ୍ଷା, ତୃଷ୍ଣା, ଏହି ନବ ସ୍ୱର୍ଗେ

ନାହିଁ ତାହାପାଇଁ ସ୍ଥାନ ତିଷ୍ଠିବାକୁ ତିଳେ,

ଅର୍ଦ୍ଧଚନ୍ଦ୍ର ଶାସ୍ତି ତାର ପ୍ରାପ୍ୟହିଁ ସର୍ବଥା ।

ଗତିପଥେ ଖଡ଼ୀ ଗୁମ୍ଫା, ବର୍ପୂରଧବଳ,

ନୁହେଁ ଖର୍ବାକୃତି କିମ୍ବା ସ୍ଥୂଳ, ହେବ ପରା

ସ୍ଫଟିକ ସାଆଣ ୩ ମେଲା ଗିରି ଅଧିପର,

ଦୂରୁ ଦିଶେ ମହେନ୍ଦ୍ରର ନାସାରନ୍ଧ୍ର ପ୍ରାୟ ।

ଶଉରା ବନ୍ଧୁଙ୍କ ସହ କହି ନାନା କଥା

୩- ସାଧାରଣଶବ୍ଦଳ ।

କଲି ପଥ ଅତିକ୍ରମ, ଯାପିଲି ସମୟ,

କି ସରଳ, କି ନିର୍ମାୟ ସ୍ୱଭାବ ତାଙ୍କର,

ପଚାରିଲେ କଥା, କରି ତାର ପ୍ରତିଧ୍ୱନି

ଦିଅନ୍ତି ଉତ୍ତର ଅତି ସଂକ୍ଷିପ୍ତ ଭାଷାରେ,

ଗିରି ମାତ୍ରେ ଗିରି, ପୁଣି ତରୁ ମାତ୍ରେ ତରୁ,

ନାହିଁ ଭେଦାଭେଦ କିଛି, କେଡ଼େ ସାମ୍ୟ ନୀତି

ବର୍ବର ଶଉରା ପ୍ରାଣେ ନିହିଛି ବିଧାତା,

ଯେ ବିଧିର ଏ ବିଧାନ, ସେହି ବିଧି ସିନା

 

ରଖିଛି ଦୁର୍ଗନ୍ଧ ପଙ୍କେ ସୁଗନ୍ଧି କମଳ,

ଆବର ରଖିଛି ମୁକ୍ତା ହେୟ ଶକ୍ତିକାରେ ।

ନ ପାରନ୍ତି କହି ସ୍ୱୀୟ ବୟଃକ୍ରମ ଗଣି, ୪

କି ଉଦାସ ଭାବ, ନିଜ ଉଦର ବ୍ୟତୀତ

 

୪- ଜନୈକ ଷଷ୍ଠିତମ ବର୍ଷୀୟ ବୃଦ୍ଧକୁ ତାହାର ବୟସ ପଚାରିବାରୁ ସେ କହିଥିଲା, ‘‘କେଜାଣି, ମ ପଢ଼ିଛିକି, ୨୦ କି ୨୫ ବର୍ଷ ହେବ ପରା ।’’ ଆଉ ଜଣକୁ ଗୋଟିଏ ପର୍ବତ ଦେଖାଇ ନାମ ପଚାରିବାକୁ ସେ କହିଲା, ‘‘ଯେତେ ଅଛି ସବୁ ତ ପର୍ବତ, ଆଉ ନାଁ କଣ ଅଛି ?’’

 

ନ ଚିହ୍ନନ୍ତି ସଂସାରର ଅପର କାହାକୁ,

ମହେନ୍ଦ୍ର ଆକାଶ ଛୁଇଁ ନିର୍ଲିପ୍ତ ଯେସନ

ସଦା ସେ ଆକାଶ ସହ, ତେସନ ଶବରେ

ସଂସାରରେ ଥାଇ ସୁଦ୍ଧା ନିର୍ଲିପ୍ତ ସଂସାରେ ।

 

ଯେଣୁ ଅଳ୍ପଭାଷୀ, ତେଣୁ ଦୃଢ଼ ସତ୍ୟଶୀଳ,

ମିଥ୍ୟାରେ ରଞ୍ଜିତ ସିନା ବାଚାଳର ଭାଷା ।

ଏକତାରେ ଗଢ଼ା ତାଙ୍କ ଜାତୀୟ ଜୀବନ,

ଜାତୀୟ ସଙ୍କେତ ଭାଷା-ବିରାଟ କୁହାଟ,

 

ସେ ସଙ୍କେତ ଭାଷା-ବିରାଟ କୁହାଟ,

ସେ କୁହାଟେ କହି କଥା, ପ୍ରତି କୁହାଟରୁ

ବୁଝନ୍ତି ଉତ୍ତର ତାର ଦୂରୁ ଅବହେଳେ ।

ମହେନ୍ଦ୍ର, ତୁ ନବତ୍ୱର ନିତ୍ୟ ଲୀଳାସ୍ୱର୍ଗ,

 

ଚିର ପୁରାତନ ମଧ୍ୟେ ମହା ପୁରାତନ ।

ଅଦ୍ଭୁତ କରଣୀ ତୋର ଅଦ୍ଭୁତ କରୁଣା,

ସାଧୁ ତୁ ଶତ୍ରୁର ସୁଦ୍ଧା ଶିବ, ଉପକାର,

କରେ ଯେ ତୋ ଦେହେ କ୍ଷତ, ପ୍ରଦାନୁ ତୁ ତାକୁ

 

ମାଣିକ୍ୟ ରତନ, କିମ୍ବା ମହୌଷଧିରୂପ

ଦ୍ୱିତୀୟ ଜୀବନ, ଫୁଲ ଯଥା, କଲେ ତାକୁ

ଛିନ୍ନ, ବୋଳି ଦିଏ ହସ୍ତେ ଅମୃତ ସୁବାସ,

ଘର୍ଷଣେ ସୁଗନ୍ଧ ଦାନ ଚନ୍ଦନର ଧର୍ମ ।

 

ଉନ୍ମତ ପଦାର୍ଥ ମଧ୍ୟେ ସଜ୍ଜନ ହୃଦୟ

ବଡ଼ ଏ ଜଗତେ, ମାତ୍ର ତୁହି ତାହାଠାରୁ

ଯାଇଅଛୁ ଉଚ୍ଚତାରେ ବଳି ବହୁଗୁଣ ।

ଦେବସ୍ତୁତ ଗିରିବର, କି ଜ୍ୟୋତିଃ ତୋହର,

 

ଧାରଣେ ଅକ୍ଷମ ତାହା ମାନବ ନୟନ,

ସେ ପରମ ଦିବ୍ୟ ବିଭା, କରେ ଭସ୍ମସାତ

ପାର୍ଥିବ ବିକାରେ ପୁଣି ଅତି ବାସନାକୁ ।

ସୁଷମା-ସୃଷ୍ଟିର ସୀମା ତୁହି ମହୀଧର,

 

ସୋହାଗ କାନନ ଫୁଲ ଶୋଭାଦେବୀଙ୍କର,

ଆସିଥିଲି ମୁହିଁ କେତେ କଳ୍ପନା ମୁଣ୍ଡାଇ

ସେ ସୁଷମା ଭୋଗ ଆଶେ, ନ ପାରି ସନ୍ତରି

ମହିମା-ସାଗରେ ତାର, ଅତଳ, ଅକୂଳ,

 

ଉତ୍ସର୍ଗିଲି ସେ କଳ୍ପନା ତାହାରି ତରଣେ,

ଶୋଭା କିଣିବାକୁ ଆସି ସେହି ଶୋଭାପଦେ

ହେଲି ବିନା ପଣେ ବିକା, ହାୟ କି ଦୁର୍ଭାଗ୍ୟ,

ଅଯୋଗ୍ୟ ତ୍ରେତାର ଏହା ଯୋଗ୍ୟ ପୁରସ୍କାର ।

 

କି ଦେଖିବି, ମୋଦ ଭୟ-ସୁରାସୁର ବେନି

ମନ୍ଥିଲେ ହୃଦୟ-ସିନ୍ଧୁ, ବିସ୍ମୃତି ମନ୍ଦରେ,

ତହୁଁ ଜାତ ଭାବାମୃତେ ପିଇଲି ଆକଣ୍ଠ,

ପ୍ରଥମ ଦର୍ଶନେ ଗିରି, ଆଣୁ ମନେ ସୁଖ,

 

ବଢ଼ି ସେହି ସୁଖ ଆଣେ ଅକ୍ଷୟ ଅତୃପ୍ତି,

କ୍ରମବିବର୍ଦ୍ଧିତ ସୁଖ ଅତୃପ୍ତି ଆକର,

ଆଣିଦେଉ ସୁଖ ତୁହି, ନୁହେଁ ତା ଅନ୍ୟଥା,

ଅତୃପ୍ତିଜନିତ ଦୁଃଖ ଦାତବ୍ୟ ତୋହରି,

 

ଯେଉଁ ବାୟୁ ଆଦ୍ୟେ କରେ ଅଗ୍ନିର ସାହାଯ୍ୟ,

ସେହି ବାୟୁ ଶେଷେ ତାକୁ ଦିଏ ତ ନିଭାଇ ।

ନ୍ୟସ୍ତ ତୋ ଅନନ୍ତ ଗର୍ଭେ କାହିଁ କେଉଁ ରତ୍ନ,

କେ କରିବ ତାହା ତୁହି କମଳାଭଣ୍ଡାର,

 

ସୁପକ୍ୱ ଶ୍ରୀଫଳ ପ୍ରାୟ ତୋହର ଅନ୍ତର

ଧନେ, ମାନେ, ଦାନେ, ଜ୍ଞାନେ ତୁହି ତୋ ଉପମ

କେତେ ରୂପେ ବିହରୁ ତୁ ତୋହ କଳେବରେ,

ଫୁଲେ ବାସ, ଫଳେ ରସ, ନିର୍ଝର ଜୀବନେ

 

ଜୀବନ ରୂପରେ ତୋର ଶକ୍ତି ବିଦ୍ୟାମାନ ।

ଅଛି ତୋର ନେତ୍ରେ ଅଶ୍ରୁ ପର ଦୁଃଖଶଂସୀ,

ହୃଦୟେ କରୁଣା, ଦେହେ ଶକ୍ତି ସହିଷ୍ଣୁତା,

ତୁହି ସମଦର୍ଶୀ, ବୁଷ୍ଟ, ଶିଷ୍ଟ ସକଳର

 

ଘେନି ସର୍ବ ଆବେଦନ କରୁଣ, କଠୋର

କରୁ ଦୀନ ଆଶ୍ରିତର ପ୍ରାର୍ଥନା ସଫଳ,

ତୁ ଆଦର୍ଶ ଗୃହୀ, ପୁଣି ଆଦର୍ଶ ସନ୍ନ୍ୟାସୀ ।

ପଚାରିବି ଗିରିମଣି କଥାଟିଏ ତୋତେ,

 

କାହିଁକି ତୁ ଦିଶୁ ସଦା ଯଥା ଶୋକମଗ୍ନ,

ବାହାରୁଛି ପ୍ରାଣ ଫୁଟି ନିର୍ବାକ କ୍ରନ୍ଦନ,

କି ଗଭୀର ଗୁପ୍ତ ବ୍ୟଥା କହିଛୁ ଅନ୍ତରେ

ଅଖଣ୍ଡ ଧଇର୍ଯ୍ୟ ସହ, କହିବୁ କି ତାହା ?

 

ନ କହ ପଛକେ, ମାତ୍ର ଆକାର ଇଙ୍ଗିତୁ

ପଡ଼ୁଛି ତା ବ୍ୟକ୍ତ ହୋଇ, ସୁମରି ପରା ତୁ

ଅତୁଳ ଗୌରବମୟ ଅତୀତ ସୌଭାଗ୍ୟ

ହୋଇଛୁ ବିଷଣ୍ଣ, କ୍ଷୁଣ୍ଣ, ହତାଶ, ଉଦାସ ?

 

ଛାଡ଼ ନା, ଛାଡ଼ ନା ଗିରି, ଆଶାର ପଣତ,

ନ ଜାଣୁ କି ନଗରାଜ ମହିମା ତାହାର,

ଭବିଷ୍ୟ ଅନ୍ଧାରେ ସୁଦ୍ଧା ଜଳେ ତାର ଦୀପ ।

ଆସିବ ଅଦୃଷ୍ଟ ଫେରି, ନ ହୁଅ ଚିନ୍ତିତ

 

ଫେରି ଆସେ ଯଥା ଘନ ତୋ ଶୃଙ୍ଗୁ ବାହାରି

ଯଥାକାଳେ ସେହି ଶୃଙ୍ଗେ, କି ସନ୍ଦେହ ଏଥି ।

ଅନୁଷ୍ଠିତ ତୋହ ବକ୍ଷେ କେତେ ମହୋତ୍ସବ,

ଫାଲ୍ଗୁନ ଦ୍ୱାଦଶୀ ପୁଣି ଅମାବାସ୍ୟା ଦିନ

 

ମାହେନ୍ଦ୍ର ଯୋଗରେ ପଡ଼େ ପୁଣ୍ୟ ସ୍ନାନଯୋଗ

ପର୍ଶୁରାମ କୁଣ୍ଡେ, ହୁଏ ଶ୍ରାଦ୍ଧ ତର୍ପଣାଦି ।

ସେ ଦିନ ନିର୍ଜନ ଆଖ୍ୟା ନିଷ୍‌ଫଳ ତୋହର,

ବହୁଯାତ୍ରୀ ସମାଗମେ ଏ ତରୁ ଅରଣ୍ୟ

 

ନରାରଣ୍ୟେ ପରିଣତ ହୁଏ ବେନି ଦିନ ।

ଆବର ଜାଗର ଯାତ୍ରା ଗୋକର୍ଣ୍ଣ-ଈଶ୍ୱରେ,

ହର ହର ସ୍ୱରେ ହୁଏ ତୋ ଦରୀ ଧ୍ୱନିତ,

ଉଠେ ମହାନିଶାକାଳେ ଆକାଶପ୍ରଦୀପ,

 

ଉଠେ ଭକ୍ତକଣ୍ଠୁ ସ୍ତବ ମହିମ୍ନ ଆବୃତ୍ତି,

ବାଜେ ନାନା ବାଦ୍ୟ, ପୁଷ୍ପ-ବିଲ୍ୱଦଳଗନ୍ଧେ

ହୁଏ ସୁରଭିତ ସ୍ଥଳୀ, ଓହ୍ଲାଇ ଅମରେ

ବାରିଦ-ବିମାନେ ତହି, ସ୍ୱର୍ଗଙ୍ଗାସଲିଳେ

 

ପୁଣି ପାରିଜାତ ଫୁଲେ, ତ୍ରିଦିବ ବିଭବ,

ପାର୍ବତୀ ଶଙ୍କରେ ପୂଜା ଅର୍ପନ୍ତି ସାଗ୍ରହେ ।

ସ୍ୱର୍ଗର ଗରିମା ଆସି ସେ ଦିନ ମହୀରେ

ଦିହରେ ତୋ ଦେହେ ପ୍ରାଣେ, ପରିଗ୍ରହି କାୟା ।

 

ବାସନ୍ତୀ ପୂର୍ଣ୍ଣିମା ତୋର ଅଭିଷେକ ତିଥି,

ଗିରିଛତ୍ରପତି ତୁହି, ସମଗ୍ର ଉତ୍କଳୁ

ଆସି ଗିରି-ପ୍ରଜା ତୋର ଭେଟନ୍ତି ଛାମୁରେ ।

ମେଘ-ମଞ୍ଚ ମୋଘାସନ ୧ ଯୋଗାଏ ଦନ୍ତାଳ

 

୧- ମୟୁରଭଞ୍ଜସ୍ଥ ପର୍ବତ । ଏହି ପର୍ବତରେ ହାତୀ ଅଛନ୍ତି ।

 

ପାଟହସ୍ତୀ, ଭେଟେ ଆଣି ଶାଳପର୍ଣ୍ଣପୁଟେ

ପବିତ୍ର ବିଶଦ ବାରି ବୈତରଣୀ ତୀର୍ଥୁଁ

ଗୋନାସାଶିଖରୀ ୨ ତୋଳି ନାଗେଶ୍ୱର ଫୁଲ

ସ୍ୱ ଉଦ୍ୟାନୁ ମାଲ୍ୟଗିରି ୩ ଅର୍ପେ ଉପହାର;

୨- କେନ୍ଦୁଝରସ୍ଥ ପର୍ବତ । ଏହା ବୈତରଣୀର ଉତ୍ପତ୍ତି ସ୍ଥାନ ।

 

୩- ମାଲ୍ୟାଗିରି ପାଲଲହଡ଼ା ରାଜ୍ୟରେ ଅବସ୍ଥିତ । ଏଥିରେ ବିସ୍ତୁତ ନାଗେଶ୍ୱର ତୋଟା ଅଛି ।

 

ଅଳତି ୪ ଚନ୍ଦନ ଭେଟେ, ଗିରି କପିଳାସ ୫

ଧରେ ତୋ ସମ୍ମୁଖେ ଆଣି ସ୍ୱଚ୍ଛାଭ୍ର-ମୁକୁର ।

ଖଟଣିଆ ଶୈଳେ ତୋର ଆସି ନାନା ଦେଶୁ

ଖଟନ୍ତି ସେବାରେ, କେହି ଧରେ ଛତ୍ର ଶିରେ,

 

୪- କଟକ ଜିଲ୍ଲାସ୍ଥ ପର୍ବତ, ଏଥିରେ ଚନ୍ଦନ ବୃକ୍ଷ ଅଛି ।

୫- ଢେଙ୍କାନାଳ ଅନ୍ତର୍ଗତ କପିଳାସ ପର୍ବତରେ ବିସ୍ତୃତ ଅଭ୍ରଖଣି ଅଛି ।

 

କେ ଧରେ ଆଲଟ, କେହି ତରାସ, ଆଢ଼େଣୀ,

କେହି ଚାଳେ ଖଦୀ, କେବା ଢାଳେ ଶ୍ରୀଚାମର ।

ଏହିପରି ଦେଖାଉ ତୁ କେତେ ମହୋତ୍ସବ,

ପର୍ବ ଉତ୍ସବର ତୁହି ନିତ୍ୟ ଲୀଳାଗାର,

 

ଦେଖୁଛୁ ଯେତିକି ପୁଣି ଦେଖାଉଛୁ ତେତେ,

କିଏ ପଟାନ୍ତର ତୋତେ ମହୀରେ ମହେନ୍ଦ୍ର ?

ଗିରି, ତୋ ପକ୍ୱାଣପୁଞ୍ଜ ଆହା କି ମଞ୍ଜୁଳ,

ନୀରବ, ମଧୁର, ଶାନ୍ତ, ଯଥା ଚାରୁ ଛବି,

 

ନାଗରିକ କୋଳାହଳେ ହୋଇ ବିରକ୍ତିତ

ଆସିଛନ୍ତି ଏ କୁଟୀରେ ତୋ ଦେହେ କି ଉଠି,

 

ତୋ ଗୂଢ଼ ଗମ୍ଭୀର ବେଦ ଶୁଣିବା ଆଶୟେ ?

ଶବରସୁନ୍ଦରୀକୁଳ ଦେଖି ବୈଦେଶିକେ

 

ଲୁଚି ବନେ ଭୀରୁ ନାମ କରନ୍ତି ସାର୍ଥକ ।

ପୁଷ୍ପ-ଆଭରଣା, ଯେହ୍ନେ ପୁଷ୍ପର ପିତୁଳା,

କନ୍ଧଲମ୍ବୀ ଝୁଲି ମଧ୍ୟେ ଦୋଳ ନବଶିଶୁ,

‘‘କାଙ୍ଗୁଳୁଣୀ ଭିକ୍ଷାଝୁଲି ମଧ୍ୟେ ବିଶ୍ୱସାଇଁ

 

ଦେଇଛନ୍ତି ଏ ରତ୍ନଟି,’’ ଏହି ଭାବ ଅବା

ଜଣାଉଛି ପ୍ରତିବେଶୀ ତରୁଲତାଗଣେ ।

କଣ୍ଠେ ଶୋଭେ ବହୁ ସରି ଗୁଞ୍ଜମାଳା ସହ

ବହୁବର୍ଣ୍ଣୀ ପୂତି, ୧ କର୍ଣ୍ଣେ ପୁଷ୍ପର ବେଣ୍ଟୁଲା । ୨

 

୧- ପଥରମାଳ ।

୨- ମଲ୍ଲିକତୀ ନାମକ ଅଳଙ୍କାର ।

 

ମାଡ଼ିଛି କୁଟୀର ଚାଳେ ଲାଉ ବୋଇତାଳୁ,

ଚଉପାଶେ ବୁଲୁଛନ୍ତି ପାଳିତ ପଶୁଏ,

ଦୂରରୁ ମାଣ୍ଡିଆ ଜନା ଘାଣ୍ଟିଆ କ୍ଷେତ୍ରରୁ

ଆଣୁଛି ସମୀର ବହି ପକ୍ୱ ଶସ୍ୟାମୋଦ ।

 

ବନ୍ୟ ଜାତିଙ୍କର ବେଶ, ପରିପାଟୀଶୁନ୍ୟ

ନୁହନ୍ତି ସେମାନେ କେବେ କୃତ୍ରମତାଭକ୍ତ,

କିମ୍ବା ଗ୍ରାମ୍ୟତାର ପ୍ରିୟ ଉପାସକ, ଜନେ

ଜନ୍ମ ତାଙ୍କ, ବନଭାବେ ଗଠିତ ଶରୀର,

 

ସଂଗ୍ରହନ୍ତି ବନୁ ଖାଦ୍ୟ ବସ୍ତ୍ର ଅଳଙ୍କାର ।

କଥା କାର୍ଯ୍ୟ ନାହିଁ ଭେଦ, ସର୍ବେ ନିତ୍ୟୋଦ୍ଯୋଗୀ

ନ ଚିହ୍ନନ୍ତୁ ଧର୍ମେ ପଛେ, ମାତ୍ର ପ୍ରକାଶନ୍ତି

ପାପେ ଘୃଣା, ଘୁଣାକ୍ଷର ପ୍ରାୟ, ଆନ୍ତରିକ ।

 

ରାଢ଼ପଣେ ଅଗ୍ରଗଣ୍ୟ, ଏକବୁଝା ଜାତି,

ପାଇଲେ କିଞ୍ଚିତ ବାଧା ମନୋରଥ ପଥେ,

ମନବଳେ ରୁଦ୍ଧବୀର୍ଯ୍ୟ ଭୁଜଙ୍ଗମ ପ୍ରାୟ

ଗର୍ଜନ୍ତି ଗମ୍ଭୀରେ, ସଦା କୋମଳତାବଶ ।

 

ପୁରାଣ-ପୂଜିତ, ସ୍ତୁତ ତୁହି ରେ ମହେନ୍ଦ୍ର,

ଉତ୍କଳର ଗିରିଗୋଷ୍ଠୀ ଧନ୍ୟ ତୋହ ଯୋଗୁଁ ।

ବଂଶେ ଜଣେ ହେଲେ ଯୋଗ୍ୟ, ତାହାରି ଯୋଗ୍ୟତା

ସମଗ୍ର ବଂଶକୁ କରେ ଖ୍ୟାତିକ ୩ ଉଜ୍ଜ୍ୱଳ ।

 

୩- ଖ୍ୟାତିଯୁକ୍ତ ।

ବିଦୁକ୍ଷାକୁ ଆତ୍ମା ଦାନ କରି ତୋ ସୁଷମା

କରେ ବିବର୍ଦ୍ଧିତ; ତେଣୁ ନ ମେଣ୍ଟେ ଅଳ୍ପେ ସେ,

ନିଭିବ କି ଦାବାନଳ ଗଣ୍ଡୂଷ ଜଳରେ !

ହେ ମଞ୍ଜୁଷା- ମଞ୍ଜୁଭୂଷା ମହେନ୍ଦ୍ରବିହାରୀ

ଶ୍ରୀ-ନିବାସ ଶ୍ରୀନିବାସ ରାଜମଣିଦେବ,

ଦେଖିଲି ଏ ପୁଣ୍ୟତୀର୍ଥ ତୁମ୍ଭରି ପ୍ରସାଦେ,

ତୁମ୍ଭରି ପ୍ରସାଦେ ନୃପ, କଳ୍ପନାର ସ୍ୱପ୍ନ

ବାସ୍ତବରେ ପରିଣତ ହେଲା ସିନା ଆଜି,

ଜଳିଲା ମୋ ଆଶା-ସ୍ୱର୍ଗେ ସାଫଲ୍ୟ-ଦିହୁଡ଼ି ।

ମହୀରେ କୁବେର ତୁମ୍ଭେ, ମହେନ୍ଦ୍ର ତୁମ୍ଭର

ଅକ୍ଷୟ ଅମର ମହାରତ୍ନର ଭଣ୍ଡାର ।

ଗିରିରାଜ ତୁମ୍ଭ ପ୍ରଜା-ହୃଦୟ ଉପମା,

ସାଧି ମୋର ଉପକାର ଅପରିଶୋଧିତ,

କଲ ମୋତେ କୃତଜ୍ଞତା-ଅଚ୍ଛେଦ୍ୟ-ବନ୍ଧନେ

ଆଜନ୍ମ ଆବଦ୍ଧ, ଧନ୍ୟ ସହୃଦତା ତବ ।

ନୁହେଁ ବ୍ୟକ୍ତିଗତ ରାଏ, ନୃପତିଜୀବନ,

 

ଜାତୀୟ ଜୀବନ ତାହା, ଜାତିର ସମ୍ବଳ,

ଦୃଷ୍ଟାନ୍ତ ସେଥିର ନୃପ, ତବ ସୁକରଣୀ ।

ଦୀନ ଛାତ୍ରଙ୍କର ଛାମୁ ପରମ ଆଶ୍ରୟ,

କରି ଛାତ୍ରବୃତ୍ତି ଦାନ ରୋପିଅଛ ଯେଉଁ ୪

 

୪- ମଞ୍ଜୁଷାର ବର୍ତ୍ତମାନ ନରପତି ମହୋଦୟ ପ୍ରାକୃତିକ ଉତ୍କଳର ନାନାବିଭାଗୀୟ ଶୀକ୍ଷାର୍ଥୀମାନଙ୍କୁ ବାର୍ଷିକ ବାରହଜାର ଟଙ୍କା ବୃତ୍ତି ପ୍ରଦାନ କରନ୍ତି ।

 

କୀର୍ତ୍ତି-ଶେଫାଳିକା ତରୁ, ଏବେ ପୁଷ୍ପିତ ସେ,

ବାହାରି ସୁବାସ ସ୍ରୋତ, ନାସାରସାୟନ,

ଧାଇଁଛି ପ୍ରବଳେ ଲଙ୍ଘି ସ୍ୱଦେଶର ସୀମା,

ଧାଏଁ ଯଥା ତୁମ୍ଭ କରୁ ସଂହିତ ଶାୟକ

 

ପାରିଧି ସମୟେ ଖରେ, ଭେଦି ବନଦେଶ ।

ସହାନୁଭୂତିର ତବ ଯୋଗ୍ୟ ପ୍ରତିଦାନ

ନାହିଁ ଏ ଦୀନର, ଯଦି ଏ ହୃଦୟ ମୋର

ହୋଇଥାନ୍ତା ବାସଫୁଲ ଅଥବା ଚନ୍ଦନ,

 

ପୂଜନ୍ତି ତହିଁରେ ନୃପ, ଛାମୁଙ୍କ ପୟର,

କିଛି ନାହିଁ, ‘ନାହିଁ’ ଶବ୍ଦ କେବଳ ସୁଲଭ

ଦରିଦ୍ର କୁଟୀରେ, ଦୀନ ମହାଧନୀ ତହିଁ,

ରାଜଯୋଗ୍ୟ ଉପାୟନ ନୁହେଁ କିନ୍ତୁ ତାହା,

 

ହୃଦୟର ଭକ୍ତି ନୁହେଁ ପଦାର୍ଥ ବିଶେଷ,

ତାହା ଖାଲି ଶୂନ୍ୟଗର୍ଭ ଶବ୍ଦର ସମ୍ଭାର,

ନ ପାଇଣ କିଛି ଆନ ଅର୍ପିଲି ନିଜକୁ,

ଘେନା ହେଉ ମହାମନା, ଏତିକି ମାଗୁଣି ।

 

କି ବର୍ଣ୍ଣିବି ଭାଗ୍ୟଧର, ପ୍ରଶସ୍ତି ତୁମ୍ଭର,

ତୋଳୁଛ ସ୍ୱହସ୍ତେ ତୁମ୍ଭେ ସ୍ମୃତି- ଅଟ୍ଟାଳିକା,

ଗୋଟି ଗୋଟି କର୍ମ ତବ କୋଟି ସ୍ୱର୍ଣ୍ଣସ୍ମୃତି ।

ସ୍ମରିବ ନୃମଣି, ମନେ ସତତ ଏତିକି-

 

ସମୁନ୍ନତ ମହେନ୍ଦ୍ରର ଅଧିପତି ତୁମ୍ଭେ,

ଯାହା ନାହିଁ ସ୍ୱର୍ଗେ, ତାହା ଅଛି ତବ ରାଜ୍ୟେ,

ନିବସନ୍ତି ସ୍ୱର୍ଗେ ଇନ୍ଦ୍ର ଦେବକୁଳନାହା,

ମାତ୍ର ତୁମ୍ଭ ରାଜ୍ୟେ ସଦା ନିବସେ ମହେନ୍ଦ୍ର,

 

କଳିବ ନୃପତି, ଏଥୁ, ନିଜର ଗୌରବ,

ମହତ୍ତ୍ୱର ମାନଦଣ୍ଡ ତୁମ୍ଭର ଏ ଗିରି,

ଜଣାଉଛି ତୁମ୍ଭ ମୂଲ୍ୟ ତୁମ୍ଭଙ୍କୁ ଜଗତେ ।

କି ଅପୂର୍ବ ଆତ୍ମୀୟତା ମହେନ୍ଦ୍ର, ତୋହର

 

ଚାରି ଦିନ ମଧ୍ୟେ ମୋତେ କରିନେଲୁ ତୋର,

କିନ୍ତୁ ଗିରି ଅଭାଗ୍ୟ ମୁଁ ନ ପାରିଲି କରି

ତୋତେ ଯାହା ମୋର, ମନେ ରହିଲା ଏ ଦୁଃଖ ।

କି କରିବି, ଆଜୀବନ ପରାଧୀନ ମୁହିଁ,

 

ଚାଲେଁ ପର ଗୋଡ଼େ ବାଟ, ଦେଖେ ପର ନେତ୍ରେ

ଦୃଶ୍ୟ, କହେଁ ପର ତୁଣ୍ଡେ କଥା, ଗାଏଁ ଗୀତ,

ନିୟତି ଆଜ୍ଞାର ଦାସ ନର ସିନା ଭବେ,

ପ୍ରତି କାର୍ଯ୍ୟ ସିନା ତାର ନିୟତି ଆଜ୍ଞାର

 

ରୂପବନ୍ତ ପ୍ରତିଧ୍ୱନି, କି ଚାରା ତାହାର !

ତୋହ ଦୟା, ତୋ ଦାକ୍ଷିଣ୍ୟ, ପୁଣି ତୋ ସ୍ନେହର

ସୁମଧୁର ଅତ୍ୟାଚାର, ( ସାଧୁ ଯେବେ ହଟ

ଘନକୁ ଲଗାଇ ଦେଇ କୌତୁକ ଅନ୍ତରେ )

 

ସ୍ମୃତି-ଶିଳା-ଫଳକରେ ରହିଲା ଅଙ୍କିତ,

ଅଙ୍କିତ ତୋ ବକ୍ଷେ ଯଥା ଧର୍ମାନୁଶାସନ ।

ତୋ ଦୁଃଖପାସୋରାଅଙ୍କେ ନିବସି ନୀରୋଳେ

ଦୁଃଖଭାରାତ୍ରାନ୍ତ ହୃଦ କରିଥାନ୍ତି ଲଘୁ,

 

ହାୟ, କି ଦୂରାଶା ସ୍ୱପ୍ନ, ଅପ୍ରାପ୍ୟେ ପ୍ରତ୍ୟାଶା,

ଯୋଗ୍ୟ ସିନା ସିଦ୍ଧ ଋଷି ତୋ ଅଙ୍କ-ବିହାରେ,

କାହିଁ ସେ ସୁକୃତବନ୍ତ, କାହିଁ ମୁହିଁ ପୁଣି,

ଲାଗେ କି ଶିମିଳୀ ଫୁଲ ଦେବତା ପୂଜାରେ ।

 

ଘେନୁଛି ମହେନ୍ଦ୍ର ଏବେ ବିଦାୟ ତୋ ପାଶୁ,

ଲଗାଇଛୁ କି ମାୟା ତୁ, ବଳୁ ନାହିଁ ମନ

ତେଜିବାକୁ କ୍ଷଣେ ତୋର ପବିତ୍ର ସଂସର୍ଗ,

ମନ ମଧ୍ୟେ ଦେହ ଯଦି ପାରନ୍ତା ପ୍ରବେଶି,

 

କହୁଛି ଶପଥ କରି ଛୁଇଁ ତୋ ଚରଣ,

ନିତି ଆସି ପାଦପଦ୍ମ ପୂଜନ୍ତି ତୋହର

ସଂଗ୍ରହ ତୋ ଦେହୁ ମୃଦେ ଫୁଲ ଫଳ ଜଳ ।

ଅଥବା ଆସନ୍ତା ଯଦି ଘୁଞ୍ଚି ମୋ କୁଟୀର

 

ତୋହ ସନ୍ନିଧାନେ, ତେବେ ତୋହ ପାଦମୂଳେ

ବସି ମୁଁ ନିୟତ, ସାନ ସିଂହରାଜ ପ୍ରାୟ ୧

ପିଅନ୍ତି ତୋ ଶୋଭା-ସୁଧା, ପୂରାଇ ଉଦର,

ହାୟ ଏ କଳ୍ପନା ସିନା ଦୂରାଶାର ସ୍ୱପ୍ନ !

 

୧- ମହେନ୍ଦ୍ରର ପାର୍ଶ୍ୱରେ ମହେନ୍ଦ୍ରର ପାଦଦେଶରେ ସାନ ସିଂହରାଜ ପର୍ବତ ଅବସ୍ଥିତ । ଏହା ପାରଳା ଏଜେନ୍‌ସି ମାହାଲର ଅନ୍ତର୍ଗତ ।

 

ଘେନ ଅର୍ଘ୍ୟ ଗିରିବର, ହୃଦୟର ବ୍ୟଥା,

ଅସମ୍ପୂର୍ଣ୍ଣ ଆକାଙ୍କ୍ଷାର ଅସମ୍ଭାଳ ଅଶ୍ରୁ,

ଆବର ଘେନ ରେ ଗିରି ଶେଷ ଉପହାର,

ନୀରସ ହତାଶ କ୍ଲାନ୍ତ ଜୀର୍ଣ୍ଣ ଜୀବନର

 

ମର୍ମଦାହୀ ହାହାଧ୍ୱନି, ବିଷାଦ ନିଃଶ୍ୱାସ,

ଘେନି ଏହି ନେତ୍ର-ନୀର-ଲିଖିତ-ପତ୍ରିକା ।